ଖାଦ୍ୟ ନିରାପତ୍ତା ବିଭାଗର ବଡ଼ ଆକ୍ସନ! ବିଭିନ୍ନ ହୋଟେଲରେ ଚଢ଼ାଉ, କୁଢ଼ କୁଢ଼ ବାସି ଖାଦ୍ୟ…

ଜୁନାଗଡ଼,୧୦।୬(ସୁନୀଲ କୁମାର ସିଂହ)- ଜନସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ବୁଧବାର ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ ଏ ସି) ଅଞ୍ଚଳରେ ଥିବା ବିଭିନ୍ନ ଖାଦ୍ୟ ଷ୍ଟଲ୍‌ ଉପରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଏକ ଚଢ଼ଉ କରାଯାଇଛି। ଖାଦ୍ୟର ଗୁଣବତ୍ତା ଏବଂ ସ୍ୱଚ୍ଛତା ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ବିଶେଷ ଅଭିଯାନ କରାଯାଇଥିଲା।
ଏହି ଯାଞ୍ଚ ସମୟରେ ପ୍ରାୟ ୨୫ କିଲୋଗ୍ରାମର ବାସି ଅଦରକାରୀ ଏବଂ କୃତ୍ରିମ ରଙ୍ଗ ମିଶ୍ରିତ ଖାଦ୍ୟ ଜବତ କରାଯାଇ ଘଟଣା ସ୍ଥଳରେ ହିଁ ନଷ୍ଟ କରାଯାଇଥିଲା। ଏହା ସହିତ କୌଣସି ପ୍ରସ୍ତୁତ ଖାଦ୍ୟରେ କୃତ୍ରିମ ରଙ୍ଗ ବ୍ୟବହାର ନ କରିବା ପାଇଁ ଖାଦ୍ୟ ବ୍ୟବସାୟୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଅବସରରେ ସହରର ଫଳ ଦୋକାନ, ଲସି ସେଣ୍ଟର, ବେକରୀ ଏବଂ ଉଠାଦୋକାନୀ (ହକର୍ସ) ମାନଙ୍କର ଯାଞ୍ଚ କରାଯାଇଥିଲା। ବିଶେଷ କରି ଫଳଗୁଡ଼ିକୁ କୃତ୍ରିମ ଉପାୟରେ ପଚାଇବା ପାଇଁ କାର୍ବାଇଡ୍‌ ବ୍ୟବହାର କରାଯାଉଛି କି ନାହିଁ, ତାହା ଯାଞ୍ଚ କରାଯାଇଥିଲା। ତଦନ୍ତ ସମୟରେ ଖୁଚୁରା ବ୍ୟବସାୟୀମାନେ ଏହି ସବୁ ଫଳ କେଉଁ ସ୍ଥାନରୁ ବା କେଉଁ ସୂତ୍ରରୁ ଆଣୁଛନ୍ତି, ସେ ସମ୍ପର୍କିତ ସମସ୍ତ ବିବରଣୀ ସଂଗ୍ରହ କରାଯାଇଛି।

ଏହି ଯାଞ୍ଚ ସମୟରେ ଯେଉଁ ଖାଦ୍ୟ ବ୍ୟବସାୟୀମାନେ ବିନା ବୈଧ ଲାଇସେନ୍ସରେ ଦୋକାନ ଚଳାଉଥିଲେ, ସେମାନଙ୍କୁ ବିଭାଗ ପକ୍ଷରୁ କଡ଼ା ନୋଟିସ୍‌ ଜାରି କରାଯାଇଛି। ସେହିପରି ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ବିକ୍ରି କରୁଥିବା ଉଠାଦୋକାନୀମାନଙ୍କୁ ସ୍ୱଚ୍ଛତା ବଜାୟ ରଖିବା ପାଇଁ କଡ଼ା ଚେତାବନୀ ଦିଆଯାଇଛି। ଏହା ସହିତ ସ୍ଥାନୀୟ ବେକରୀ ଷ୍ଟଲ୍‌ଗୁଡ଼ିକରେ ଉପଯୁକ୍ତ ଲେବଲିଂ ଏବଂ ପରିଷ୍କାର ପରିଚ୍ଛନ୍ନତା ରହିଛି କି ନାହିଁ, ତାହାର ମଧ୍ୟ ତଦାରଖ କରାଯାଇଥିଲା। ଏହି ଚଢ଼ାଉରେ ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନิରାପତ୍ତା ଅଧିକାରୀ ବିଶ୍ୱଜିତ ନାଏକ, ସହକାରୀ ଖାଦ୍ୟ ନିରାପତ୍ତା ଅଧିକାରୀ, ରାଜୀବ ଲୋଚନ ରଣା, ଏମ ଟିଏସ ଗଜେନ୍ଦ୍ର କୈବର୍ତ୍ତ ପ୍ରମୁଖ ସାମିଲ ଥିଲେ।

 

Dharitri – Odisha’s No.1 Odia Daily

Share