ଜୁନାଗଡ଼,୩।୧୧(ସୁନୀଲ କୁମାର ସିଂହ): ଆସନ୍ତା ଆଲୋକର ପର୍ବ ଦୀପାବଳିକୁ ଦୃଷ୍ଟିରେ ରଖି ଖାଦ୍ୟର ଗୁଣବତ୍ତା, ନିରାପତ୍ତା ଓ ସ୍ୱଚ୍ଛତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ମଙ୍ଗଳବାର ଜୁନାଗଡ଼ ସହରର ବିଭିନ୍ନ ମିଠା ଦୋକାନରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ହଠାତ୍ ଚଢ଼ାଉ କରାଯାଇଛି।
ଏହି ଯାଞ୍ଚ ଅଭିଯାନ ସମୟରେ ମିଠାର ମାନ ଓ ଗୁଣବତ୍ତା ପରୀକ୍ଷା ପାଇଁ ବିଭିନ୍ନ ଦୋକାନରୁ ୩ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇ ଲାବୋରେଟରୀକୁ ପଠାଯାଇଛି। ସେହିପରି ଅସ୍ୱଚ୍ଛ ପରିବେଶରେ ଗଚ୍ଛିତ ରଖାଯାଇଥିବା ଏବଂ ସ୍ୱାସ୍ଥ୍ୟ ପାଇଁ ହାନିକାରକ ପ୍ରାୟ ୧୫ କିଲୋଗ୍ରାମ ବାସି ଖାଦ୍ୟ ସାମଗ୍ରୀକୁ ଘଟଣାସ୍ଥଳରେ ହିଁ ନଷ୍ଟ କରାଯାଇଛି।
ବିନା ବୈଧ ଏଫ୍ଏସ୍ଏସ୍ଏଆଇ (FSSAI) ଲାଇସେନ୍ସ କିମ୍ବା ପଞ୍ଜୀକରଣରେ ବ୍ୟବସାୟ ଚଳାଉଥିବା ୨ଟି ପ୍ରତିଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏଥିସହିତ, ଖାଦ୍ୟ ନିରାପତ୍ତା ଓ ମାନବ ଆଇନ, ୨୦୦୬ର ଧାରା ୬୯ ଅନୁଯାୟୀ ନିୟମ ଉଲ୍ଲଂଘନ କରିଥିବା ୨ଟି ଦୋକାନରୁ ମୋଟ ୧୦,୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।
କଳାହାଣ୍ଡି ଜିଲା ଖାଦ୍ୟ ନିରାପତ୍ତା ଅଧିକାରୀ ବିଶ୍ୱଜିତ ନାଏକଙ୍କ ନେତୃତ୍ୱରେ ପରିଚାଳିତ ଏହି ଚଢ଼ାଉ ଅଭିଯାନରେ ଜୁନାଗଡ଼ ଥାନାର ପୋଲିସ କର୍ମଚାରୀମାନେ ସାମିଲ ହୋଇ ସହଯୋଗ କରିଥିଲେ। ଆଗାମୀ ପାର୍ବଣ ଋତୁରେ ଅସାଧୁ ବ୍ୟବସାୟୀଙ୍କ ଉପରେ ଏହିପରି କଡ଼ା ନଜର ରଖାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।