ଜଟିଳ ନିୟମ ପାଇଁ ଜରାଜୀର୍ଣ୍ଣ

ଢେଙ୍କାନାଳ ଅଫିସ,(ରତନ ନାୟାର)୧।୧୨: ଲୁହା ଭାରା ଆଶ୍ରାରେ ଛିଡ଼ା ହୋଇଛି ସପ୍ତମ ଶତାବ୍ଦୀର ଐତିହ୍ୟ କୁଆଳୋ ଅଷ୍ଟଶମ୍ଭୁ ଶୈବପୀଠ। ମନ୍ଦିର ଦଧିନଉତି ଆଖପାଖ ସ୍ଥାନରୁ ପଥର ଖସି ଲଣ୍ଡା ହୋଇଗଲାଣି। ବର୍ଷା ହେଲେ ବେଢ଼ାରେ ଲହଡ଼ି ମାରୁଛି ପାଣି। କେତେବେଳେ ହାତୀ ଉପଦ୍ରବ କରୁଛନ୍ତି ତ ଆଉ କେବେ ଠାକୁରଙ୍କ ସମ୍ପତ୍ତି ଉପରେ ଦୁର୍ବୃତ୍ତ ପକାଉଛନ୍ତି ଲୋଲୁପଦୃଷ୍ଟି। ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ଥିବା ଏହି ପ୍ରାଚୀନ କୀର୍ତ୍ତିରାଜି କୌଣସି ସମୟରେ ଯେ ଭୁଶୁଡ଼ି ନ ପଡ଼ିବ ତାହା କହିହେଉନାହିଁ। ସମାନ ସ୍ଥିତି ଦେଖିବାକୁ ମିଳିଛି ପ୍ରସିଦ୍ଧ ଅନନ୍ତଶୟନ ପୀଠରେ। ଆବଶ୍ୟକ ରକ୍ଷଣାବେକ୍ଷଣ ହେଉ ନ ଥିବାରୁ ଏହା ମଧ୍ୟ ବ୍ରାହ୍ମଣୀ ଗର୍ଭରେ ବିଲୀନ ହେବାକୁ ବସିଛି। ଏହି ଦୁଇ ପୁରାତନ ପୀଠର ସୁରକ୍ଷା ଦାୟିତ୍ୱ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) କାନ୍ଧରେ ନ୍ୟସ୍ତ ଥିବାବେଳେ ଏହାର ବିକାଶ ଲାଗି କେହି ଦେଖାଉନାହାନ୍ତି ସାମାନ୍ୟ ଦରଦ। ଏଏସ୍‌ଆଇର ଜଟିଳ ନିୟମ ଉନ୍ନୟନ କାର୍ଯ୍ୟରେ ପ୍ରତିବନ୍ଧକ ସାଜିଥିବାବେଳେ ଅତୀତକୁ ବର୍ତ୍ତମାନ ସହିତ ଯୋଡ଼ି ଆସିଥିବା ଏହି ପ୍ରତ୍ନତାତ୍ତ୍ୱିକ ଗବେଷଣା ସ୍ଥଳ ବର୍ଷ କେଇଟାରେ ଜନମାନସରୁ ହଜିଯିବ ବୋଲି ସାଧାରଣରେ ଆଲୋଚନା ହେଉଛି।
ନୂଆ ରୂପ ପାଉଛି ପୁରାତନ ମଠମନ୍ଦିର। ଆଧ୍ୟାତ୍ମିକ କ୍ଷେତ୍ରଗୁଡ଼ିକୁ ପର୍ଯ୍ୟଟକ ଅନୁକୂଳ କରିବା ପାଇଁ ‘୫-ଟି’ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରି ଜାରି ରହିଛି ବିକାଶ। ହେଲେ ଏଏସ୍‌ଆଇ ଅଧୀନରେ ଥିବା ପୁରାତନ କୀର୍ତ୍ତିରାଜି ପାରିପାର୍ଶ୍ୱିକ ଅଞ୍ଚଳର ଉନ୍ନୟନ କାର୍ଯ୍ୟ ଇଚ୍ଛାଶକ୍ତିର ଅଭାବରୁ ଆଣ୍ଠେଇ ପଡ଼ିଛି। ଏଏସ୍‌ଆଇ ପକ୍ଷରୁ ଘୋଷିତ ନିଷିଦ୍ଧାଞ୍ଚଳରେ ସ୍ଥାନୀୟ ପ୍ରଶାସନ ମାଟି ମୁଠାଏ ପକାଇପାରୁ ନ ଥିବାବେଳେ ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର କୁଆଳୋସ୍ଥିତ ପ୍ରସିଦ୍ଧ ଶୈବକ୍ଷେତ୍ର ଅଷ୍ଟଶମ୍ଭୁ ଏବଂ ସରାଙ୍ଗସ୍ଥିତ ଅନନ୍ତଶୟନ ପୀଠ ଗୁରୁତ୍ୱ ହରାଉଥିବା ଅଭିଯୋଗ ହେଉଛି।
