ଜଙ୍ଗଲ ନିଆଁ ଓ ଜନ ସହଭାଗିତା

ଘାସିରାମ ପଣ୍ଡା

 

ଖରାଦିନେ ଜଙ୍ଗଲରେ ନିଆଁ ଲାଗିବା ନୂଆ କଥା ନୁହେଁ। ପିଲାବେଳେ ରାତିରେ ଦୂର ପାହାଡ଼ର ନିଆଁ ଦେଖି କ’ଣ ବୋଲି ପଚାରିଲେ ବୟସ୍କ ଲୋକେ ଥଟ୍ଟାରେ ‘ମାଙ୍କଡ଼ ବିହା’ ବୋଲି କହୁଥିଲେ। କହିବାବାହୁଲ୍ୟ ଜଙ୍ଗଲରେ ମାଙ୍କଡ଼ଙ୍କ ବାହାଘର ହେଉଛି ଓ ସେମାନେ ଆଲୁଅ କରିଛନ୍ତି ବୋଲି ଆମେ ବୁଝି ଯାଉଥିଲୁ। ଏହି ଜଙ୍ଗଲ ନିଆଁ ଆପେ ଲିଭୁଥିଲା ନଚେତ୍‌ ଗାଁ ଲୋକେ ଲିଭଉଥିଲେ। ଜଙ୍ଗଲ ବିଭାଗ ପାଖରେ କେବେ ବି ଏତେ ସମ୍ବଳ ଓ ସାମର୍ଥ୍ୟ ନ ଥିଲା ଯେ, ସେମାନେ ଏକା ନିଆଁକୁ ନିୟନ୍ତ୍ରଣ କରିପାରୁଥିଲେ। ହେଲେ ଜଙ୍ଗଲ ପରିଚାଳନାରେ ଲୋକଙ୍କ ଏହି ଯୋଗଦାନକୁ ବିଭାଗ ସର୍ବଦା ଅଣଦେଖା କରି ଆସିଛି। ଯୁଗ୍ମ ଜଙ୍ଗଲ ପରିଚାଳନା ନୀତିରେ ବନବାସୀଙ୍କ ସହଯୋଗ ବିନା ଜଙ୍ଗଲ ସମ୍ପଦର ସଂରକ୍ଷଣ ସମ୍ଭବ ନୁହେଁ ବୋଲି ବିଭାଗୀୟ ସ୍ବୀକାରୋକ୍ତି ରହିଛି। ଏହାସତ୍ତ୍ୱେ ବିଭାଗ କ୍ଷମତା ହସ୍ତାନ୍ତର କରିବାକୁ ନାରାଜ। ଯୁଗ୍ମ ଜଙ୍ଗଲ ପରିଚାଳନାରେ ଗଠିତ ବନ ସଂରକ୍ଷଣ ସମିତିଗୁଡ଼ିକରେ ଗ୍ରାମବାସୀ, ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ସାମିଲ କରାଯାଏ। ହେଲେ ଫରେଷ୍ଟର ଏହାର ସମ୍ପାଦକ ହୋଇ ସବୁ ପ୍ରକାରର ନିୟନ୍ତ୍ରଣ କରନ୍ତି। ଜଣେ ଜଙ୍ଗଲ ବିଭାଗ ସଚିବଙ୍କ ପ୍ରଚେଷ୍ଟାରେ ଏଥିରେ ପରିବର୍ତ୍ତନ କରାଯାଇ ଗ୍ରାମବାସୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ କ୍ଷମତା ପାଇଁ ବିଭାଗ ଏତେ ବ୍ୟାକୁଳ ଥିଲା ଯେ, ସେହି ସଚିବଙ୍କ ବଦଳି ପରେ ପୁଣି ଥରେ ଫରେଷ୍ଟରମାନଙ୍କୁ ସମ୍ପାଦକ କରାଯିବା ପାଇଁ ନୀତିରେ ପରିବର୍ତ୍ତନ କରାଗଲା।
ଆମ ରାଜ୍ୟର ଚାଳିଶ ଭାଗ ଅଞ୍ଚଳ ଆଦିବାସୀବହୁଳ। ଏହି ସବୁ ଅଞ୍ଚଳରେ ହିଁ ବିଶେଷ ଭାବେ ଜଙ୍ଗଲ ରହିଛି। ଜଙ୍ଗଲ ସହ ଲୋକଙ୍କ ଅର୍ଥନୀତି, ସଂସ୍କୃତି, ସାମାଜିକ ବ୍ୟବସ୍ଥା ଓତପ୍ରୋତ ଭାବେ ଜଡ଼ିତ। ସେମାନଙ୍କର ବାର୍ଷିକ ଆୟର ପଚାଶ ପ୍ରତିଶତ ପର୍ଯ୍ୟନ୍ତ ଜଙ୍ଗଲରୁ ଆସେ। ଏଣୁ ଏ ସବୁର ସୁରକ୍ଷା ଓ ପରିଚାଳନା ତଥା ମାଲିକାନା ପାଇଁ ସେହି ଅଞ୍ଚଳର ଗ୍ରାମସଭାକୁ ଦାୟିତ୍ୱ ପ୍ରଦାନପୂର୍ବକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପଞ୍ଚାୟତ ସମ୍ପ୍ରସାରଣ ଆଇନ ପ୍ରଣୟନ କରାଯାଇଛି। ୧୯୯୬ରୁ ଆଦିବାସୀଙ୍କ ହାତରେ ସମ୍ବଳ ପରିଚାଳନା ପାଇଁ ଥିବା ଏହି ଆଇନ ଏବେ ବି ପ୍ରଶାସନିକ ସ୍ବୀକୃତି ପାଉ ନାହିଁ। ଆମ ରାଜ୍ୟର ମୟୂରଭଞ୍ଜ, ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଜିଲା ସମ୍ପୂର୍ଣ୍ଣ ଓ ସମ୍ବଲପୁର, କେନ୍ଦୁଝର, କନ୍ଧମାଳ, ଗଜପତି, ଗଞ୍ଜାମ, କଳାହାଣ୍ଡି, ବାଲେଶ୍ୱରର ଆଂଶିକ ଅଞ୍ଚଳ ଏହି ଆଇନ ଦ୍ୱାରା ପରିଚାଳିତ। ଏହା ସତ୍ତ୍ୱେ ଜଙ୍ଗଲ ନିଆଁର ନିୟନ୍ତ୍ରଣ ପାଇଁ ହେଉଥିବା ଆର୍ଥିକ ବ୍ୟବସ୍ଥା ବିଷୟରେ ସୂଚିତ କରିବା ବା ନିଆଁ ନିୟନ୍ତ୍ରଣରେ ଗ୍ରାମସଭାକୁ ସାମିଲ କରିବାର କୌଣସି ନଜିର ଏ ଅଞ୍ଚଳରେ ନାହିଁ।
ଆଦିବାସୀ ଓ ଅନ୍ୟାନ୍ୟ ବନବାସୀଙ୍କ ଜଙ୍ଗଲ ଉପରେ ଥିବା ପାରମ୍ପରିକ ଅଧିକାରକୁ ସ୍ବୀକୃତି ଦେବା ପାଇଁ ୨୦୦୬ରେ ଜଙ୍ଗଲ ଅଧିକାର ଆଇନ ପ୍ରଣୀତ ହେଲା। ଏହା ଗ୍ରାମ୍ୟଗୋଷ୍ଠୀକୁ ବ୍ୟବହୃତ ଅଞ୍ଚଳର ପରିଚାଳନା ତଥା ସଂରକ୍ଷଣର ଅଧିକାର ପ୍ରଦାନ କରିଛି। ଏଥି ସହିତ ଜଙ୍ଗଲ ଓ ବନ୍ୟ ପ୍ରାଣୀଙ୍କୁ କ୍ଷତି ନ ହେଲା ଭଳି ସମସ୍ତ ପଦକ୍ଷେପ ନେବାକୁ ଗ୍ରାମସଭାକୁ ଦାୟିତ୍ୱ ସମ୍ପନ୍ନ କରାଯାଇଛି। ଏପରି କି ଜଙ୍ଗଲ ଅଞ୍ଚଳର ପରିଚାଳନା ଯୋଜନା ଗ୍ରାମସଭା ତିଆରି କରିବେ ଓ ସେହି ଅନୁସାରେ ଜଙ୍ଗଲ ବିଭାଗ ନିଜ ଯୋଜନାରେ ପରିବର୍ତ୍ତନ ଆଣିବେ ବୋଲି ଉଲ୍ଲେଖ ରହିଛି। ବନ ସଂରକ୍ଷଣ ସମିତିରେ ଜଙ୍ଗଲ ଉପରେ କେବଳ ବ୍ୟବହାରିକ ଅଧିକାର ଦିଆଯାଇଥିବା ବେଳେ ଜଙ୍ଗଲ ଅଧିକାର ଆଇନ ସମ୍ପୂର୍ଣ୍ଣ ମାଲିକାନା ସ୍ବତ୍ୱ ପ୍ରଦାନ କରିଛି। ଯେଉଁଠି ଲୋକଙ୍କୁ ଏହି ଅଧିକାର ଅନୁଯାୟୀ ଦାୟିତ୍ୱ ମିଳିଛି, ସେଠି ଜଙ୍ଗଲ ସୁରକ୍ଷିତ ରହିଛି। ଶିମିଳିପାଳ ହିଁ ଏହାର ଉଦାହରଣ। ଶିମିଳିପାଳରେ ଯେଉଁ ସବୁ ଅଞ୍ଚଳରେ ଗୋଷ୍ଠୀଗତ ଅଧିକାରର ଶିରୋନାମା ଦିଆଯାଇଛି ଲୋକେ ନିଜ ନିୟନ୍ତ୍ରଣକୁ ଜଙ୍ଗଲକୁ ଆଣିଛନ୍ତି। ସେହିସବୁ ଅଞ୍ଚଳରେ ଜଙ୍ଗଲ ନିଆଁ ଲାଗିଥିଲେ ବି ଲୋକେ ଜଙ୍ଗଲକୁ ପୋଡ଼ିବାରୁ ରକ୍ଷା କରିଛନ୍ତି। ଅପରପକ୍ଷରେ ଯେଉଁ ଗ୍ରାମଗୁଡ଼ିକୁ ବିସ୍ଥାପିତ କରାଯାଇଛି ଓ ଯେଉଁ ସବୁ ଅଞ୍ଚଳ ବନ ବିଭାଗ ନିୟନ୍ତ୍ରଣରେ ଅଛି ତାହା ବନାଗ୍ନି କବଳିତ ହୋଇଛି।
