ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ ସମୟରେ ୩ ମାଙ୍ଗାନିଜ ବୋଝେଇ ଡମ୍ପର ଜବତ କରିଛି। ଘଟଣାରେ ଗୋଟିଏ ବାଇକ୍ ମଧ୍ୟ ଜବତ ହୋଇଛି। ଜବତ ଖଣିଜର ଆନୁମାନିକ ମୂଲ୍ୟ ୫ଲକ୍ଷ୍ୟ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଉକ୍ତ ଜଙ୍ଗଲରେ ଚୋରାରେ ଉନ୍ନତମାନର ମାଙ୍ଗାନିଜ ଡମ୍ପରରେ ଚୋରାଚାଲଣ ନିମନ୍ତେ ବୋଝେଇ ହେଉଥିଲା। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡିଏଫ୍ଓଙ୍କ ନିର୍ଦ୍ଦେଶକ୍ରମେ ଚମ୍ପୁଆ ରେଞ୍ଜ ଅଧିକାରୀ ଅକ୍ଷୟ ଛତ୍ରିଆଙ୍କ ନେତୃତ୍ୱରେ ଯୋଡ଼ା ବନପାଳ ତ୍ରିନାଥ ଜେନା, ଯୋଡ଼ା ବନରକ୍ଷୀ ଦେବାଶିଷ ମହାପାତ୍ର, ଜୁରୁଡ଼ି ବନରକ୍ଷୀ ସୁରଜ କୁମାର ଦାସ, ଦୁବୁନା ବନରକ୍ଷୀ ସୁବ୍ରତ ପାତ୍ର ଏବଂ ସରୋଜ ନାଏକଙ୍କ ସହିତ ବାମେବାରି ଓ ଯୋଡ଼ା ବନ ସ୍କ୍ବାଡ ଚଢ଼ାଉ କରିଥିଲା। ଚଢ଼ାଉରେ ୩ଟି ମାଙ୍ଗାନିଜ ବୋଝେଇ ଡମ୍ପର (ନଂ. ଓଆର୍ ୦୯ ଏଲ ୭୫୧୬, ଓଆର୍ ୦୯ କେ ୭୬୨୩, ଓଆର୍ ୦୯ ଜେ ୭୭୩୧) ଓ ଘଟଣାସ୍ଥଳରୁ ଗୋଟିଏ ବାଇକ (ନଂ. ଓଆର୍ ୦୯ ପି ୮୯୫୭)କୁ ଜବତ କରାଯାଇଛି। ୩ଟି ଡମ୍ପରରେ ପ୍ରାୟ ୨୫ ମେଟ୍ରିକ ଟନ ଉନ୍ନତମାନର ଗୁଣ୍ଡ ମାଙ୍ଗାନିଜ ବୋଝେଇ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କାରୁ ଊଦ୍ଧର୍ବ ହେବ ବୋଲି ଚମ୍ପୁଆ ରେଞ୍ଜ ଅଧିକାରୀ ଅକ୍ଷୟ ଛତ୍ରିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏ ନେଇ ଚମ୍ପୁଆ ରେଞ୍ଜରେ ୟୁଡି କେସ ନଂ. ୧୭ ରୁଜୁ କରାଯାଇଛି।
ପ୍ରକାଶଯୋଗ୍ୟ, ଚଳିତ ବର୍ଷ ଜୁଲାଇ ୧ ତାରିଖ ଦିନ ଦଲ ପାହାଡ଼ଠାରେ ଚୋରା ମାଙ୍ଗାନିଜ ଖନନ ସମୟରେ ମାଟି ଅତଡ଼ା ଖସି ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ଭୁବନେଶ୍ବରର ଖଣି ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି କେନ୍ଦୁଝରର ବଡ଼ ଅଧିକାରୀମାନେ ଗସ୍ତ କରି ଚୋରା କାରବାର ରୋକିବା ପାଇଁ ପଦକ୍ଷେପ ନେଇଥିଲେ। ମାତ୍ର ଏବେ ବି ଚୋରି ରୋକିବାରେ ଖଣି ବିଭାଗ ସମ୍ପୂର୍ଣ ବିଫଳ ବୋଲି ମତ ପ୍ରକାଶ ପାଇଛି। ଯୋଡ଼ା ଖଣି ଉପ ନିର୍ଦ୍ଦେଶାଳୟ ଭୁବନେଶ୍ୱରରୁ ଏକ ସ୍ବତନ୍ତ୍ର ଟିମ୍ ଖଣିଜ ଚୋରିକୁ ରୋକିବା ପାଇଁ ନିୟୋଜିତ କରାଯାଇଛି। ଏହା ମଧ୍ୟ ବହୁ ଆଡ଼ମ୍ବରେ ଲଘୁ କ୍ରିୟା ସଦୃଶ ହୋଇଛି।