ଅଷ୍ଟଶମ୍ଭୁ ମନ୍ଦିରର ପ୍ରମୁଖ ଦେବତା ମହାପ୍ରଭୁ କନକେଶ୍ୱର। ଏହାବାଦ୍‌ ପୀଠ ପରିସରରେ ସ୍ବପ୍ନେଶ୍ୱର, ଅଶ୍ୱନେଶ୍ୱର, କପିଳେଶ୍ୱର, ବୈଦ୍ୟନାଥେଶ୍ୱର, ବାଣେଶ୍ୱର, ଲୋକନାଥେଶ୍ୱର ଏବଂ ଉତ୍ତରେଶ୍ୱର ମହାଦେବଙ୍କ ଛୋଟବଡ଼ ଦେଉଳ ରହିଛି। ମା’ ପାର୍ବତୀଙ୍କ ମନ୍ଦିର ମଧ୍ୟ ଏଠାକାର ଅନ୍ୟତମ ଆକର୍ଷଣ। ହେଲେ ଆବଶ୍ୟକ ମରାମତି କରାଯାଉ ନ ଥିବାରୁ ମନ୍ଦିରଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ। ଖସିଯାଇଥିବା ପଥର ଲଗାଇବା ଦିଗରେ ଏଏସ୍‌ଆଇ କୌଣସି ପଦକ୍ଷେପ ନେଉନାହିଁ। କୁଆଳୋ ଗ୍ରାମରୁ ପୀଠର ଦୂରତା ୫ କି.ମି. ହୋଇଥିବାବେଳେ ସେଠାକୁ ଯିବା ପାଇଁ ଭଲ ରାସ୍ତା ନାହିଁ। ଅଞ୍ଚଳର ଗର୍ବ ସାଜିଥିବା ଏହି ପୀଠକୁ ଅନ୍ଧକାରରୁ ମୁକ୍ତ କରିବା ଲାଗି ଗ୍ରାମବାସୀ ନିଜସ୍ବ ଉଦ୍ୟମରେ ଆଲୋକୀକରଣ କରିଛନ୍ତି। ୨୦୦୪ରୁ ଏଏସ୍‌ଆଇ ଦାୟିତ୍ୱ ନେବା ପରେ ସୁରକ୍ଷା ପାଇଁ ଯଦିଓ କେତେକ ସ୍ଥାନରେ କାମ ହୋଇଛି, ତଥାପି ଏହା ସମୁଦ୍ରକୁ ଶଙ୍ଖେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ସବୁଠାରୁ ବଡ଼କଥା ହେଉଛି, ଏଏସ୍‌ଆଇର ଜଟିଳ ନିୟମ ଆଗରେ ସରକାର, ଜିଲା ପ୍ରଶାସନ ଏବଂ ଦେବୋତ୍ତର ବିଭାଗ ଅସହାୟ ହୋଇପଡ଼ିବା। କାରଣ ପୂର୍ବରୁ ରାସ୍ତା ଉନ୍ନତୀକରଣ ପାଇଁ ଉଦ୍ୟମ କରିଥିବା ଜଣେ ଜିଲାପାଳଙ୍କ ନାମରେ ଏଏସ୍‌ଆଇ କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିଥିଲେ। ଏହାପରେ କୌଣସି ପ୍ରଶାସନିକ ଅଧିକାରୀ ଅଷ୍ଟଶମ୍ଭୁ ପୀଠର ଉନ୍ନତି ପାଇଁ ପଦକ୍ଷେପ ନେବାକୁ ସାହସ ଜୁଟାଇ ପାରୁନାହାନ୍ତି।
ସେହିପରି ବ୍ରାହ୍ମଣୀ ନଦୀ ଶଯ୍ୟାରେ ଅବସ୍ଥିତ ନବମ ଶତାବ୍ଦୀର ପ୍ରସ୍ତର ଭାସ୍କର୍ଯ୍ୟ କୀର୍ତ୍ତି ଅନନ୍ତଶୟନ ପୀଠରେ ପର୍ଯ୍ୟଟକ ଅନୁକୂଳ ବାତାବରଣ ନାହିଁ। ବର୍ଷାଦିନେ ନଈ ବଢ଼ି ଆସିଲେ ମହାପ୍ରଭୁ ବିଷ୍ଣୁଙ୍କ ମୂର୍ତ୍ତି ବାଲିଚର ହୋଇଯାଉଛି। ଜଳସ୍ରୋତ ଏବଂ ଅନ୍ୟାନ୍ୟ କାରଣରୁ ମୂର୍ତ୍ତି ମଧ୍ୟ ଅବକ୍ଷୟ ହେବାରେ ଲାଗିଛି। ଢେଙ୍କାନାଳ ଜିଲାର ପର୍ଯ୍ୟଟନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୫୦ କୋଟି ଟଙ୍କା ଦେଇଥିବା ବେଳେ ଏଏସ୍‌ଆଇର ନିୟମ ପାଇଁ କପିଳାସ, କୁଆଳୋ ଅଷ୍ଟଶମ୍ଭୁ ଏବଂ ଅନନ୍ତଶୟନ ପୀଠରେ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ହୋଇପାରୁନାହିଁ। ଏଏସ୍‌ଆଇ କର୍ତ୍ତୃପକ୍ଷ ନିଜେ କାମ କରୁ ନ ଥିବା ବେଳେ ଅନ୍ୟକୁ ବାଟ ଛାଡୁନାହାନ୍ତି। ସମନ୍ବୟ ଅଭାବରୁ ଏଭଳି ପ୍ରାଚୀନ କୀର୍ତ୍ତିରାଜିର ବିକାଶ କେବଳ କାଗଜ କଲମରେ ସୀମିତ ରହିଯାଇଛି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

ପୀଠକୁ ଭଲ ରାସ୍ତା ନାହିଁ
ଏଏସ୍‌ଆଇ ହାତକୁ ଯିବା ପରେ ଅଷ୍ଟଶମ୍ଭୁ ପୀଠର ଚତୁଃପାର୍ଶ୍ୱରେ ପାଚେରି ଓ ଶୌଚାଳୟ ନିର୍ମାଣ ହୋଇଛି। ହେଲେ ମନ୍ଦିରକୁ ଭଲ ରାସ୍ତା, ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମସ୍ଥଳୀ, ଯାନବାହନ ପାଇଁ ପାର୍କିଂ ସ୍ଥଳ ନାହିଁ। ବୃଦ୍ଧାବୃଦ୍ଧ, ବରିଷ୍ଠ ନାଗରିକ ଚାଲି ଚାଲି ଆସୁଛନ୍ତି।
-ରଣଜିତ୍‌ କୁମାର ରଣା, ମନ୍ଦିର ସଭାପତି
ମନ୍ଦିର କାମ ଆଗେଇ ପାରୁନାହିଁ
ଅଷ୍ଟଶମ୍ଭୁ ମନ୍ଦିରକୁ କଳାପାହାଡ଼ ଭାଙ୍ଗି ଦେଇଥିବା ଶୁଣି ଆସିଛୁ। ଦୀର୍ଘ ୨୫ ବର୍ଷ ହେଲା ଠାକୁରଙ୍କ ସେବା କରି ଆସୁଛି। ହେଲେ ମନ୍ଦିର କାର୍ଯ୍ୟ ଆଗେଇ ପାରୁନାହିଁ। ସରକାରଙ୍କଠାରୁ ଆରମ୍ଭ କରି ପ୍ରଶାସନଙ୍କୁ ଜଣାଇବା ସତ୍ତ୍ୱେ ଫଳ ମିଳୁନାହିଁ।
-ଆଦିତ୍ୟ କୁମାର ରଣା, ମନ୍ଦିର ପୂଜକ
କୌଣସି ବିଭାଗ ବିକାଶ କାର୍ଯ୍ୟ କରିପାରିବ ନାହିଁ
କୁଆଳୋ ଅଷ୍ଟଶମ୍ଭୁ ମନ୍ଦିର, ବ୍ରାହ୍ମଣୀ ନଦୀ କୂଳରେ ଥିବା ଅନନ୍ତଶୟନ ମୂର୍ତ୍ତି ବହୁ ପ୍ରାଚୀନ। ଯେହେତୁ ଏହି ଦୁଇଟି ସ୍ଥାନ ଏଏସ୍‌ଆଇ ଦାୟିତ୍ୱରେ ରହିଛି, ତେଣୁ ସେମାନଙ୍କ ନିୟମ ଅନୁଯାୟୀ ଅନ୍ୟ କୌଣସି ବିଭାଗ ପକ୍ଷରୁ ଏଠାରେ ବିକାଶ କାର୍ଯ୍ୟ କରାଯାଇପାରିବ ନାହିଁ।
-ପ୍ରଦ୍ୟୁମ୍ନ ତ୍ରିପାଠୀ, ଦେବୋତ୍ତର ନିରୀକ୍ଷକ
ସମୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଛି
ଜିଲାରେ ଯେଉଁ ପୀଠଗୁଡ଼ିକ ଏଏସ୍‌ଆଇ ଅଧୀନରେ ରହିଛି, ସେଠାରେ ନିୟମ ଅନୁଯାୟ କୌଣସି କାର୍ଯ୍ୟ କରାଯାଇପାରିବ ନାହିଁ। ସମସ୍ତ ପର୍ଯ୍ୟଟନସ୍ଥଳୀର ଉନ୍ନତି ପାଇଁ ଉଦ୍ୟମ ଜାରି ରହିଛି। ବିଡିଓମାନଙ୍କୁ ଏହାର ଅନୁଧ୍ୟାନ ଓ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
-ସରୋଜ କୁମାର ସେଠୀ, ଜିଲାପାଳ, ଢେଙ୍କାନାଳ


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଚାଞ୍ଚଲ୍ୟ: ଟ୍ରାଏଲ୍‌ ରୁମ୍‌ରେ ମହିଳା କର୍ମଚାରୀଙ୍କୁ ଗଳାକାଟି ହତ୍ୟା

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ଏକ ପୋଷାକ ଶୋ’ରୁମ୍‌ରେ କାମ କରୁଥିବା ଜଣେ ୧୮ ବର୍ଷୀୟା କର୍ମଚାରୀଙ୍କୁ ଟ୍ରାଏଲ୍‌ ରୁମ୍‌ରେ ଗଳାକାଟି ହତ୍ୟା କରାଯାଇଛି। ବ୍ୟକ୍ତିଗତ ସମ୍ପର୍କରେ ଫାଟ ଏବଂ…

ଏହି ୪ଟି ରାଶି ପାଇଁ ଆଗକୁ ରହିଛି କଠିନ ସମୟ, ସତର୍କ ନ ରହିଲେ ବଡ଼ ବିପଦ…

୧୬ ନଭେମ୍ବର ୨୦୨୬ରେ ସୂର୍ଯ୍ୟଦେବ ବିଛା ରାଶିକୁ ପ୍ରବେଶ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗୋଚରର ପ୍ରଭାବ କିଛି ରାଶିର ଜାତକଙ୍କ ଜୀବନରେ ପଡ଼ିପାରେ। ବିଶେଷକରି…

ଅତି ଖରାପ ସ୍ଥିତିରେ ଦିଲ୍ଲୀ ବାୟୁ ଗୁଣବତ୍ତା, ଘେରି ରହୁଛି ଧୂଳି, ଧୂଆଁର ଘନ ଆସ୍ତରଣ

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ରବିବାର ସକାଳେ ଅଧିକାଂଶ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ଅତି ଖରାପ ଦର୍ଶାଇଥିବା ବେଳେ ୭ଟିରେ ଗମ୍ଭୀର ସ୍ଥିତି ଦର୍ଶାଇଛି। ମୋଟାମୋଟି…

ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ: ଏକାଠି ହେଲେ କନ୍ଧମାଳ,ଗଜପତିର ଆଦିବାସୀ ସମାଜ

ବ୍ରାହ୍ମଣୀଗାଁ,୧୫।୧୧(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଶିବ ମନ୍ଦିର ପଡ଼ିଆରେ ରବିବାର ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।…

ଗୁଣପୁରରେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ

ଗୁଣପୁର,୧୫।୧୧(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା…

କେରଳ ହାଇକୋର୍ଟଙ୍କ ବଡ଼ ପ୍ରସ୍ତାବ, କିଶୋର ବୟସର ସୀମା ୧୮ରୁ ୧୬ ବର୍ଷକୁ ହ୍ରାସ….

କୋଚି,୧୫ା୧୧: ନାବାଳକ ବୟସ ସୀମାକୁ ନେଇ ବଡ଼ କଥା କହିଛନ୍ତି କେରଳ ହାଇକୋର୍ଟ । ଅପରାଧର ବଦଳୁଥିବା ସ୍ବରୂପ ଏବଂ ପିଲାମାନଙ୍କଠାରେ ଦେଖାଯାଉଥିବା ପରିପକ୍ୱତାକୁ ଦୃଷ୍ଟିରେ ରଖି…

ଠେଙ୍ଗାରେ ଆକ୍ରମଣ କରି ହତ୍ୟା ଉଦ୍ୟମ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୫।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଶ୍ରୀଚନ୍ଦନପୁର ଗ୍ରାମର ବିରୁପାକ୍ଷ ମହାପାତ୍ରଙ୍କୁ ଗ୍ରାମର ହିନ ଗଉଡ଼(୫୦) ଶନିବାର ଅପରାହ୍ନରେ ଏକ ଠେଙ୍ଗାରେ ଆକ୍ରମଣ କରି…

ମାଡ଼ି ଆସୁଛି ବାତ୍ୟା: ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ଆଗୁଆ ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୫।୧୧(ସବିତା ମିଶ୍ର): ପୁଣି ଏକ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୁରୁଷୋତ୍ତମପୁର ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ସହ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?