ବନବିଭାଗ ପକ୍ଷରୁ ଚଢାଉ: ୮ କାଠମାଫିଆ ଗିରଫ

ତେଲକୋଇ, ୪ା୧୨(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଅଧୀନ କାଳିଆହତା ଫରେଷ୍ଟ ବିଟ୍‌ର ରେକୁଟି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ୮ଜଣ ମେଶିନରେ ଶାଳ ଗଛ କାଟୁଥିବା ବେଳେ ଗୁରୁବାର ସନ୍ଧ୍ୟାରେ ବନବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ୱରେ ଚଢାଉ କରାଯାଇ ଲକ୍ଷାଧିକ ଶାଳ ବିମ୍‌ ଓ ପଟ୍ଟା ଜବତ କରାଯାଇ କରି ୮ଜଣଙ୍କୁ କୋର୍ଟଚାଲାଣ କରାଯାଇଛି। ଏ ନେଇ ବନ ବିଭାଗରେ ମାମଲା ରୁଜୁ କରାଯାଇଛି।
ଅଭିଯୁକ୍ତମାନେ ଝାଡଖଣ୍ଡ ରାଜ୍ୟର। ସେମାନଙ୍କୁ କେନ୍ଦୁଝର ଘଟଗାଁ ଅଞ୍ଚଳର ଜଣେ ବ୍ୟକ୍ତି ଏହି ଜଙ୍ଗଲରୁ କାଠ କାଟିବା ପାଇଁ ପଠାଇଥିବା ଅଭିଯୁକ୍ତମାନେ ପ୍ରକାଶ କରିଛନ୍ତି। ଦୀର୍ଘଦିନ ହେଲା ଏହି ଅଞ୍ଚଳରେ କାଠ ଚୋରାଚାଲାଣ ହେଉଥିବା ଖବର ପାଇ ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ସେଠୀଙ୍କ ସହିତ କାଳିଆହତା ବିଟ୍‌ର ଫରେଷ୍ଟର ଯଦୁମଣି ରଣା, ବିମଳା ବିଟର ଜ୍ୟୋତିମୟୀ ପଟ୍ଟନାୟକ, ସରୋଜ ପାତ୍ର, ପ୍ରଣୟ ମହାନ୍ତ ଓ ବନ ବିଭାଗର କର୍ମୀ ଚଢାଉ କରିଥିଲେ।