ଯୁଗେ ଯୁଗେ ଇଚ୍ଛାମୃତ୍ୟୁ

ଣସି କାରଣରୁ ବ୍ୟକ୍ତି ଇଚ୍ଛାକରି ମୃତ୍ୟୁକୁ ଆଦରି ନେବା ହେଉଛି ଇଚ୍ଛାମୃତ୍ୟୁ, ଯାହା ପୁରାଣ ପୃଷ୍ଠା ମଣ୍ଡନକରି ପାଠକର ମନ ହୃଦୟକୁ ଆନ୍ଦୋଳିତ କରେ। ରାମାୟଣ ଯୁଦ୍ଧର ଅବସାନ ପରେ ଶ୍ରୀରାମ ସୀତାଙ୍କୁ ଲଙ୍କାରୁ ଉଦ୍ଧାର କରି ଆଣିଲେ ସତ; କିନ୍ତୁ ଲୋକ ସନ୍ଦେହ ଦୂର କରିବା ଉଦ୍ଦେଶ୍ୟରେ ସୀତାଙ୍କ ସତିତ୍ୱ ପରୀକ୍ଷା କରିବା ଆଳରେ ପ୍ରଜ୍ୱଳିତ ଅଗ୍ନିସ୍ନାନ କରିବା ପାଇଁ ନିର୍ଦ୍ଦେଶ ଦେଲେ। ଅଯୋଧ୍ୟାରେ କିଛିଦିନ ରହିବା ପରେ ରାତିରେ ଛଦ୍ମବେଶରେ ନଗର ପରିକ୍ରମା କରୁଥିବା ସମୟରେ ଶ୍ରୀରାମଙ୍କ କର୍ଣ୍ଣଗୋଚର ହେଲା ରଜକ ଓ ତା’ ସ୍ତ୍ରୀଙ୍କ ମଧ୍ୟରେ ହେଉଥିବା କଳହ। କଳହର କେନ୍ଦ୍ରବିନ୍ଦୁ ଥିଲେ ମା’ ସୀତା। ରଜକୀର ଅଭିଯୋଗ ଥିଲା ରାବଣପୁରୀରେ ଏତେକାଳ ରହିଥିଲେ ମଧ୍ୟ ସୀତାଙ୍କର ଚରିତ୍ର ଯଦି ଶୁଦ୍ଧ ହୋଇପାରିଲା ଏବଂ ଶ୍ରୀରାମ ତାଙ୍କୁ ପନତ୍ୀରୂପେ ଗ୍ରହଣ କଲେ ମୁଁ ପିତା ଗୃହରେ କିଛିଦିନ ରହି ଆସିବା ପରେ ମୋର ସତିତ୍ୱ କ’ଣ ନଷ୍ଟ ହୋଇଗଲା?
ଏକଥା ଶୁଣି ଶ୍ରୀରାମ ସ୍ତ୍ରୀ ସୀତାଙ୍କୁ ବନବାସ ଦଣ୍ଡ ଦେଲେ। ସେତେବେଳେ ସୀତା ଅନ୍ତଃସତ୍ତ୍ୱା ଥିବା ଜାଣି ମଧ୍ୟ ଶ୍ରୀରାମ ଅନୁଜ ଲକ୍ଷ୍ମଣଙ୍କୁ ନିର୍ଦ୍ଦେଶ ଦେଲେ ସୀତାଙ୍କୁ ଗଙ୍ଗାତୀରସ୍ଥ ବନରେ ଛାଡ଼ି ଆସିବା ପାଇଁ।
ବାଲ୍ମୀକି ଆଶ୍ରମରେ ସୀତା ଲବକୁଶ ଯମଜ ସନ୍ତାନଙ୍କୁ ଜନ୍ମଦେଲେ। ମହର୍ଷି ବାଲ୍ମୀକି ରାମାୟଣ ରଚନା କରି ଲବକୁଶ ଓ ସୀତାଙ୍କୁ ସଙ୍ଗରେ ନେଇ ଅଯୋଧ୍ୟାରେ ଉପସ୍ଥିତ ହେଲେ।
ସେଠାରେ ମଧ୍ୟ ସୀତାଙ୍କୁ ପୁନର୍ବାର ଅଗ୍ନି ପରୀକ୍ଷା ଦେବାକୁ ଆଦେଶ ମିଳିଲା। ହେଲେ ସୀତା ଧରିତ୍ରୀ ମା’ଙ୍କୁ ଆକୁଳ ପ୍ରାର୍ଥନା କଲେ ତାଙ୍କ କୋଳରେ ସ୍ଥାନ ଦେବା ପାଇଁ। ଧରିତ୍ରୀ ସୀତାଙ୍କୁ କୋଳରେ ଧରି ଭୂଗର୍ଭକୁ ଚାଲିଗଲେ। ଏହା ସୀତାଙ୍କର ଇଚ୍ଛାମୃତ୍ୟୁ ଭିନ୍ନ ଆଉ କ’ଣ ହୋଇପାରେ?
ସାରଳା ମହାଭାରତର ଅନୁସରଣରେ ଯେଉଁ ରୋଚକ କଥାଟି ଜନ ସମକ୍ଷକୁ ଆସେ ତାହା ହେଉଛି ପିତାମହ ଭୀଷ୍ମଙ୍କର ଇଚ୍ଛାମୃତ୍ୟୁ। ଗଙ୍ଗା ଦେବୀ ଯୌବନ କାଳରେ ତ୍ରିଲୋଚନ ଶିବଙ୍କୁ ପତିରୂପେ ପାଇବା ପାଇଁ ସଂକଳ୍ପ ନେଇଥିଲେ। କିନ୍ତୁ ତିନିଯୁଗ ଅତିକ୍ରାନ୍ତ ହେବାକୁ ବସିଥିଲେ ମଧ୍ୟ ଶିବଙ୍କର କୌଣସି ଠିକଣା ମିଳିଲା ନାହିଁ। ଏଣେ ପିତା ନିର୍ଘାତଋଷି କନ୍ୟାର ବିବାହ ନେଇ ବିଚଳିତ ହୋଇପଡ଼ିଲେ। କରୁନନ୍ଦନ ଶାନ୍ତନୁଙ୍କ ସହ ବିବାହ ଦେବାର ଆୟୋଜନ କରିବାରୁ ଗଙ୍ଗା ଦେବୀ ଅପ୍ରସନ୍ନ ହେଲେ। ଶିବଙ୍କର ଇଚ୍ଛାରେ ଶାନ୍ତନୁ ରୁଦ୍ରାବତାର ଧାରଣ କରି ହାତରେ ପିନାକ ଧନୁ, ତ୍ରିଶୂଳ ଓ ଡମ୍ବରୁଧରି ନିର୍ଘାତ ଋଷିଙ୍କ କୁଟୀରରେ ଉପସ୍ଥିତ ହେଲେ। ଗଙ୍ଗାଦେବୀ ଶାନ୍ତନୁଙ୍କୁ ଶିବ ମନେକରି ତାଙ୍କୁ ପତିରୂପେ ବରଣ କଲେ। କିନ୍ତୁ ପରେ ଗଙ୍ଗାଦେବୀ ଜ୍ଞାତ ହେଲେ ଯେ ସେ ଶିବ ନୁହନ୍ତି। ସେହି ମୁହୂର୍ତ୍ତରୁ ଗଙ୍ଗାଦେବୀ ସ୍ବାମୀଙ୍କ ପ୍ରତି ବିମୁଖ ହୋଇ ତାଙ୍କର ଔରସରୁ ଜନ୍ମିଥିବା ଷଡ଼ ପୁତଙ୍କୁ ବଧକଲେ। ସପ୍ତମ ପୁତ୍ର ଜନ୍ମ ହେବାକ୍ଷଣି ଶାନ୍ତନୁ ଅନ୍ତୁଡିଶାଳରେ ଝଡ଼ଭଳି ପ୍ରବେଶକରି ପୁତ୍ରକୁ ଗଙ୍ଗା କୋଳରୁ ଛଡ଼ାଇ ଆଣିଲେ ଓ ତାଙ୍କୁ ତତ୍‌କ୍ଷଣାତ୍‌ ଇଚ୍ଛାମୃତ୍ୟୁ ବରଦାନ ଦେଇ ପୁତ୍ରର ନାମ ଭୀଷ୍ମ ରଖିଲେ। ମହାଭାରତ ଯୁଦ୍ଧର ଦଶମ ଦିବସରେ ଅମ୍ବାରୂପୀ ଶୀଖଣ୍ଡିଙ୍କୁ ବିପକ୍ଷର ସେନାପତି ରୂପେ ଦେଖି ଭୀଷ୍ମଙ୍କର ସମସ୍ତ ବଳବୀର୍ଯ୍ୟ ଲୋପ ପାଇଲା। ଅର୍ଜୁନ କତ୍ତୃକ ଶରଶଯ୍ୟାରେ ରହି ସେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତିକୁ ଅପେକ୍ଷା କଲେ ଓ ଶେଷରେ ଇଚ୍ଛାମୃତ୍ୟୁ ବରଣ କଲେ।
ମଣିଷ ଜୀବନରେ ଦୁଇଟି ବିଶେଷତ୍ୱ ହେଲା ଆବେଗହୀନ ପ୍ରଜ୍ଞା ଓ ପ୍ରଜ୍ଞା ବିହୀନ ଆବେଗ।
ସ୍ବାମୀ ସୁଖବୋଧାନନ୍ଦଙ୍କ ମତରେ ବ୍ୟକ୍ତି ଯେତେବେଳେ ପ୍ରଜ୍ଞାବିହୀନ ଆବେଗର ବଶୀଭୂତ ହୁଏ, ସେତେବେଳେ ସେ ଭଲ ମନ୍ଦ ବୁଝିବାର ଶକ୍ତି ହରାଇ ଆମତ୍ହତ୍ୟାର ପଥ ବାଛିନିଏ। କାରଣ ପ୍ରଜ୍ଞା ତା’ଠାରୁ ବିଚ୍ଛିନ୍ନ ହୋଇଯାଏ। କେବଳ ଆବେଗ ସର୍ବସ୍ବ ହୋଇ ସେ ଭୁଲ୍‌ ସିଦ୍ଧାନ୍ତ ନେଇ ଆମତ୍ହତ୍ୟା କରେ। ପ୍ରଜ୍ଞା ବିହୀନ ଆବେଗ ମଣିଷକୁ କେବଳ ଆବେଗରେ ବଶୀଭୂତ କରି ରଖେ ଓ ପ୍ରଜ୍ଞାର ଅଭାବରୁ ସେ ଆମତ୍ହତ୍ୟା ରୂପକ ଇଚ୍ଛାମୃତ୍ୟୁକୁ ଆଦରି ନିଏ।
ସାଂପ୍ରତିକ ସମୟରେ ଇଚ୍ଛାମୃତ୍ୟୁର ଏକ ଭିନ୍ନ ସଂଜ୍ଞା ବହୁଦେଶରେ ପ୍ରଚଳିତ। ଏ ପ୍ରକାର ଇଚ୍ଛାମୃତ୍ୟୁ ମୃତକ ଉପରେ ନିର୍ଭର କରେନା। ବରଂ ବ୍ୟକ୍ତିର ମାତା ପିତା ଇଚ୍ଛାମୃତ୍ୟୁର ସନନ୍ଦ ଧରି ବିଚାରାଳୟର ଦ୍ୱାରସ୍ଥ ହୁଅନ୍ତି।
କୌଣସି ଦୁରାରୋଗ୍ୟ ରୋଗ ଭୟଙ୍କର ଦୁର୍ଘଟଣା ଓ ଅନ୍ୟକିଛି ଘାତକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ପୀଡ଼ିତ ବ୍ୟକ୍ତିଟି ଦୀର୍ଘଶର୍ଯ୍ୟାଶାୟୀ ହୋଇ କେବଳ ଏକ ଜୀବନ୍ତ ଶବର ରୂପଧାରଣ କରି ବିଛଣାରେ ପଡ଼ିରହେ। ଶରୀର ଇହଜଗତରେ ଥିଲେ ମଧ୍ୟ ସେ ମୃତ୍ୟୁରାଜ୍ୟରେ ପହଞ୍ଚତ୍ ସାରିଥାଏ।
ତେଣୁ ମା’ ବାପା ବିଚାରାଳୟରେ ପିଲାର ମୃତ୍ୟୁ ଭିକ୍ଷା କରନ୍ତି। ନିକଟରେ ଭାରତରେ ପ୍ରଥମ ଇଚ୍ଛାମୃତ୍ୟୁ ବିଚାରାଳୟରେ ସ୍ବୀକୃତି ଲାଭ କରିଛି। ୨୦୧୩ରେ ପଞ୍ଜାବ ବିଶ୍ୱବିଦ୍ୟାଳୟର କୃତୀ ଛାତ୍ର ହରିଶ୍‌ ରାଣା ହଷ୍ଟେଲ କୋଠାର ଚତୁର୍ଥ ମହଲାରୁ ଖସିପଡି ଗୁରୁତର ଆହତ ହେଲେ। ଦୀର୍ଘ ୧୩ବର୍ଷ ସେ ଶଯ୍ୟାରେ ପଡିରହିଥିଲେ। ତାଙ୍କ ମାତା ପିତା ତା’ର କଷ୍ଟ ଦେଖି ନ ପାରି ତାକୁ ମୁକ୍ତିଦେବା ପାଇଁ କୋର୍ଟର ଦ୍ୱାରସ୍ଥ ହେଲେ। ସର୍ବୋଚ୍ଚ ନ୍ୟାୟାଳୟ ଭାରତବର୍ଷର ପ୍ରଥମ ଇଚ୍ଛାମୃତ୍ୟୁକୁ ଅନୁମତି ଦେଲେ। ଶେଷରେ ୨୦୨୬ ମାର୍ଚ୍ଚ ୨୫ରେ ହରିଶ୍‌ ରାଣାଙ୍କର ଜୀବନର ଅବସାନ ଘଟିଲା।
ଏହା ପୂର୍ବରୁ ୧୯୭୩ ନଭେମ୍ବର ୨୭ରେ ମୁମ୍ବାଇର କିଙ୍ଗ୍‌ ଏଡ୍‌ୱାଡ୍‌ ମେମୋରିଆଲ ହସ୍ପିଟାଲର ୨୫ ବର୍ଷୀୟା ନର୍ସ ଅରୁଣା ସାନବାଗ୍‌ ସେହି ହସ୍ପିଟାଲର ୱାର୍ଡବୟ ମୋହନଲାଲଙ୍କ ଦ୍ୱାରା ବଳାକତ୍ାରର ଶିକାର ହୋଇଥିଲେ। ଅରୁଣା ବଞ୍ଚତ୍ ଯାଇଥିଲେ ସିନା; କିନ୍ତୁ କେବଳ ଏକ ଜୀବନ୍ତ ଶବ ଭଳି ମେଡିକାଲ ଖଟରେ ପଡିରହିଥିଲେ।
ଦୀର୍ଘ ୪୨ବର୍ଷ ସେ ମେଡିକାଲ ବେଡରେ ପଡିରହି ଚିକିତ୍ସିତ ହେଲେ। ତାଙ୍କ ପରିବାର ତରଫରୁ ତାଙ୍କର ଇଚ୍ଛାମୃତ୍ୟୁର ଆବେଦନକୁ ସର୍ବୋଚ୍ଚ ବିଚାରାଳୟ ସେତେବେଳେ ଅଗ୍ରାହ୍ୟ କରିଥିଲେ। ଶେଷରେ ୨୦୧୫ ମେ ୧୮ରେ ଅରୁଣାଙ୍କର ମୃତ୍ୟୁ ଘଟିଲା। ବିଚାରାଳୟ ତାଙ୍କ ଇଚ୍ଛାମୃତ୍ୟୁ ଅଗ୍ରାହ୍ୟ କରିବାର ଅନ୍ୟତମ କାରଣ ଥିଲା ଅରୁଣା ଖାଦ୍ୟଗ୍ରହଣ କରିପାରୁଥିଲେ ଓ ସମୟେ ସମୟେ କିଛି ପ୍ରତିକ୍ରିୟା ପ୍ରକାଶ କରୁଥିଲେ। ଇଚ୍ଛାମୃତ୍ୟୁ ସମ୍ବନ୍ଧରେ ବିଚାରାଳୟଙ୍କ ସ୍ପଷ୍ଟ ମତ ହେଲା ଯେ ଯଦି କୌଣସି ବ୍ୟକ୍ତି ସୁସ୍ଥ ହୋଇ ତା’ ଚିରାଚରିତ ଜୀବନକୁ ଫେରିବାର ସମସ୍ତ ସମ୍ଭାବନା ବନ୍ଦ ହୋଇଯାଏ ତେବେ ତାକୁ ଇଚ୍ଛାମୃତ୍ୟୁ ଦେବାର କୌଣସି ଅସୁବିଧା ନାହିଁ; ଯେପରି ହରିଶ ରାଣାଙ୍କୁ ଦିଆଗଲା।

ବୈକୁଣ୍ଠନାଥ ମିଶ୍ର
ସିଦ୍ଧଳ, ଜଗତ୍‌ସିଂହପୁର ମୋ:୯୯୩୭୪୫୦୫୪୦

Dharitri – Odisha’s No.1 Odia Daily

Share