ଜନ ସହଭାଗିତା ବିନା ଏତେ ବଡ ଅଞ୍ଚଳକୁ ଠିକ୍‌ ପରିଚାଳନା କରିବା କଷ୍ଟକର, ଏହା ଜାଣି ବି ବିଭାଗ ଅଜଣା ହେଉଛି। ଲୋକ ଓ ବିଭାଗ ଭିତରେ ବିଶ୍ୱାସ ତୁଟୁଛି। ଲୋକେ ମହୁଲ ଗୋଟେଇବା ବେଳେ ନିଆଁ ଲଗଉଥିବା ଜଙ୍ଗଲ ବିଭାଗ ଅଭିଯୋଗ କରୁଥିବା ବେଳେ ବନୀକରଣ ଓ କେନ୍ଦୁପତ୍ର ଗୋଛା କଟେଇର ଦୁର୍ନୀତିକୁ ଲୁଚେଇବା ପାଇଁ ବିଭାଗର କର୍ମଚାରୀ ନିଆଁ ଲଗଉଥିବାର ଲୋକେ ପାଲଟା ଅଭିଯୋଗ କରନ୍ତି। ହେଲେ ଏକଥା ବୁଝିଯିବା ଦରକାର ଯେ, ଯଦି ଲୋକେ ସମ୍ବଳକୁ ନଷ୍ଟ କରିବାକୁ ଚାହିଁବେ ତେବେ ବିଭାଗ ଯେତେ ବଳ ଖଟେଇଲେ ବି ରକ୍ଷା କରିପାରିବ ନାହିଁ ଏବଂ ଯେଉଁଠି ଲୋକେ ସୁରକ୍ଷା ଦେବା ପାଇଁ ଆଗେଇ ଆସିବେ ସେଠି ବିନା ବ୍ୟୟରେ ସମ୍ବଳର ଠିକ୍‌ ପରିଚାଳନା ସମ୍ଭବ ହେବ। ଏବେ ବିଭାଗକୁ ବାଛିବାକୁ ହେବ ସେମାନେ କେଉଁ ଉପାୟ ଅବଲମ୍ବନ କରିବେ।
ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ସଂସ୍ଥାର ଆକଳନ ଅନୁଯାୟୀ ରାଜ୍ୟ ତନିଚତୁର୍ଥାଂଶ ଗ୍ରାମ ଜଙ୍ଗଲ ଭିତରେ ବା ଆଖପାଖରେ ଅଛି। ଏ ସମସ୍ତଙ୍କୁ ଜଙ୍ଗଲ ଅଧିକାର ଆଇନ ଅନୁସାରେ ପରିଚାଳନା ଅଧିକାର ମିଳିଲେ ମୋଟ ଜଙ୍ଗଲର ପ୍ରାୟ ଚାଳିଶ ଭାଗ ଅଞ୍ଚଳ ଲୋକଙ୍କ ହାତକୁ ଚାଲିଯିବ। ଏହାଦ୍ୱାରା ଜଙ୍ଗଲ ପରିଚାଳନାରେ ଜନ ସହଭାଗିତା ସୁନିଶ୍ଚିତ କରାଯାଇପାରିବ। ସମ୍ବଳର ପରିଚାଳନାରୁ ଗ୍ରାମ୍ୟ ପାଣ୍ଠି ତିଆରି ଓ ସାମୂହିକ ଉନ୍ନତିର ବାଟ ଫିଟିବ। ବିଜ୍ଞାନର ଅଗ୍ରଗତିରେ ବୈଷୟିକ ଜ୍ଞାନ ପ୍ରୟୋଗ ପୂର୍ବକ ଜଙ୍ଗଲରେ ନିଆଁର ଦୈନିକ ସ୍ଥିତି ଜାଣି ହେଉଛି। ଅଥଚ ମାନସିକତାର ଅଭାବରେ ଲୋକଙ୍କ ସହଯୋଗ ନିଆଯାଇ ନ ପାରି ନିଆଁକୁ ଆୟତ୍ତ କରାଯାଇ ପାରୁନାହିଁ। ଏବେ ଗଠିତ ଟାସ୍କଫୋର୍ସ ଏ ଦିଗ ପ୍ରତି ଦୃଷ୍ଟିଦେବାର ଆଶା କରାଯାଏ।
ସୁବର୍ଣ୍ଣପୁର
ମୋ: ୯୪୩୮୩୪୧୭୯୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri