ଶ୍ରୀଜଗନ୍ନାଥ ଜମିରୁ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର,୨୬।୫(ବ୍ୟୁରୋ): କୋରଡକଣ୍ଟାରେ ଥିବା ଶ୍ରୀଜଗନ୍ନାଥଙ୍କ ଜମି ଜବରଦଖଲକାରୀଙ୍କ କବଳରୁ ମୁକ୍ତ ହୋଇଛି। ମୋଟ ଦେଢ଼ ଏକର ପରିମିତ ଜମିକୁ ୨ଟି ପର୍ଯ୍ୟାୟରେ ବିଡିଏ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପକ୍ଷରୁ ଉଚ୍ଛେଦ କରାଯାଇଛି। କିଛିଦିନ ତଳେ ସେଠାରୁ ପ୍ରାୟ ଏକର ଜମିରୁ ଜବରଦଖଲ ହଟିଥିଲା। ସମୟ ଅଭାବରୁ ବାକି ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇ ପାରି ନ ଥିଲା। ଗୁରୁବାର ଉକ୍ତ ବଳକା ଜମିରେ ଥିବା ଜବରଦଖଲକୁ ହଟାଯାଇଛି। ମହାପ୍ରଭୁଙ୍କ ଜମି ଉପରେ ବେଆଇନ ଭାବେ କ୍ଲବ ଘର, ଦୋକାନ, ହୋଟେଲ ଆଦି ନିର୍ମାଣ କରାଯାଇଥିଲା। କିଛି ଅସାମାଜିକ ଯୁବକ ସେଠାରେ ନିୟମିତ ଆଡ୍ଡା ଜମାଇବା ସହ ଏହି ଜମିକୁ ନିଜ ଅକ୍ତିଆରରେ ରଖି ଭଡ଼ା ଆଦାୟ କରୁଥିଲେ। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ଉପପ୍ରଶାସକ (ରାଜସ୍ବ) ବିଡିଏକୁ ଚିଠି ଲେଖି ତୁରନ୍ତ ଜବରଦଖଲ ଉଚ୍ଛେଦ କରିବାକୁ କହିଥିଲେ। ଏହାପରେ ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା। ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍କ୍ବାଡ୍‌ ଉକ୍ତ ଜମିକୁ ଜବରଦଖଲମୁକ୍ତ କରିଛି। ଉଚ୍ଛେଦରେ ୮ଟି ଆଜବେଷ୍ଟସ ସେଡ/ଦୋକାନ, ଗୋଟିଏ ଶୌଚାଳୟ, ଗୋଟିଏ ଲୁହାଗେଟ, ପ୍ରାୟ ୨୦୦ଫୁଟ ଲମ୍ବର ପାଚେରି ଏବଂ ୧୦୦ଫୁଟ ଲମ୍ବର ବାଉଁଶ ନିର୍ମିତ ସେଡ ଭଙ୍ଗାଯାଇଥିଲା। ଗୁରୁବାର ପ୍ରାୟ ୦.୫୦ ଡିସିମିଲ ଜମି ଜବରଦଖଲମୁକ୍ତ ହୋଇଥିଲା। ତେବେ ଏଠାରେ ଥିବା କ୍ଲବ ଘରର କିଛି ଅଂଶ ଭଙ୍ଗାଯାଉଥିବାବେଳେ ବର୍ଷା ଯୋଗୁ ଆଉ ଉଚ୍ଛେଦ ନ କରି ବିଡିଏ ସ୍କ୍ବାଡ୍‌ ଫେରିଯାଇଥିଲା। ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଗୋଟିଏ ପ୍ଲାଟୁନ ରିଜର୍ଭ ପୋଲିସ ଓ ଗୋଟିଏ ସେକ୍ସନ ମହିଳା ପୋଲିସ ମୁତୟନ କରାଯାଇଥିଲା। ବିଡିଏର ଯୁଗ୍ମ କମିଶନର (ଏନ୍‌ଫୋର୍ସମେଣ୍ଟ) ଶ୍ୱେତ କୁମାର ଦାଶ, ବିଡିଏ ଲିଆଇଶନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ପୁରୀ ମନ୍ଦିର ଅଫିସର ମନ୍ମଥ କୁମାର ମିଶ୍ରଙ୍କ ସହ ବଡ଼ଗଡ଼ ଓ ଲକ୍ଷ୍ମୀସାଗର ଥାନା ଅଧିକାରୀ ଉପସ୍ଥିତ ଥିଲେ।