ମୋତେ କ୍ଷମା କର

ଜୀବନର ଗତିପଥରେ ମଣିଷର ଭୁଲ୍‌ ହୋଇଗଲେ ତାହାର ସଂଶୋଧନ ପାଇଁ ତାକୁ କିଛି ଦେବାକୁ ପଡ଼ିଥାଏ। ତାହା ଅର୍ଥର ରାଶି, କିଛି ସାମଗ୍ରୀ ବା ପାରିଶ୍ରମିକ ଇତ୍ୟାଦି ହୋଇପାରେ। କିନ୍ତୁ ଏତଦ୍‌ ଭିନ୍ନ ଅନ୍ୟ ଗୋଟିଏ ସଂଶୋଧନ ପାଇଁ ପନ୍ଥା ରହିଥାଏ ଯାହା ଥାଏ କ୍ଷମା। ଅନେକ ସମୟରେ ମଣିଷ ଭୁଲ୍‌ କଲେ ନିଜର ଆତ୍ମସଂଶୋଧନ ଓ ଆତ୍ମଜାଗରଣ ପାଇଁ କ୍ଷମା ଯାଚନା କରିଥାଏ। ମାତ୍ର ପ୍ରଶ୍ନ ଉଠେ ବ୍ୟକ୍ତି କ୍ଷମା ମାଗିବାବେଳେ ତା’ପ୍ରତି କେତେ ଅନୁରାଗ ଓ ସମ୍ବେଦନଶୀଳତା ଥାଏ ? କାରଣ ଭୁଲ୍‌ ପାଇଁ କ୍ଷମା ମାଗିବାବେଳେ ଭୁଲ୍‌ର ପୁନରାବୃତ୍ତି ନ ହେବା ପାଇଁ ବ୍ୟକ୍ତି ସଙ୍କଳ୍ପବଦ୍ଧ ହେବା ସହ ସେଥିପ୍ରତି ସଚେତନ ହୋଇଥାଏ। ମାତ୍ର ଯଦି ମଣିଷ ବାରମ୍ବାର ଭୁଲ୍‌ କରେ ଓ ବାରମ୍ବାର କ୍ଷମା ମାଗେ, ତେବେ ସେ କ୍ଷେତ୍ରରେ କ୍ଷମା ଏକ ପ୍ରହସନ ହୋଇଯାଏ। ବ୍ୟକ୍ତି ପାଲଟିଯାଏ ଏକ ନୀତିହୀନ ମଣିଷ। ଅତଏବ ଜ୍ଞାତସାରରେ ଭୁଲ୍‌ ନ କରିବା, ବାରମ୍ବାର କ୍ଷମା ଯାଚନା ନ କରିବା ହେଉଛି ବିବେକବାନ୍‌ ମଣିଷର ଅନ୍ତର୍ଦୃଷ୍ଟି।
ତେବେ କ୍ଷମା ମାଗିବା ଓ କ୍ଷମା ପ୍ରଦାନ କରିବା ମଧ୍ୟରେ ଥାଏ ଏକ ସେତୁ, ଯାହାକୁ ଅତିକ୍ରମ କରିବା ହେଉଛି ଏକ ସଂଘର୍ଷର ପୃଷ୍ଠଭୂମି। କଥୋପକଥନରେ ଭୁଲ୍‌ କରି ବାରମ୍ବାର ମୋତେ କ୍ଷମାକର କହିବା ହେଉଛି ଏକ ଅପରିଣାମଦର୍ଶୀ ଭିକ୍ଷା ବୃତ୍ତି। କ୍ଷମା ମାଗିବା ମୂଳତଃ କୌଣସି କାର୍ଯ୍ୟ ବା ନିଜର ନିଷ୍କ୍ରିୟତାକୁ ଯଥାର୍ଥ କରି ରକ୍ଷାକରିବା ପାଇଁ ବ୍ୟବହୃତ ଏକ ସୁପରିକଳ୍ପିତ ବ୍ୟାଖ୍ୟା, ଯାହା ପ୍ରାୟତଃ ଦାୟିତ୍ୱ ବା ନକାରାତ୍ମକ ପରିଣାମକୁ ଏଡ଼ାଇବା ପାଇଁ ଅନେକେ ବ୍ୟବହାର କରିଥାନ୍ତି। କ୍ଷମା ଉପରେ ଅତ୍ୟଧିକ ନିର୍ଭରଶୀଳ ବ୍ୟକ୍ତିଗତ ଅଭିବୃଦ୍ଧିରେ ବାଧା ସୃଷ୍ଟି କରିପାରେ ଓ ଅନେକ ସମୟରେ ଏଥିରେ ସମ୍ପର୍କ ନଷ୍ଟ ହୋଇଥାଏ। କ୍ଷମା ପ୍ରାୟତଃ ଦୋଷ ବଦଳାଇବା, ଦୋଷକୁ କମ୍‌ କରିବା ବା ଦୋଷ ହ୍ରାସକାରୀ ପରିସ୍ଥିତିକୁ ଅଧିକ ଉଜ୍ଜୀବିତ କରେ। କ୍ଷମା ମାଗି ବ୍ୟକ୍ତିମାନେ ଏକ ସକାରାତ୍ମକ ଆତ୍ମ-ପ୍ରତିଛବି ବଜାୟ ରଖିବାକୁ ଚେଷ୍ଟା କରିପାରନ୍ତି ଓ ଦୋଷ କିମ୍ବା ବିଫଳତାକୁ ସ୍ବୀକାର କରିବାର ଅସୁବିଧାକୁ ଏଡ଼ାଇ ପାରନ୍ତି, ମାତ୍ର ସ୍ଥିତି ଓ ପରିସ୍ଥିତିର ସମନ୍ବୟରେ ଅନେକ ସମୟରେ ମଣିଷ କ୍ଷମା ନିକଟରେ ପରାସ୍ତ ହୋଇ ନିଜକୁ ଧିକ୍କାର କରିଥାଏ।
କ୍ଷମା ମଣିଷକୁ ଅସ୍ଥାୟୀ ଆନନ୍ଦ ଦେଇପାରେ ମାତ୍ର ତାହା ଥାଏ ବ୍ୟକ୍ତିର ଦୀର୍ଘକାଳୀନ ନକାରାତ୍ମକ ପରିଣାମ, କାରଣ ମଣିଷ ଭୁଲ୍‌ରୁ ଶିକ୍ଷାଲାଭ କରିଥାଏ। ଯଦି ଭୁଲ୍‌ ନ କରିବା ପାଇଁ ମଣିଷ ସଚେତନ ହୁଅନ୍ତା ତେବେ କ୍ଷମାର ନଜରବନ୍ଦୀରୁ ମୁକ୍ତି ପାଇପାରନ୍ତା। ମାତ୍ର ବାରମ୍ବାର କ୍ଷମା ଭିକ୍ଷା ବିଶ୍ୱାସ ଓ ସମ୍ପର୍କକୁ କ୍ଷତି ପହଞ୍ଚାଇଥାଏ। କାରଣ ସେତେବେଳେ ବ୍ୟକ୍ତି ପ୍ରାୟତଃ ପ୍ରତାରଣା ବା ଉତ୍ତରଦାୟିତ୍ୱର ଅଭାବ ସହ ଜଡ଼ିତ ହୋଇଥାଏ। ଅସ୍ବାଭାବିକତା ବା ନକାରାତ୍ମକ ପରିଣାମକୁ ଏଡ଼ାଇବା ପାଇଁ କ୍ଷମା ଏକ ସରଳ ଉପାୟ। ଅତଏବ ଅନେକ ସମୟରେ କ୍ଷମା ଭିକ୍ଷା ବା କ୍ଷମାକୁ ଏକ ତ୍ରାହିର ଆଧାର କରିବା ଅପେକ୍ଷା ସଚ୍ଚୋଟତା ଓ ଉତ୍ତରଦାୟିତ୍ୱର ଅଭ୍ୟାସ କରିବା ଗୁରୁତ୍ୱପୂର୍ଣ୍ଣ। କ୍ଷମା କରିବାର ଅର୍ଥ କ୍ଷମା ମାଗିବାକୁ ପ୍ରଥମେ ବୁଝାଇଥାଏ, ଯାହା ଥାଏ ଅନ୍ୟର ଦୟା ଓ ଅନୁକମ୍ପା ତଥା ବଦାନ୍ୟତା। ମାତ୍ର