ଦାରିଙ୍ଗବାଡ଼ି,୧୫ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳର ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନାଞ୍ଚଳ ପକ୍ଷରୁ ଅଭିନବ ପ୍ରୟାସ ଆରମ୍ଭ ହୋଇଛି। ପୂର୍ବରୁ ଜିପ୍ ଧରି ପାଟ୍ରୋଲିଂ କରାଯାଉଥିବା ବେଳେ ଏବେ କାଠ ମାଫିଆ ଓ ଅବାଧରେ ଶିକାର କରୁଥିବା ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବନ ବିଭାଗର ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା ପ୍ରୟାସ ଆରମ୍ଭ କରିଛନ୍ତି। ତାଙ୍କ ବନାଞ୍ଚଳର ଦାରିଙ୍ଗବାଡ଼ି, ସିମନବାଡ଼ି, ବୁଡ଼ାଗୁଡ଼ା ସେକ୍ସନର ଘଞ୍ଚ ଜଙ୍ଗଲ ଓ ପାହାଡ଼ରେ ସଦଳବଳ ପାଦରେ ଚାଲିଚାଲି ପାଟ୍ରୋଲିଂ କରୁଛନ୍ତି। ଦୈନିକ ୧୦ କିଲୋମିଟର ଘାଟି ପାହାଡ଼ରେ ଏହି ପାଟ୍ରୋଲିଂ କରାଯାଉଥିବା ବନାଞ୍ଚଳ ଅଧିକାରୀ କହିଛନ୍ତି। ଏବେ ଜଙ୍ଗଲରେ ବଣୁଆ ହାତୀ କିମ୍ବା ବାଘ ବା ହିଂସ୍ରଜନ୍ତୁ ପ୍ରାୟ ନ ଥିବା ବେଳେ ଠେକୁଆ, ବାର୍ହା ଓ ଅନ୍ୟ ପ୍ରାଣୀ ରହିଛନ୍ତି। ସେମାନଙ୍କ ସୁରକ୍ଷା ନିହାତି ଜରୁରୀ ରହିଥିବା ଅଧିକାରୀ କହିଛନ୍ତି। ଜଙ୍ଗଲରେ ଯଦି ବିଭାଗର କର୍ମଚାରୀ ଓ ଅଧିକାରୀ ନିୟମିତ ପାଦରେ ପାଟ୍ରୋଲିଂ କରନ୍ତି ତେବେ ଜଙ୍ଗଲ ସୁରକ୍ଷିତ ରହିବା ସହ ବନ୍ୟପ୍ରାଣୀଙ୍କ ଯାତାୟାତ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ଏବେ ବିଭାଗର ବନପାଳ ବନିତା ପ୍ରଧାନ ଓ ବୁଡ଼ାଗୁଡ଼ା ବନପାଳ ମନ୍ମଥ ପରିଚ୍ଛା ଓ ଅନ୍ୟ ବନ୍ୟ କର୍ମଚାରୀ ଏକାଧିକ ଦଳ ଗଠନ କରି ପ୍ରତିଦିନ ଏହି ପାଟ୍ରୋଲିଂ କରାଯାଉଥିବା ବନାଞ୍ଚଳ ଅଧିକାରୀ କହିଛନ୍ତି।