ଜଟିଳ ନିୟମ ପାଇଁ ଜରାଜୀର୍ଣ୍ଣ

ଢେଙ୍କାନାଳ ଅଫିସ,(ରତନ ନାୟାର)୧।୧୨: ଲୁହା ଭାରା ଆଶ୍ରାରେ ଛିଡ଼ା ହୋଇଛି ସପ୍ତମ ଶତାବ୍ଦୀର ଐତିହ୍ୟ କୁଆଳୋ ଅଷ୍ଟଶମ୍ଭୁ ଶୈବପୀଠ। ମନ୍ଦିର ଦଧିନଉତି ଆଖପାଖ ସ୍ଥାନରୁ ପଥର ଖସି ଲଣ୍ଡା ହୋଇଗଲାଣି। ବର୍ଷା ହେଲେ ବେଢ଼ାରେ ଲହଡ଼ି ମାରୁଛି ପାଣି। କେତେବେଳେ ହାତୀ ଉପଦ୍ରବ କରୁଛନ୍ତି ତ ଆଉ କେବେ ଠାକୁରଙ୍କ ସମ୍ପତ୍ତି ଉପରେ ଦୁର୍ବୃତ୍ତ ପକାଉଛନ୍ତି ଲୋଲୁପଦୃଷ୍ଟି। ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ଥିବା ଏହି ପ୍ରାଚୀନ କୀର୍ତ୍ତିରାଜି କୌଣସି ସମୟରେ ଯେ ଭୁଶୁଡ଼ି ନ ପଡ଼ିବ ତାହା କହିହେଉନାହିଁ। ସମାନ ସ୍ଥିତି ଦେଖିବାକୁ ମିଳିଛି ପ୍ରସିଦ୍ଧ ଅନନ୍ତଶୟନ ପୀଠରେ। ଆବଶ୍ୟକ ରକ୍ଷଣାବେକ୍ଷଣ ହେଉ ନ ଥିବାରୁ ଏହା ମଧ୍ୟ ବ୍ରାହ୍ମଣୀ ଗର୍ଭରେ ବିଲୀନ ହେବାକୁ ବସିଛି। ଏହି ଦୁଇ ପୁରାତନ ପୀଠର ସୁରକ୍ଷା ଦାୟିତ୍ୱ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) କାନ୍ଧରେ ନ୍ୟସ୍ତ ଥିବାବେଳେ ଏହାର ବିକାଶ ଲାଗି କେହି ଦେଖାଉନାହାନ୍ତି ସାମାନ୍ୟ ଦରଦ। ଏଏସ୍‌ଆଇର ଜଟିଳ ନିୟମ ଉନ୍ନୟନ କାର୍ଯ୍ୟରେ ପ୍ରତିବନ୍ଧକ ସାଜିଥିବାବେଳେ ଅତୀତକୁ ବର୍ତ୍ତମାନ ସହିତ ଯୋଡ଼ି ଆସିଥିବା ଏହି ପ୍ରତ୍ନତାତ୍ତ୍ୱିକ ଗବେଷଣା ସ୍ଥଳ ବର୍ଷ କେଇଟାରେ ଜନମାନସରୁ ହଜିଯିବ ବୋଲି ସାଧାରଣରେ ଆଲୋଚନା ହେଉଛି।
ନୂଆ ରୂପ ପାଉଛି ପୁରାତନ ମଠମନ୍ଦିର। ଆଧ୍ୟାତ୍ମିକ କ୍ଷେତ୍ରଗୁଡ଼ିକୁ ପର୍ଯ୍ୟଟକ ଅନୁକୂଳ କରିବା ପାଇଁ ‘୫-ଟି’ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରି ଜାରି ରହିଛି ବିକାଶ। ହେଲେ ଏଏସ୍‌ଆଇ ଅଧୀନରେ ଥିବା ପୁରାତନ କୀର୍ତ୍ତିରାଜି ପାରିପାର୍ଶ୍ୱିକ ଅଞ୍ଚଳର ଉନ୍ନୟନ କାର୍ଯ୍ୟ ଇଚ୍ଛାଶକ୍ତିର ଅଭାବରୁ ଆଣ୍ଠେଇ ପଡ଼ିଛି। ଏଏସ୍‌ଆଇ ପକ୍ଷରୁ ଘୋଷିତ ନିଷିଦ୍ଧାଞ୍ଚଳରେ ସ୍ଥାନୀୟ ପ୍ରଶାସନ ମାଟି ମୁଠାଏ ପକାଇପାରୁ ନ ଥିବାବେଳେ ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର କୁଆଳୋସ୍ଥିତ ପ୍ରସିଦ୍ଧ ଶୈବକ୍ଷେତ୍ର ଅଷ୍ଟଶମ୍ଭୁ ଏବଂ ସରାଙ୍ଗସ୍ଥିତ ଅନନ୍ତଶୟନ ପୀଠ ଗୁରୁତ୍ୱ ହରାଉଥିବା ଅଭିଯୋଗ ହେଉଛି।
