ଖୁଣ୍ଟୁଣୀ,୨୩।୧୧(ସଚ୍ଚିଦାନନ୍ଦ ପଣ୍ଡା): କଟକ ଜିଲା ଆଠଗଡ଼ ବ୍ଲକ ଖୁଣ୍ଟୁଣୀ ଥାନା ଅଧୀନ ମହାକାଳବସ୍ତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମି ଅବ୍ୟବସ୍ଥା ଲାଗି ରହିଛି। ୧୯୪୮ରେ ସ୍ଥାପିତ ଏହି ବିଦ୍ୟାଳୟ ୧୯୭୫ ମସିହାରେ ଅପଗ୍ରେଡେଶନ ହୋଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ୧୯୮୫ରେ ଏହି ସ୍କୁଲର ନୂଆ କୋଠାଘର ନିର୍ମିତ ହୋଇଥିଲା। ଏହି ସ୍କୁଲରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୧୯୦। ଏଠାରେ ଶିଶୁ ବାଟିକାରୁ ୮ମ ଶ୍ରେଣୀ ପାଇଁ ମାତ୍ର ୪ଟି ଶ୍ରେଣୀ ଗୃହ ରହିଛି। ୪ଟି ଗୃହ ମଧ୍ୟରୁ ୨ଟି ଶ୍ରେଣୀ ଗୃହ ଭିତର କାନ୍ଥ ଭାଙ୍ଗି ବିପଦସଙ୍କୁଳ ଅବସ୍ଥାରେ ରହିଛି। ଗୋଟିକରେ ଅଫିସ କାର୍ଯ୍ୟସହ ୬ଷ୍ଠ, ୭ମ ଏବଂ ଅଷ୍ଟମ ଶ୍ରେଣୀର ପିଲା ପଢ଼ୁଥିବାବେଳେ ଅନ୍ୟ ଗୋଟିକରେ ୧ମରୁ ୫ମ ଶ୍ରେଣୀ ପିଲା ପଢୁଛନ୍ତି। ଶ୍ରେଣୀ ଗୃହ ବାରଣ୍ଡାର ତାଜା ୭ ବର୍ଷ ହେଲା କଂକ୍ରିଟ ଢଳେଇ ଛାଡ଼ି ରଡ୍ ଦେଖାଯାଇ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଗତ ୧୨ବର୍ଷ ମଧ୍ୟରେ ଟଙ୍କାଟିଏ ହେଲେବି ଅନୁଦାନ ମିଳି ନ ଥିବାରୁ ବିଦ୍ୟାଳୟ ଭିତ୍ତିଭୂମିରେ ସୁଧାର ଆସିପାରୁ ନାହିଁ।
ବିଦ୍ୟାଳୟର ଅବ୍ୟବସ୍ଥା ସମ୍ପର୍କରେ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ନର୍ମଦା ନାୟକ ଉଚ୍ଚ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ ଏଥିପ୍ରତି କେହି ବି ଦୃଷ୍ଟି ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସ୍କୁଲ ପରିଚାଳନା କମିଟି ସଭାପତି ବିଜୟ ନାୟକ ମଧ୍ୟ ବାରମ୍ବାର ବ୍ଲକ ଶିକ୍ଷାଧିକାରୀ ଓ ସରକାରଙ୍କଠାରୁ ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଏହି ସ୍କୁଲ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ ସୁଦ୍ଧା କାହାରି ନଜର ଏହି ସ୍କୁଲ ପ୍ରତି ନାହିଁ। ଗତ ୧୨ ବର୍ଷ ମଧ୍ୟରେ ସ୍କୁଲକୁ ଗୋଟିଏ ଟଙ୍କାର ଅନୁଦାନ ମିଳି ନ ଥିବା ସଭାପତି କହିଛନ୍ତି। ସବୁଠାରୁ ବଡ଼ କଥା ହେଲା ୭୮ବର୍ଷର ଏହି ସ୍କୁଲରେ ଏପର୍ଯ୍ୟନ୍ତ ପାନୀୟ ଜଳର ସୁବିଧା ହୋଇ ପାରିନାହିଁ। ଛାତ୍ରୀଛାତ୍ରମାନଙ୍କ ପାଇଁ ଯେଉଁ ପରିସ୍ରାଗାର ରହିଛି ତାହା ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ବ୍ୟବହାର ଉପଯୋଗୀ ହେଉନାହିଁ। ପିଲାମାନେ ବାହାରକୁ ପରିସ୍ରା କରିବାକୁ ଯାଉଛନ୍ତି। ଏ ସମ୍ପର୍କରେ ଆଠଗଡ଼ ବିଡିଓ ଆକାଶ କୁମାର ପଣ୍ଡାଙ୍କୁ ପଚାରିବାରେ ସେ ଏହି ସ୍କୁଲ ପରିଦର୍ଶନ କରି ପ୍ରଥମେ ପାନୀୟ ଜଳ ବ୍ୟବସ୍ଥା, ଛାତ୍ରୀଛାତ୍ରମାନଙ୍କ ପାଇଁ ପରିସ୍ରାଗାର ଏବଂ ଆବଶ୍ୟକ ଗୃହ ନିର୍ମାଣ ପାଇଁ ପ୍ରଥମେ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି। ଆଠଗଡ଼ ଶିକ୍ଷା ଅଧିକାରିଣୀ ସିଙ୍ଗୋ ହାଁସଦାଙ୍କୁ ପଚାରିବାରେ ସେ କୁହନ୍ତି, ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଓ ଶିକ୍ଷା କମିଟି ସଭାପତି ଏ ବିଷୟରେ ଲିଖିତ ଭାବେ ଜଣାଇଛନ୍ତି। ବିଡିଓ ମଧ୍ୟ ଏହି ସ୍କୁଲକୁ ପରିଦର୍ଶନ କରିଛନ୍ତି। ଏହି ସ୍କୁଲର ଥିବା ମୌଳିକ ସମସ୍ୟାଗୁଡ଼ିକୁ ବିଡିଓଙ୍କ ରିପୋର୍ଟ ଆଧାରରେ ଶିକ୍ଷା ବିଭାଗକୁ ସୁପାରିସ କରିବେ ବୋଲି ହାଁସଦା କହିଛନ୍ତି।