କେସିଙ୍ଗାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୨୧ ଦୋକାନରୁ ୧୩ ହଜାର ଜରିମାନା, ୩୮ କେଜି ବାସି ଖାଦ୍ୟ ନଷ୍ଟ

କେସିଙ୍ଗା,୨୯।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ ଓ ମିଠା ଦୋକାନଗୁଡ଼ିକରେ ଶନିବାର କଳାହାଣ୍ଡି ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଆକସ୍ମିକ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ୨୧ଟି ଦୋକାନରୁ ମୋଟ ୧୩ ହଜାର ଟଙ୍କା ଜରିମାନା ଆଦାୟ କରାଯିବା ସହ ପ୍ରାୟ ୩୮ କେଜି ଅସ୍ୱାସ୍ଥ୍ୟକର ଓ ବାସି ଖାଦ୍ୟ ଜବତ କରି ନଷ୍ଟ କରାଯାଇଛି।

ବିଭାଗୀୟ ସୂଚନା ଅନୁସାରେ, ଖାଦ୍ୟର ଗୁଣାତ୍ମକ ମାନ, କୃତ୍ରିମ ରଙ୍ଗ ମିଶ୍ରଣ, ବାସି ଖାଦ୍ୟ ବିକ୍ରି, ଲେବୁଲ୍‌ ବିହୀନ ପ୍ୟାକେଟ୍, ବେଆଇନ ପଲିଥିନ୍ ବ୍ୟବହାର ଏବଂ ବିନା ଲାଇସେନ୍ସରେ ବ୍ୟବସାୟ ଚଳାଉଥିବା ଅଭିଯୋଗରେ ଏହି ଚାଲାଣ କଟାଯାଇଛି। ଏଥିସହ କେତେକ ହୋଟେଲରୁ ଖାଦ୍ୟ ନମୁନା (ସାମ୍ପୁଲ୍) ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଯଦି ପରୀକ୍ଷା ରିପୋର୍ଟ ଖରାପ ଆସେ, ତେବେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ଅଧିକାରୀ ସ୍ପଷ୍ଟ କରିଛନ୍ତି।

ଏ ସମ୍ପର୍କରେ ଫୁଡ୍ ସେଫ୍ଟି ଅଫିସର ବିଶ୍ୱଜିତ ନାଏକ ପ୍ରକାଶ କରିଛନ୍ତି ଯେ, ସହରବାସୀଙ୍କୁ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଇଦେବା ଲକ୍ଷ୍ୟରେ ଖାଦ୍ୟ ପ୍ରସ୍ତୁତିର ମାନ ଓ ସ୍ୱଚ୍ଛତା ଉପରେ କଡ଼ା ନଜର ରଖାଯାଉଛି। ଏହି ଚଢ଼ାଉ ଅଭିଯାନରେ ଏନଏସି ନୋଡାଲ ଅଫିସର କିଶୋର ଚନ୍ଦ୍ର ଦାଶ, ଜେଇ ଶୁଶାନ୍ତ କୁମାର ନାଏକ, ଜେଏସଇ ବସନ୍ତ କୁମାର ବାରିକ, ଡିଏମ୍‌ଏମ୍ ନୃସିଂହ ବେହେରାଙ୍କ ସମେତ ସ୍ଥାନୀୟ ପୋଲିସ ଓ ଖାଦ୍ୟ ନିରାପତ୍ତା ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share