ଅଷ୍ଟଶମ୍ଭୁ ମନ୍ଦିରର ପ୍ରମୁଖ ଦେବତା ମହାପ୍ରଭୁ କନକେଶ୍ୱର। ଏହାବାଦ୍‌ ପୀଠ ପରିସରରେ ସ୍ବପ୍ନେଶ୍ୱର, ଅଶ୍ୱନେଶ୍ୱର, କପିଳେଶ୍ୱର, ବୈଦ୍ୟନାଥେଶ୍ୱର, ବାଣେଶ୍ୱର, ଲୋକନାଥେଶ୍ୱର ଏବଂ ଉତ୍ତରେଶ୍ୱର ମହାଦେବଙ୍କ ଛୋଟବଡ଼ ଦେଉଳ ରହିଛି। ମା’ ପାର୍ବତୀଙ୍କ ମନ୍ଦିର ମଧ୍ୟ ଏଠାକାର ଅନ୍ୟତମ ଆକର୍ଷଣ। ହେଲେ ଆବଶ୍ୟକ ମରାମତି କରାଯାଉ ନ ଥିବାରୁ ମନ୍ଦିରଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ। ଖସିଯାଇଥିବା ପଥର ଲଗାଇବା ଦିଗରେ ଏଏସ୍‌ଆଇ କୌଣସି ପଦକ୍ଷେପ ନେଉନାହିଁ। କୁଆଳୋ ଗ୍ରାମରୁ ପୀଠର ଦୂରତା ୫ କି.ମି. ହୋଇଥିବାବେଳେ ସେଠାକୁ ଯିବା ପାଇଁ ଭଲ ରାସ୍ତା ନାହିଁ। ଅଞ୍ଚଳର ଗର୍ବ ସାଜିଥିବା ଏହି ପୀଠକୁ ଅନ୍ଧକାରରୁ ମୁକ୍ତ କରିବା ଲାଗି ଗ୍ରାମବାସୀ ନିଜସ୍ବ ଉଦ୍ୟମରେ ଆଲୋକୀକରଣ କରିଛନ୍ତି। ୨୦୦୪ରୁ ଏଏସ୍‌ଆଇ ଦାୟିତ୍ୱ ନେବା ପରେ ସୁରକ୍ଷା ପାଇଁ ଯଦିଓ କେତେକ ସ୍ଥାନରେ କାମ ହୋଇଛି, ତଥାପି ଏହା ସମୁଦ୍ରକୁ ଶଙ୍ଖେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ସବୁଠାରୁ ବଡ଼କଥା ହେଉଛି, ଏଏସ୍‌ଆଇର ଜଟିଳ ନିୟମ ଆଗରେ ସରକାର, ଜିଲା ପ୍ରଶାସନ ଏବଂ ଦେବୋତ୍ତର ବିଭାଗ ଅସହାୟ ହୋଇପଡ଼ିବା। କାରଣ ପୂର୍ବରୁ ରାସ୍ତା ଉନ୍ନତୀକରଣ ପାଇଁ ଉଦ୍ୟମ କରିଥିବା ଜଣେ ଜିଲାପାଳଙ୍କ ନାମରେ ଏଏସ୍‌ଆଇ କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିଥିଲେ। ଏହାପରେ କୌଣସି ପ୍ରଶାସନିକ ଅଧିକାରୀ ଅଷ୍ଟଶମ୍ଭୁ ପୀଠର ଉନ୍ନତି ପାଇଁ ପଦକ୍ଷେପ ନେବାକୁ ସାହସ ଜୁଟାଇ ପାରୁନାହାନ୍ତି।
ସେହିପରି ବ୍ରାହ୍ମଣୀ ନଦୀ ଶଯ୍ୟାରେ ଅବସ୍ଥିତ ନବମ ଶତାବ୍ଦୀର ପ୍ରସ୍ତର ଭାସ୍କର୍ଯ୍ୟ କୀର୍ତ୍ତି ଅନନ୍ତଶୟନ ପୀଠରେ ପର୍ଯ୍ୟଟକ ଅନୁକୂଳ ବାତାବରଣ ନାହିଁ। ବର୍ଷାଦିନେ ନଈ ବଢ଼ି ଆସିଲେ ମହାପ୍ରଭୁ ବିଷ୍ଣୁଙ୍କ ମୂର୍ତ୍ତି ବାଲିଚର ହୋଇଯାଉଛି। ଜଳସ୍ରୋତ ଏବଂ ଅନ୍ୟାନ୍ୟ କାରଣରୁ ମୂର୍ତ୍ତି ମଧ୍ୟ ଅବକ୍ଷୟ ହେବାରେ ଲାଗିଛି। ଢେଙ୍କାନାଳ ଜିଲାର ପର୍ଯ୍ୟଟନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୫୦ କୋଟି ଟଙ୍କା ଦେଇଥିବା ବେଳେ ଏଏସ୍‌ଆଇର ନିୟମ ପାଇଁ କପିଳାସ, କୁଆଳୋ ଅଷ୍ଟଶମ୍ଭୁ ଏବଂ ଅନନ୍ତଶୟନ ପୀଠରେ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ହୋଇପାରୁନାହିଁ। ଏଏସ୍‌ଆଇ କର୍ତ୍ତୃପକ୍ଷ ନିଜେ କାମ କରୁ ନ ଥିବା ବେଳେ ଅନ୍ୟକୁ ବାଟ ଛାଡୁନାହାନ୍ତି। ସମନ୍ବୟ ଅଭାବରୁ ଏଭଳି ପ୍ରାଚୀନ କୀର୍ତ୍ତିରାଜିର ବିକାଶ କେବଳ କାଗଜ କଲମରେ ସୀମିତ ରହିଯାଇଛି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

ପୀଠକୁ ଭଲ ରାସ୍ତା ନାହିଁ
ଏଏସ୍‌ଆଇ ହାତକୁ ଯିବା ପରେ ଅଷ୍ଟଶମ୍ଭୁ ପୀଠର ଚତୁଃପାର୍ଶ୍ୱରେ ପାଚେରି ଓ ଶୌଚାଳୟ ନିର୍ମାଣ ହୋଇଛି। ହେଲେ ମନ୍ଦିରକୁ ଭଲ ରାସ୍ତା, ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମସ୍ଥଳୀ, ଯାନବାହନ ପାଇଁ ପାର୍କିଂ ସ୍ଥଳ ନାହିଁ। ବୃଦ୍ଧାବୃଦ୍ଧ, ବରିଷ୍ଠ ନାଗରିକ ଚାଲି ଚାଲି ଆସୁଛନ୍ତି।
-ରଣଜିତ୍‌ କୁମାର ରଣା, ମନ୍ଦିର ସଭାପତି
ମନ୍ଦିର କାମ ଆଗେଇ ପାରୁନାହିଁ
ଅଷ୍ଟଶମ୍ଭୁ ମନ୍ଦିରକୁ କଳାପାହାଡ଼ ଭାଙ୍ଗି ଦେଇଥିବା ଶୁଣି ଆସିଛୁ। ଦୀର୍ଘ ୨୫ ବର୍ଷ ହେଲା ଠାକୁରଙ୍କ ସେବା କରି ଆସୁଛି। ହେଲେ ମନ୍ଦିର କାର୍ଯ୍ୟ ଆଗେଇ ପାରୁନାହିଁ। ସରକାରଙ୍କଠାରୁ ଆରମ୍ଭ କରି ପ୍ରଶାସନଙ୍କୁ ଜଣାଇବା ସତ୍ତ୍ୱେ ଫଳ ମିଳୁନାହିଁ।
-ଆଦିତ୍ୟ କୁମାର ରଣା, ମନ୍ଦିର ପୂଜକ
କୌଣସି ବିଭାଗ ବିକାଶ କାର୍ଯ୍ୟ କରିପାରିବ ନାହିଁ
କୁଆଳୋ ଅଷ୍ଟଶମ୍ଭୁ ମନ୍ଦିର, ବ୍ରାହ୍ମଣୀ ନଦୀ କୂଳରେ ଥିବା ଅନନ୍ତଶୟନ ମୂର୍ତ୍ତି ବହୁ ପ୍ରାଚୀନ। ଯେହେତୁ ଏହି ଦୁଇଟି ସ୍ଥାନ ଏଏସ୍‌ଆଇ ଦାୟିତ୍ୱରେ ରହିଛି, ତେଣୁ ସେମାନଙ୍କ ନିୟମ ଅନୁଯାୟୀ ଅନ୍ୟ କୌଣସି ବିଭାଗ ପକ୍ଷରୁ ଏଠାରେ ବିକାଶ କାର୍ଯ୍ୟ କରାଯାଇପାରିବ ନାହିଁ।
-ପ୍ରଦ୍ୟୁମ୍ନ ତ୍ରିପାଠୀ, ଦେବୋତ୍ତର ନିରୀକ୍ଷକ
ସମୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଛି
ଜିଲାରେ ଯେଉଁ ପୀଠଗୁଡ଼ିକ ଏଏସ୍‌ଆଇ ଅଧୀନରେ ରହିଛି, ସେଠାରେ ନିୟମ ଅନୁଯାୟ କୌଣସି କାର୍ଯ୍ୟ କରାଯାଇପାରିବ ନାହିଁ। ସମସ୍ତ ପର୍ଯ୍ୟଟନସ୍ଥଳୀର ଉନ୍ନତି ପାଇଁ ଉଦ୍ୟମ ଜାରି ରହିଛି। ବିଡିଓମାନଙ୍କୁ ଏହାର ଅନୁଧ୍ୟାନ ଓ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
-ସରୋଜ କୁମାର ସେଠୀ, ଜିଲାପାଳ, ଢେଙ୍କାନାଳ


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri