ପ୍ରଥମଥର ପାଇଁ ସ୍ବାଭିମାନ ଅଞ୍ଚଳବାସୀ ପାଇଲେ ମୋବାଇଲ ସେବା

ଚିତ୍ରକୋଣ୍ଡା,୭ା୯(ଡି.ଏନ୍‌.ଏ.): ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ୮ଟି ପଞ୍ଚାୟତ ଯଥା ଯୋଡ଼ାମ୍ବ, ପଣସପୁଟ, ଅଣ୍ଡିରାପାଲି, ଯନ୍ତ୍ରୀ, ଗାଜୁଲୁମାମୁଡି, ରାଲେଗା ଧୂଳିପୁଟ ଓ ପାପରମେଟଲା ସମେତ ବଡ଼ପଦରର ବହୁ ଗ୍ରାମ ଆଧୁନିକ ସଭ୍ୟତାଠାରୁ ବହୁ ଦୂରରେ ଥାଇ ଦଶନ୍ଧି ଦଶନ୍ଧି ଧରି ମୋବାଇଲ ଟାଓ୍ବାର ଓ ନେଟ୍‌ଓ୍ବାର୍କଠାରୁ ବଞ୍ଚିତ ରହି ଆସୁଥିଲେ। ଦୀର୍ଘଦିନର ପ୍ରତୀକ୍ଷା ପରେ ଜିଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ମିଳିତ ଉଦ୍ୟମରେ ରବିବାର ଅପରାହ୍ନରୁ ଏୟାରଟେଲର ଏକ ଟାଓ୍ବାର ବସିଛି। ଫଳରେ ଉକ୍ତ ଅଞ୍ଚଳରେ ୨ଜି ଓ ୪ଜି ଚାଲୁଥିବାର ଦେଖିବାକୁ ମିଳିଛି। ଆଗରୁ ଉକ୍ତ ଅଞ୍ଚଳର ପିଲାମାନେ ନେଟ୍‌ଓ୍ବାର୍କ ଆସୁ ନ ଥିବାରୁ ପାଠପଢ଼ାରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଲୋକଙ୍କ ପାଖରେ ଜରୁରିକାଳୀନ ସେବା ମଧ୍ୟ ପହଞ୍ଚି ପାରୁ ନ ଥିଲା। ଏବେ ଏୟାରଟେଲ ନେଟଓ୍ବାର୍କ କାର୍ଯ୍ୟକାରୀ ହେବାରୁ ଅଞ୍ଚଳବାସୀଙ୍କ ମୁହଁରେ ହସ ଫୁଟିଛି।