ଭୁବନେଶ୍ୱର,୧୭।୬(ତ୍ରିନାଥ ମହାନ୍ତି): ବଦଳି ପାଇଁ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଦସ୍ତଖତକୁ ଜାଲ୍ କରିବା ଏବଂ ସରକାରୀ ଡି.ଓ. ପ୍ୟାଡ୍ର ଦୁରୁପଯୋଗ କରିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ନିରଞ୍ଜନ କୁମାର ସାହା କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ୍ ନଂ. ୪୭୩/୨୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବାଂସପାଳ ବ୍ଲକ୍ ସହକାରୀ ଯନ୍ତ୍ରୀ ମୋନାଲିସା ବେହେରା ଏବଂ ହରିଚନ୍ଦ୍ରପୁର ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମଙ୍କ ନାମରେ ମାମଲା ରୁଜୁ କରାଯାଉଛି।
ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ନିରଞ୍ଜନ କୁମାର ସାହା କ୍ୟାପିଟାଲ ଥାନା ଆଇଆଇସିଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ ରହିଛି ଯେ, ବାଂସପାଳ ବ୍ଲକର ସହକାରୀ ଯନ୍ତ୍ରୀ ମୋନାଲିସା ବେହେରା ଏବଂ ହରିଚନ୍ଦନପୁର ବ୍ଲକ୍ର ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମ ଉପବାଚସ୍ପତିଙ୍କ ଜାଲ ଦସ୍ତଖତ ଏବଂ ତାଙ୍କ କାର୍ଯ୍ୟାଳୟର ଅଧିକୃତ ଡି.ଓ. ପ୍ୟାଡ ବ୍ୟବହାର କରି ଜାଲ ଦସ୍ତାବେଜ ପ୍ରସ୍ତୁତ କରିଥିଲେ। ପରେ ତାହାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିକଟରେ ଦାଖଲ କରି ସୁନ୍ଦରଗଡ଼ ଜିଲ୍ଲାର ବରଗଁା ଓ ସଦର ବ୍ଲକକୁ ବଦଳି ହେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।
ଉପବାଚସ୍ପତିଙ୍କ କାର୍ଯ୍ୟାଳୟ ସ୍ପଷ୍ଟ କରିଛି ଯେ, ଉକ୍ତ ଚିଠିଗୁଡ଼ିକ କେବେ ବି ତାଙ୍କ କାର୍ଯ୍ୟାଳୟରୁ ଜାରି କିମ୍ବା ଅନୁମୋଦିତ ହୋଇନାହିଁ। ତେଣୁ ଏହା ସରକାରୀ ଦସ୍ତାବେଜ ଜାଲିଆତି, ପରିଚୟ ଜାଲିଆତି, ଆପରାଧିକ ଷଡଯନ୍ତ୍ର ଓ ସୂଚନା ପ୍ରଯୁକ୍ତି ଆଇନ ଉଲ୍ଲଂଘନ ଭଳି ଗୁରୁତର ଅପରାଧ ଶ୍ରେଣୀରେ ଆସୁଛି। ଏହି ଘଟଣାରେ ତୁରନ୍ତ ଏଫଆଇଆର୍ ରୁଜୁ କରି ଆଇନ ଅନୁଯାୟୀ କଡ଼ା ପଦକ୍ଷେପ ନେବାକୁ କ୍ୟାପିଟାଲ ଥାନା ପୋଲିସକୁ ଅନୁରୋଧ କରାଯାଇଛି। ଏନେଇ କ୍ୟାପିଟାଲ ଥାନା ଅଧିକାରୀ ରାଧାକାନ୍ତ ସାହୁ କହିଛନ୍ତି, ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ କରୁଛି। ଆବଶ୍ୟକ ହେଲେ ଦୁଇ ଯନ୍ତ୍ରୀଙ୍କ ମତାମତା ଲୋଡ଼ିବୁ। ସେମାନଙ୍କ ବିରୋଧରେ ପ୍ରମାଣ ମିଳିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।