ରାଜ୍ୟରେ ଜଙ୍ଗଲ ନିଆଁ ବଢ଼ୁଛି: ଶିମିଳିପାଳରେ କମିଛି

ଭୁବନେଶ୍ୱର, ୧୧।୩(ବ୍ୟୁରୋ): ରାଜ୍ୟରେ ଜଙ୍ଗଲ ନିଆଁ ବଢ଼ୁଛି। ବୁଧବାର ୪୯୭ ପଏଣ୍ଟରେ ନିଆଁ ଲାଗିଥିବା ବେଳେ ଆଜି ଏହି ସଂଖ୍ୟା ବଢ଼ି ୧୦୪୮ରେ ପହଞ୍ଚିଛି। ଜଙ୍ଗଲ ନିଆଁ ପାଇଁ ଗଠିତ ଟାସ୍କଫୋର୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଟାସ୍କଫୋର୍ସ ରିପୋର୍ଟ ଅନୁସାରେ, ଶିମିଳିପାଳ ଅଞ୍ଚଳରେ ନିଆଁ କମିଛି। ପୂର୍ବରୁ ୨୬ଟି ପଏଣ୍ଟରେ ନିଆଁ ଥିବାବେଳେ ଏବେ ୫ଟିରେ ନିଆଁ ରହିଛି।
ଅନ୍ୟପଟେ ବୁଧବାର ପରି ଗୁରୁବାର ମଧ୍ୟ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହୋଇଛି। ଉଦଳା, କପ୍ତିପଦା, ନୀଳଗିରି ବ୍ଲକ ଅଞ୍ଚଳର କିଛି ସ୍ଥାନରେ ଝିପି ଝିପି ବର୍ଷା ହୋଇଛି। ଆସନ୍ତା ଦିନରେ ବର୍ଷା ଲାଗି ରହିଲେ ଶିମିଳିପାଳ ପାଇଁ ଶୁଭଙ୍କର ହେବ ବୋଲି କହିଛନ୍ତି ଅତିରିକ୍ତ ଜଙ୍ଗଲ ସଚିବ ମୋନା ଶର୍ମା। ମୋନା ଶର୍ମା ବାରିପଦାରେ ପହଞ୍ଚି ମୟୂରଭଞ୍ଜ ଜିଲାପାଲ ,ଏସ୍‌ପି, ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ, ଉପନିର୍ଦ୍ଦେଶକଙ୍କ ସହ ଶିମିଳିପାଳର ସ୍ଥିତି ନେଇ ଆଲୋଚନା କରିଥିଲେ।