ବ୍ୟକ୍ତି ସ୍ବାଭିମାନ ଓ ଆତ୍ମମର୍ଯ୍ୟାଦାକୁ ଆଧାରକରି ଯଥେଷ୍ଟ ଯତ୍ନବାନ୍‌ ହୋଇ କ୍ଷମାର ଆବଶ୍ୟକତାକୁ ଉପଲବ୍ଧି କରିବା ଉଚିତ। କ୍ଷମା ଓ ବାସ୍ତବତା ପରିସ୍ଥିତି ପ୍ରତି ଭିନ୍ନ ଆଭିମୁଖ୍ୟକୁ ପ୍ରତିପାଦିତ କରେ, ବିଶେଷତଃ ଯେତେବେଳେ ଘଟଣା ଯୋଜନା ଅନୁଯାୟୀ ହୁଏ ନାହିଁ। ଅନେକ ସମୟରେ ବ୍ୟକ୍ତି କ୍ରୋଧ ଓ ଅନ୍ୟ ଉପରେ ଆକ୍ରୋଶ ରଖି କିଛି ଭୁଲ୍‌ କରିଥାଏ ଏବଂ ଫଳ ସ୍ବରୂପ ପୁଣି ନିଜକୁ ରକ୍ଷାକରିବା ବା ଦୋଷମୁକ୍ତ କରିବା ପାଇଁ କ୍ଷମା ପ୍ରାର୍ଥୀ ହୋଇଥାଏ। ଆଜିକାଲି ସମାଜରେ ମଣିଷ ହିତାହିତ ଜ୍ଞାନ ନ ରଖି ସମାଜରେ ପରିବାରରେ ତଥା ସର୍ବଜନରେ ଅକରଣୀୟ କାର୍ଯ୍ୟ କରୁଛି। ପରିସ୍ଥିତିକୁ ସନ୍ତୁଳିତ କରିବା ପାଇଁ ଓ ନିଜକୁ ବଞ୍ଚାଇବା ପାଇଁ କ୍ଷମା ପ୍ରାର୍ଥୀ ହେଉଛି। ପ୍ରତ୍ୟେକ କଥାରେ ମୋତେ କ୍ଷମାକର କହି ନିଜକୁ ଗୌଣ କରୁଛି।
କ୍ଷମା ଏକ ମହତ୍‌ ଗୁଣ, ମାତ୍ର ଏହାର ଶ୍ରେୟଃ ତାହା ପାଇଁ, ଯିଏ କ୍ଷମା ପ୍ରଦାନ କରେ। ଯିଏ କ୍ଷମା ପ୍ରାର୍ଥୀ ହୁଏ ସେ ନିଜକୁ କେତେ ନିମ୍ନ ମନେକରେ ତାହା ସ୍ବାଭିମାନୀ ବ୍ୟକ୍ତି ଅନୁଭବ କରିଥାଏ। ଭାରତୀୟ ସମ୍ବିଧାନରେ ବ୍ୟକ୍ତିର ଗର୍ହିତ ଭୁଲ୍‌ ବା ତ୍ରୁଟି ପାଇଁ ଦୋଷୀର ଦଣ୍ଡ କୋହଳକରି ଜେଲରୁ ମୁକ୍ତି ଦିଆଯାଏ। ଅତିରିକ୍ତ ଭାବରେ ରାଷ୍ଟ୍ରପତି ମୃତ୍ୟୁଦଣ୍ଡ ପାଇଥିବା ବ୍ୟକ୍ତିକୁ ମଧ୍ୟ କ୍ଷମାକରି କୋହଳ କରିଥାନ୍ତି ଯାହା ନିର୍ଭର କରିଥାଏ ବ୍ୟକ୍ତିର ଚରିତ୍ର, ବ୍ୟବହାର ଓ ଦୋଷର ଗଭୀରତା ଉପରେ। ରାମାୟଣ, ମହାଭାରତ, ଭାଗବଦ୍‌ ଗୀତା ଆଦି ଗ୍ରନ୍ଥରେ ଏପରିକି ବାଇବେଲ, କୋରାନ ଆଦିରେ ଭଗବାନ୍‌ ମଣିଷକୁ ଅନେକ କ୍ଷେତ୍ରରେ କ୍ଷମାଦେଇ ତାକୁ ସଂଶୋଧିତ ହେବା ପାଇଁ ସୁଯୋଗ ଦେଇଛନ୍ତି। ମାତ୍ର ମଣିଷ ସେ ସଂଶୋଧନକୁ କମ୍‌ ବ୍ୟବହାର କରି ଭୁଲ୍‌ର ପୁନରାବୃତ୍ତି କରିଚାଲିଛି ଏବଂ ଆତ୍ମ ସ୍ବାର୍ଥ ପାଇଁ କ୍ଷମା ମାଗୁଛି।
