ଜଙ୍ଗଲ ନିଆଁ ଓ ବନ୍ୟପ୍ରାଣୀ

ଅଲେଖ ଚନ୍ଦ୍ର ସାମଲ

ଆଜି ବିଶ୍ୱ ବନ୍ୟପ୍ରାଣୀ ଦିବସ। ବନ୍ୟ ଜୀବମାନଙ୍କର ଶରୀରର ବିଭିନ୍ନ ଅଂଶକୁ ବେଆଇନ ଭାବେ ଚାଲାଣ କରିବା ଏବେ ବିଶ୍ୱର ଅନ୍ୟତମ ଲାଭଦାୟକ ବ୍ୟାପାର ପାଲଟିଛି। ସେ ହାତୀଦାନ୍ତ ହେଉ ବା ଗଣ୍ଡା ଶିଙ୍ଗ କିମ୍ବା ବାଘ ଶରୀରର ବିଭିନ୍ନ ଅଂଶ। ଚୋରା ଚାଲାଣକାରୀମାନେ ଏହାକୁ ବିକ୍ରି କରି ପ୍ରଚୁର ଅର୍ଥ ରୋଜଗାର କରୁଛନ୍ତି। ବିଶେଷ କରି ଏସିଆ ଏବଂ ଆଫ୍ରିକାରେ ଏହି ବ୍ୟବସାୟର ବଜାର ଖୁବ୍‌ ବ୍ୟାପକ। ଏପରିସ୍ଥଳେ ବିପଦରେ ଥିବା ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୦୧୩ ଡିସେମ୍ବର ୨୦ରେ ଜାତିସଂଘର ସାଧାରଣ ସଭାରେ ମାର୍ଚ୍ଚ ୩ ତାରିଖକୁ ବିଶ୍ୱ ବନ୍ୟପ୍ରାଣୀ ଦିବସ ଭାବେ ପାଳନ କରିବା ଲାଗି ଘୋଷଣା କରାଯାଇଥିଲା। ସେବେଠାରୁ ମାର୍ଚ୍ଚ ୩କୁ ବିଶ୍ୱ ବନ୍ୟପ୍ରାଣୀ ଦିବସ ଭାବେ ପାଳନ କରାଯାଉଛି। ଏହି ଦିନ ବିଲୁପ୍ତ ହୋଇଆସୁଥିବା ବନ୍ୟପ୍ରାଣୀଙ୍କ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସହିତ ବନ୍ୟପ୍ରାଣୀ ଅପରାଧ ବିରୋଧରେ ଲଢ଼ିବାକୁ ଲୋକମାନଙ୍କୁ ପ୍ରେରିତ କରାଯାଏ। ଏହି ଅବସରରେ ଜାତିସଂଘ, ବିଭିନ୍ନ ସଂଗଠନ ପକ୍ଷରୁ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ। ତେବେ ବନାଗ୍ନି ଫଳରେ ଯେଉଁ ଜୈବ ବିବିଧତା ନଷ୍ଟ ହେଉଛି ପରିଶେଷରେ ଅଙ୍ଗାରକାମ୍ଳ ଶୋଷଣର କ୍ଷମତା କମୁଛି, ମୃତ୍ତିକା କ୍ଷୟ ସାଙ୍ଗକୁ ମୃତ୍ତିକାର ଉର୍ବରତା ହ୍ରାସ ପାଉଛି, ତାହା ସବୁ ହିସାବକୁ ନେଲେ କ୍ଷତିର ପରିମାଣ ଯାହା ହେବ ତାହା ଅକଳ୍ପନୀୟ। କାରଣ ଏହାଦ୍ୱାରା ଜଳବାୟୁରେ ବିଭ୍ରାଟ ଦେଖାଦେବା ସାଙ୍ଗକୁ ପରିବେଶ ଅସୁରକ୍ଷିତ ହୋଇପଡ଼ୁଛି; ଯାହାକୁ କୌଣସି ମୂଲ୍ୟରେ ତଉଲିବା ଅସମ୍ଭବ। ଫରେଷ୍ଟ ସର୍ଭେ ଇଣ୍ଡିଆର ରାଜ୍ୟୱାରି ଜଙ୍ଗଲ ନିଆଁ ସମ୍ବନ୍ଧରେ ପ୍ରଦ ତଥ୍ୟ ଏଠାରେ ଉଲ୍ଲେଖଯୋଗ୍ୟ କରାଯିବା ପ୍ରାସଙ୍ଗିକ ମନେହୁଏ। ୨୦୨୦ର ତଥ୍ୟ ଅନୁଯାୟୀ ଆମ ରାଜ୍ୟ ଓଡ଼ିଶାରେ ୪୭,୧୪୫ ବର୍ଗ କିଲୋମିଟର ଜଙ୍ଗଲ ରହିଛି; ଯାହା କି ସମଗ୍ର ଦେଶର ଜଙ୍ଗଲ ଅଞ୍ଚଳର ୭.୩୪ ପ୍ରତିଶତ। ତନ୍ମଧ୍ୟରୁ ୨୫୯୦ ବର୍ଗ କିଲୋମିଟର ଜଙ୍ଗଲ ବନାଗ୍ନିପ୍ରବଣ। ସେହିପରି ଆନ୍ଧ୍ରପ୍ରଦେଶରେ ୪୭,୨୫୬ ବର୍ଗକିଲୋମିଟର ଜଙ୍ଗଲ ମଧ୍ୟରୁ ୧୨୯ ବର୍ଗକିଲୋମିଟର, ଅରୁଣାଚଳ ପ୍ରଦେଶରେ ୬୮,୬୬୧ ବର୍ଗକିଲୋମିଟରରୁ ୧୦୧ ବର୍ଗକିଲୋମିଟର, ଛତିଶଗଡ଼ରେ ୫୭,୪୮୪ ବର୍ଗକିଲୋମିଟର ମଧ୍ୟରୁ ୧୨୧ ବର୍ଗକିଲୋମିଟର, ଝାଡ଼ଖଣ୍ଡରେ ୨୧,୭୪୩ ବର୍ଗକିଲୋମିଟରରୁ ୪୭୨ ବର୍ଗକିଲୋମିଟର, କର୍ନାଟକରେ ୩୨,୩୪୩ ବର୍ଗକିଲୋମିଟରରୁ ୧୦୭ ବର୍ଗକିଲୋମିଟର, ମଧ୍ୟପ୍ରଦେଶରେ ୭୭,୯୧୨ ବର୍ଗକିଲୋମିଟରରୁ ୩୦୯୬ ବର୍ଗକିଲୋମିଟର, ମହାରାଷ୍ଟ୍ରରେ ୪୩,୮୫୯ବର୍ଗକିଲୋମିଟରରୁ ୫୮୪ ବର୍ଗକିଲୋମିଟର ଓ ଉତ୍ତରାଞ୍ଚଳରେ ୨୩,୨୫୪ ବର୍ଗକିଲୋମିଟରରୁ ୪୪୯୨ ବର୍ଗକିଲୋମିଟର ଜଙ୍ଗଲ ନିଆଁ ଲାଗି କ୍ଷତିଗ୍ରସ୍ତ ହୋଇଥାଏ। ଜଳବାୟୁର ଆର୍ଦ୍ରତା ଓ ପବନର ବେଗ ଉପରେ ପ୍ରାକୃତିକ ବନାଗ୍ନି ନିର୍ଭର କରିଥାଏ। ଏହା ସତ୍ୟ ଯେ, ଜଙ୍ଗଲ ମୁଲକରେ ସାଧାରଣତଃ ବସବାସ କରନ୍ତି ଆଦିବାସୀ। ସେମାନେ ନିଜର ଜୀବନଜୀବିକା ପାଇଁ ପୋଡ଼ୁଚାଷ ଉପରେ ନିର୍ଭର କରନ୍ତି। ଖରାଦିନ ଓ ଶୀତଦିନ ଆସିଲେ ସେମାନେ ଏଥିରେ ନିଆଁ ଲଗାଇ ଦେଇଥାଆନ୍ତି। ଏହାଦ୍ୱାରା ଜୈବ ବିବିଧତା ନଷ୍ଟ ହେବା ସହ ବନ୍ୟଜନ୍ତୁ ଓ ବୃକ୍ଷଲତାଗୁଡ଼ିକର ବିଲୋପ ଘଟେ, ବନ୍ୟଜନ୍ତୁଙ୍କ ଆବାସସ୍ଥଳୀ ଉଜୁଡ଼ିଯାଏ। ସେମାନଙ୍କ ବଂଶ ବୃଦ୍ଧି ସୀମିତ ହୋଇଯାଏ। ଅନେକ ଜୀବଜନ୍ତୁଙ୍କର ପ୍ରାଣହାନି କାରଣରୁ ସେମାନଙ୍କ ସଂଖ୍ୟା ହ୍ରାସ ପାଏ। ଗଛ ଧ୍ୱଂସ ପାଉଥିବା ଯୋଗୁ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଶ୍ଲେଷଣରେ ବ୍ୟାଘାତ ଘଟେ। ଫଳରେ ପରିବେଶରେ ଅଙ୍ଗାରକାମ୍ଳର ମାତ୍ରା ବୃଦ୍ଧି ଘଟେ। ଜଙ୍ଗଲ ସମ୍ପଦ ହ୍ରାସ ଯୋଗୁ ବର୍ଷାର ପରିମାଣ ହ୍ରାସ ପାଏ। ଜଙ୍ଗଲ ଉପରେ ନିର୍ଭରଶୀଳ ବନବାସୀମାନଙ୍କର ଜୀବନଜୀବିକା ବିପନ୍ନ ହୁଏ। ଆବାସସ୍ଥଳୀ ଉଜୁଡ଼ିଯିବା କାରଣରୁ ଓ ଜଙ୍ଗଲରେ ମିଳୁଥିବା ଖାଦ୍ୟ ଦୁଷ୍ପ୍ରାପ୍ୟ ହେବାରୁ ବନ୍ୟଜନ୍ତୁମାନେ ଜନପଥକୁ ମାଡ଼ିଆସିବା ଫଳରେ ପଶୁ ମଣିଷ ବିବାଦ ବୃଦ୍ଧି ପାଏ।
ଓଡ଼ିଶାରେ ୧୯୮୮ ପ୍ରଣୀତ ଜାତୀୟ ଜଙ୍ଗଲ ନୀତିରେ ଜଙ୍ଗଲ ନିଅଁାକୁ ରୋକିବା ସହ ଏହାକୁ ପରିଚାଳନା ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସବିଶେଷ ମାର୍ଗଦର୍ଶିକା ରହିଛି। ସାମ୍ପ୍ରତିକ ସୂଚନା ପ୍ରଯୁକ୍ତିର ଜ୍ଞାନକୌଶଳ ଦ୍ୱାରା ଜଙ୍ଗଲ ନିଆଁ ଉପରେ ରୋକ୍‌ ଲଗାଇବା ସହ କେନ୍ଦ୍ର ସରକାର ୨୦୦୦ ମସିହାରେ ଏ ନେଇ କିଛି ନିୟମ ଜାରି କରିଛନ୍ତି। ସେହିପରି ଭାରତୀୟ ଜଙ୍ଗଲ ଆଇନରେ ଜଙ୍ଗଲରେ ନିଅଁା ଲଗାଇବା ଏକ ଦଣ୍ଡନୀୟ ଅପରାଧ ଭାବେ କଡ଼ାକଡ଼ି ଉଲ୍ଲେଖ ରହିଛି। ଏଥିରେ ଜଙ୍ଗଲ ଉପରେ ନିର୍ଭରଶୀଳ ସ୍ଥାନୀୟ ଲୋକଙ୍କୁ ଜଙ୍ଗଲ ନିଆଁ ରୋକିବା ପାଇଁ ସାମିଲ କରିବାକୁ ବ୍ୟବସ୍ଥା ରହିଛି। ଜଙ୍ଗଲ ପୋଡ଼ି ରୋକିବାକୁ ଓଡ଼ିଶା ଜଙ୍ଗଲ ଅଧିନିୟମ ୧୯୭୯ ବିଶେଷ ଭାବେ ପ୍ରସ୍ତୁତ ହୋଇଛି। ଏଥିରେ ସଂରକ୍ଷିତ ଓ ଖୋଲା ଜଙ୍ଗଲରେ ନିଆଁ ଲଗାଇବାକୁ ସମ୍ପୂର୍ଣ୍ଣ ନିଷେଧ କରାଯିବା ସହ ଜଙ୍ଗଲ ପାଖରେ ନିଆଁର ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଓଡ଼ିଶା ଜଙ୍ଗଲ (ସଂଶୋଧନ) ଆଇନ ୨୦୦୧ର ୨୭ ଧାରାର ଉପଧାରା (କ)୧ରେ ଜଙ୍ଗଲରେ ନିଆଁ ଲଗାଇବା ଓ ଜଳନ୍ତା ନିଆଁକୁ ଛାଡ଼ି ଆସିବା ଭଳି କାର୍ଯ୍ୟ କଲେ ଜେଲ ଓ ଜରିମାନାର ବ୍ୟବସ୍ଥା ମଧ୍ୟ ରହିଛି। ଜଙ୍ଗଲରେ କୌଣସି କାରଣବଶତଃ ଅଗ୍ନି ଦେଖାଯିବା ମାତ୍ରେ ନିକଟସ୍ଥ ଗ୍ରାମଗୋଷ୍ଠୀକୁ ସୂଚିତ କରାଇବା ଦ୍ୱାରା ସେମାନେ ନିଆଁ ଲିଭାଇବାକୁ ଉଦ୍ୟମ କରିବା, ଗ୍ରାମରେ ଆଇନ କରି ଜଙ୍ଗଲ ନିଆଁ ଆଇନ ଉଲ୍ଲଂଘନକାରୀଙ୍କୁ ଦଣ୍ଡିତ କରିବା, ଶିକାର, ଲଘୁବନଜାତ ଦ୍ରବ୍ୟ ସଂଗ୍ରହ, ଫସଲ ସୁରକ୍ଷା, ପୋଡ଼ୁଚାଷ ପାଇଁ ନିଆଁର ବ୍ୟବହାରକୁ ନିଷିଦ୍ଧ କରିବା ସକାଶେ କ୍ଷମତା ପ୍ରଦାନ କରାଯାଇଛି। ଜଣାଯାଇଛି ଯେ, ଓଡ଼ିଶାରେ ୨୦୦୫ ମସିହାରେ ଯେଉଁ ପରିମାଣରେ ଜଙ୍ଗଲ ପୋଡ଼ି ହୋଇଥିଲା ତାହା ସମଗ୍ର ଦେଶରେ ତୃତୀୟ ଏବଂ ଏହାର ପରିମାଣ ୫.୪୯ ପ୍ରତିଶତ।
ଆମ୍ଭେମାନେ ପ୍ରକୃତିଦତ୍ତ ଜଙ୍ଗଲ ସମ୍ପଦ ନଷ୍ଟ କରୁଥିବାରୁ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଛୁ। କେବଳ ଭାରତରେ ନୁହେଁ, ଭୟାବହ ଜଙ୍ଗଲ ନିଅଁା, ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଅପୂରଣୀୟ କ୍ଷତି କରୁଛି। ବହୁ ବିଳମ୍ବରେ ହେଲେ ବି ଭାରତରେ ଅତ୍ୟାଧୁନିକ ବ୍ୟବସ୍ଥା ମାଧ୍ୟମରେ ଜଙ୍ଗଲ ନିଅଁାକୁ ଆୟ କରିବାର ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ସେହିପରି ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସରକାର କଡ଼ାକଡ଼ି ଆଇନ କରିବା ପରେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଅନେକ ସାମାଜିକ ଅନୁଷ୍ଠାନ ନିୟମିତ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ଜଙ୍ଗଲରେ କେଉଁଠି ନିଆଁ ଲାଗୁଛି ତାହା ଉପରେ ନଜର ରଖିବା ପାଇଁ ବିଦେଶୀ ରାଷ୍ଟ୍ରଗୁଡ଼ିକରେ ଜଙ୍ଗଲ ଭିତରେ ନିରୀକ୍ଷଣ ମଞ୍ଚ ପ୍ରସ୍ତୁତ କରାଯାଇ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟ ନେଇ ନିୟମିତ ପହରାର ବ୍ୟବସ୍ଥା ହୋଇଛି। ନିରୀକ୍ଷଣ ମଞ୍ଚରେ ଦିଗ ନିର୍ଣ୍ଣାୟକ ଯନ୍ତ୍ର ମଧ୍ୟ ଲଗାଯାଇଛି, ଯାହାଫଳରେ ଜଙ୍ଗଲ ଉପରେ ଠିକ୍‌ ନଜର ରଖାଯାଇପାରୁଛି।
ନିଆଁ ଲାଗିଥିବା ଜଙ୍ଗଲ ଉପରେ ବାଲିବର୍ଷା, ଫୋମ ଓ ଅଗ୍ନି ନିର୍ବାପନ ଗ୍ୟାସ୍‌ର ପ୍ରୟୋଗ, କୃତ୍ରିମ ବର୍ଷା ଆଦି କରାଇବାର ବ୍ୟବସ୍ଥା କରାଯାଇଛି। ମାତ୍ର ସେହି ତୁଳନାରେ ଆମ ଦେଶର କୌଣସି ଅତ୍ୟାଧୁନିକ ସାଧନର ବ୍ୟବସ୍ଥା ନାହିଁ। ଜଙ୍ଗଲ ହେଉଛି ଆମ ପ୍ରକୃତିମାତାର ଅନବଦ୍ୟ ରୂପ। ଏହାକୁ ଭଲପାଇବା ଦ୍ୱାରା କେବଳ ପ୍ରକୃତି ନୁହେଁ, ଆମେ ଆମ ନିଜ ଜୀବନକୁ ସୁନ୍ଦର ଓ ସାର୍ଥକ କରିପାରିବା।
ପୂର୍ବତନ ଡିଏଫଓ (କେନ୍ଦୁଲିଫ୍‌), ପଲାଇ, ବାଲିଚନ୍ଦ୍ରପୁର, ଯାଜପୁର
ମୋ: ୯୪୩୭୨୫୭୧୨୩


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତି ଭୋଗ୍ୟ ନୁହେଁ, ସୁରକ୍ଷାଯୋଗ୍ୟ

ବିକାଶର ଦୌଡ଼ରେ ଆମେ ପ୍ରାୟ ଭୁଲିଯାଉଛୁ ଯେ ନୀରବଥିବା ଏହି ପ୍ରକୃତି ଅସୀମ ନୁହେଁ। ଆମେ ଭାବୁଛୁ ପ୍ରକୃତିରେ ଯାହା କିଛି ନଷ୍ଟ ହେଉଛି, ସେସବୁ ଧୀରେ…

ସମ୍ବଳ ପାଇଁ ଅଧିକ ଋଣ

ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟକୁ ନେଇ ମିଶ୍ରିତ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri