ଶ୍ରୀମନ୍ଦିରରେ ପଶିଲେ ବିଦେଶୀ, ସୁରକ୍ଷା ଉପରେ ପୁଣି ପ୍ରଶ୍ନବାଚୀ

ପୁରୀ ଅଫିସ, ୨୬ା୧: ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବୁଧବାର ଅପରାହ୍ନରେ ଜଣେ ବିଦେଶୀ ନାଗରିକ ହାତରେ ବ୍ୟାଗ ଧରି ଶ୍ରୀମନ୍ଦିର ପରିସରରୁ ବାହାରୁଥିବା ଦେଖିବାକୁ ମିଳିଥିଲା। ଏହାର ଏକ ଭିଡିଓ ସାମ୍ନାକୁ ଆସିଛି। ତେବେ କଡ଼ା ସୁରକ୍ଷା ଓ ଯାଞ୍ଚ ବ୍ୟବସ୍ଥା ସତ୍ତ୍ୱେ ସମ୍ପୃକ୍ତ ବିଦେଶୀ ନାଗରିକ କିପରି ଶ୍ରୀମନ୍ଦିରକୁ ପ୍ରବେଶ କଲେ ଓ ସିଂହଦ୍ୱାର ଦେଇ ପ୍ରସ୍ଥାନ କଲେ ତାହା ସମସ୍ତଙ୍କୁ ଚକିତ କରିଛି। ଉକ୍ତ ଭିଡିଓରେ ଯାହା ଜଣାପଡୁଛି, ବିଦେଶୀ ଭକ୍ତ ଜଣଙ୍କ ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ପରିସରକୁ ଯାଇଥିଲେ। ତେବେ କିଛି ବାଟ ଯିବା ପରେ ତାଙ୍କୁ ବାରଣ କରାଯାଇଥିଲା। ଫଳରେ ସେ ଅଧା ରାସ୍ତାରୁ ବାହାରକୁ ଚାଲି ଆସିଥିଲେ। ଏହି ଘଟଣା ଏବେ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି।
ଏ ନେଇ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, ଉକ୍ତ ଘଟଣା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ। ପ୍ରଶାସନ ଶ୍ରୀମନ୍ଦିର ଦ୍ୱାର ବନ୍ଦ କରିବା କାରଣରୁ ଗହଳି ହେଉଛି, ଫଳରେ ଏପରି ଘଟଣା ଘଟୁଛି। ତେଣୁ ପୂର୍ବଭଳି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଗଲେ ଏଭଳି ସମସ୍ୟା ଦୂର ହେବ। ପୋଲିସ ଯଦି ସମ୍ଭାଳି ପାରୁନାହିଁ ତେବେ ଛତିଶା ନିଯୋଗକୁ ଦାୟିତ୍ୱ ଦେବା ଉଚିତ। ପ୍ରଶାସନ କେବଳ ଭିଆଇପିଙ୍କ ପାଇଁ ବ୍ୟବସ୍ଥା କରୁଛି, ଯେଉଁଥିପାଇଁ ସେବାୟତଙ୍କଠାରୁ ଆରମ୍ଭ କରି ଭକ୍ତ ହଇରାଣ ହେଉଛନ୍ତି। ତେବେ ଆଜିର ଘଟଣା ପାଇଁ ଦାୟିତ୍ୱରେ ଥିବା ଅଧିକାରୀ ଦାୟୀ ବୋଲି ସେ କହିଛନ୍ତି। ସେହିପରି ଶ୍ରୀଜଗନ୍ନାଥ ପରିଷଦର ଆବାହକ ସୂର୍ଯ୍ୟ ନାରାୟଣ ରଥ କହିଛନ୍ତି, ଶ୍ରୀମନ୍ଦିର ଚାରିପାଖରେ ଏତେ ସଂଖ୍ୟକ ପୋଲିସ ନିୟୋଜିତ ଥାଇ ଏଭଳି ଘଟଣା କିପରି ଘଟୁଛି ତାହା ବୁଝାପଡୁନାହିଁ। ଏହି ଘଟଣା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାର ଦାୟୀ। ଅନ୍ୟପକ୍ଷରେ ଏ ନେଇ ଶ୍ରୀମନ୍ଦିର ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।