ମହାଭାରତରେ, ବିଭିନ୍ନ ଚରିତ୍ରମାନେ ସେମାନଙ୍କର କାର୍ଯ୍ୟ ପାଇଁ କ୍ଷମା ପ୍ରାର୍ଥୀ ହୋଇଛନ୍ତି। ସେମାନଙ୍କ କାର୍ଯ୍ୟକୁ ଯଥାର୍ଥ କିମ୍ବା ଦୋଷକୁ ଦୂରେଇରଖିବା ପାଇଁ କ୍ଷମାକୁ ଏକ ମାଧ୍ୟମ ଭାବେ ବ୍ୟବହାର କରାଯାଇଥିଲା। ରାମାୟଣରେ ମଧ୍ୟ କାର୍ଯ୍ୟ କିମ୍ବା ନିଷ୍ପତ୍ତିକୁ ଯଥାର୍ଥ କରିବା ପାଇଁ କ୍ଷମା ପ୍ରାୟତଃ ବ୍ୟବହୃତ ହୋଇଛି। ବିଶେଷତଃ ଯେଉଁ ପରିସ୍ଥିତିରେ ଚରିତ୍ରମାନେ ଧାର୍ମିକ ଆଚରଣରୁ ବିଚ୍ୟୁତ ହୋଇଛନ୍ତି ବା ନୈତିକ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇଛନ୍ତି। ଆଧୁନିକ ସମାଜରେ ସମ୍ପ୍ରତି ନିଜର ଆକ୍ରୋଶ, ଈର୍ଷା ବା ପ୍ରତିଶୋଧକୁ ଶାନ୍ତିକରିବା ପାଇଁ ଅନେକ କ୍ଷେତ୍ରରେ କେତେଜଣ ନିରୀହ ବ୍ୟକ୍ତିଙ୍କୁ ମଧ୍ୟ ନିର୍ଦ୍ଦୋଷରେ ଘଟଣାଚକ୍ରରେ ଦୋଷୀ ସାବ୍ୟସ୍ତ କରି ଭୁଲ୍‌ ନ ଥାଇ ଭୁଲ୍‌କୁ ସ୍ବୀକାରକରାଇ କ୍ଷମା ପ୍ରାର୍ଥୀ କରି ନିଜେ ଆନନ୍ଦିତ ହୋଇଥାନ୍ତି। ଅତଏବ କ୍ଷମାର ମହନୀୟ ଚିନ୍ତାଧାରାରେ ମଣିଷ ମାର୍ଜିତ ଓ ପରିମାର୍ଜିତ ହୋଇ ଭୁଲ୍‌ର ବାରମ୍ବାର ପୁନରାବୃତ୍ତି ନ ହେବା ପାଇଁ ଯତ୍ନବାନ୍‌ ହେବା ଉଚିତ, ଯେଉଁଠି ନ ଥିବ ବାରମ୍ବାର ଅନୁରୋଧର ଅନିଚ୍ଛାକୃତ ଶବ୍ଦ ପ୍ରବାହ ‘ମୋତେ କ୍ଷମା’ କର।

ଡ. ସତ୍ୟ ନାରାୟଣ ମିଶ୍ର
ସହାୟକ ନିର୍ଦ୍ଦେଶକ, ଜାତୀୟ ଅଭିଲେଖାଗାର, ଭାରତ ସରକାର,ଭୁବନେଶ୍ୱର
ମୋ: ୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri