୨୫ବର୍ଷ ହେଲା ପାଲ ତଳେ ବିତୁଛି ଜୀବନ

ପାରଳାଖେମୁଣ୍ଡି,୧ା୧୧(ଡି.ଏନ୍‌.ଏ.): ଗରିବଙ୍କୁ ବାସଗୃହ ଯୋଗାଇବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଥିବା ବେଳେ ରାଜ୍ୟ ସରକାର ବିଜୁ ପକ୍କା ଘର ଯୋଜନା କରିଛନ୍ତି। ହେଲେ ଏହି ଯୋଜନା ଅନେକ ସ୍ଥାନରେ ବାଟବଣା ହେଉଥିବା ଦେଖିବାକୁ ମିଳୁଛି। ଯାହାର ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରିର ଚନ୍ଦନପୁର ଓଡିଆ ସାହିରେ। ଦୀର୍ଘ ୨୫ବର୍ଷ ହେଲା ପାଲ କୁଡିଆ ଘରେ ରହୁଥିବା ପୂର୍ଣଚନ୍ଦ୍ର ପରିଛାଙ୍କ ପରିବାର ବର୍ଷ ବର୍ଷ ଧରି ଆବେଦନ ପରେ ଭି ଖଣ୍ଡିଏ ଘର ମିଳୁନି। ସେ ଅତ୍ୟନ୍ତ ଗରିବ ହୋଇଥିବା ବେଳେ ଘରେ ତାଙ୍କ ସ୍ତ୍ରୀ ଓ ପାଞ୍ଚ ଜଣ ପୁଅ ଝିଅ। ସେଥିରୁ ଜଣେ ଦିବ୍ୟାଙ୍ଗ, ଦିନ ମଜୁରିଆ କରି ଚଳନ୍ତି ପରିବାର। ନିଜର ବୋଲି କିଛି ଜମି ନାହିଁ।୨୫ ବର୍ଷ ତଳେ ଖଣ୍ଡିଏ ବାସସ୍ଥାନ ଦେଇଥିଲେ ସରକାର, ସେହି ଜାଗାରେ ଝାଟି ମାଟିରେ ଘର ଖଣ୍ଡିଏ କରି ରହି ଆସୁଛନ୍ତି ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର। ହେଲେ ବର୍ଷା ଦିନ ହେଲେ ଝାଟି ମାଟି ଘର ଭାଙ୍ଗି ଯାଉଛି, ଘରେ ପାଣି ଗଲୁଥିବା ଯୋଗୁ କିଛି ଭଙ୍ଗା ଟିଣ ପକାଇଥିବା ସହ ପାଲ ଟାଣି ବର୍ଷା ଦାଉରୁ ରକ୍ଷା ପାଉଛନ୍ତି। ଲଗାଣ ବର୍ଷା ଯୋଗୁ ଏବେ କାନ୍ଥ ବାଡ ଭାଙ୍ଗି ଯାଇଛି। ଘର ଖଣ୍ଡିଏ ଯୋଗାଇବା ପାଇଁ ବାରମ୍ବାର ପ୍ରଶାସନଠାରୁ ଆରମ୍ଭ କରି ସ୍ଥାନୀୟ ସରପଞ୍ଚଙ୍କୁ ଗୁହାରି କରୁଛନ୍ତି। କିନ୍ତୁ ଘର ଖଣ୍ଡିଏ ମିଳୁନି। ସେହିପରି ତାଙ୍କ ଝିଅ କହିଛନ୍ତି ଯେ, ବର୍ଷା ଯୋଗୁ ପାଠ ପଢିବା ପାଇଁ ରଖିଥିବା ବହି ମଧ୍ୟ ପାଣିରେ ଭିଜି ନଷ୍ଟ ହେଇଯାଉଛି ସେଥିପାଇଁ ତାଙ୍କ ପରିବାରକୁ ସରକାର ଘର ଖଣ୍ଡିଏ ଯୋଗାଇବାକୁ ଅନୁରୋଧ କରିଛନ୍ତି।