ପ୍ରବହମାନତା ହିଁ ଭାଷାକୁ ଜୀବନ୍ତ କରି ରଖେ

ସମୟର ଆହ୍ବାନକୁ ଠିକ୍‌ ଭାବରେ ମୁକାବିଲା ନ କରିପାରିଲେ ଭାଷା ବିଲୁପ୍ତି ଅବଶ୍ୟମ୍ଭାବୀ। ପୃଥିବୀ ପୃଷ୍ଠରୁ ବହୁ ଭାଷା ବିଲୁପ୍ତ ହେବା ପଛରେ ଏହା ଏକମାତ୍ର କାରଣ। ଭାଷାର ପ୍ରବହମାନତା ହିଁ ଭାଷାକୁ ଜୀବନ୍ତ କରି ରଖେ। ଯଦି ଭାଷାର ପ୍ରବହମାନତା ନଷ୍ଟ ହୋଇଯାଏ, ସମୟ ସହ ପରିବର୍ତ୍ତିତ ନ ହୁଏ, ସେହି କ୍ଷେତ୍ରରେ ଭାଷା ଅଚଳ ହୋଇ ମୃତ୍ୟୁର ସମ୍ମୁଖୀନ ହୁଏ। ଭାଷା ଅଚଳ ହେବାର ପ୍ରମୁଖ କାରଣ ହେଉଛି ନୂତନ ଶବ୍ଦାବଳୀ ଆହରଣ ଓ ନୂତନ ଚିନ୍ତନ ସମୀକରଣର ଅସଫଳତା। ଲୋକଜୀବନର ବ୍ୟବହୃତ ଭାଷାର ମାନ୍ୟତା ପ୍ରଦାନ। ଲୋକଜୀବନରେ ବ୍ୟବହୃତ ଭାଷା ଯଦି ଲିଖନ ପରମ୍ପରାକୁ ପ୍ରବେଶ ନ କରେ, ତେବେ ଭାଷା ତାହାର ପ୍ରାସଙ୍ଗିକତା ହରାଇ ବସେ ଓ କ୍ରମେ ଅଚଳ ହୋଇଯାଏ।
ତେବେ ଭାଷାର ପ୍ରୟୋଗ ଓ ବ୍ୟବହାର ଦ୍ୱାରା ଲୌକିକ ଭାଷା ଏକ ଚଳଚଞ୍ଚଳ ଭାଷାରେ ରୂପାନ୍ତରିତ ହୋଇ ସୁଦୂରପ୍ରସାରୀ ହୋଇପାରିଥାଏ। ଭାଷା ସବୁବେଳେ ସମୃଦ୍ଧି ପଥରେ ଯାଏ, ବିଲୁପ୍ତି ପଥରେ ନୁହେଁ। ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷାର ବର୍ତ୍ତମାନ ସ୍ଥିତିକୁ ଆକଳନ କରିବାକୁ ପଡ଼ିବ। ବାସ୍ତବର ପ୍ରଗତି ସହ ଓଡ଼ିଆ ଭାଷା କେତେ ପରିମାଣରେ ସଂଯୋଜିତ, ତାହା ଅନୁଶୀଳନ କରିବାର ଆବଶ୍ୟକତା ରହିଛି। ଓଡ଼ିଶାର ରାଜନୈତିକ ପରିଚାଳନା ଏବଂ ବିଚାରଧାରା, ଅର୍ଥନୈତିକ ପ୍ରଗତି ଓ ଯୋଜନା, କାରିଗରି କୌଶଳ, ଜ୍ଞାନଚର୍ଚ୍ଚା ଏବଂ ସାଂସ୍କୃତିକ ନବୀକରଣରେ ଓଡ଼ିଆ ଭାଷାର କେତେ ପରିମାଣରେ ଯୋଗଦାନ ରହିଛି, ତାହା ଅନୁଶୀଳନ କରିବାର ସମୟ ଆସିଛି। ଦେଖିବାକୁ ଗଲେ, ରାଜନୀତି ପରିଚାଳନା ଏବଂ ବିଚାରଧାରା ଏବଂ ସାଂସ୍କୃତିକ ନବୀକରଣରେ ଓଡ଼ିଆ ଭାଷା ପ୍ରଭୂତ ଭାବରେ ବ୍ୟବହାର ହେଉଥିବା ସମୟରେ ଅର୍ଥନୈତିକ, କାରିଗରି କୌଶଳ ଏବଂ ଜ୍ଞାନ ଚର୍ଚ୍ଚାରେ ଇଂଲିଶ ଭାଷାର ପ୍ରାଧାନ୍ୟ ରହିଛି। ଓଡ଼ିଆ ଶବ୍ଦର ବିକାଶକ୍ରମରେ ରାଜନୈତିକ ବକ୍ତବ୍ୟ ଓ ସାଂସ୍କୃତିକ ଶବ୍ଦ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହା ଓଡ଼ିଆ ଭାଷାକୁ ଚଳଚଞ୍ଚଳ କରିବା ସହ ଜୀବନଜୀବିକା ପ୍ରଦାନ କରିଛି। ଖାଦ୍ୟ, ପୋଷାକ, ଜୀବନଯାପନ ଶୈଳୀ ସମ୍ପର୍କିତ ବହୁ ନୂତନ ଶବ୍ଦ ଓଡ଼ିଆ ଶବ୍ଦ ଭଣ୍ଡାରକୁ ପ୍ରବେଶ କରିଛି। ଅର୍ଥନୈତିକ, କାରିଗରି କୌଶଳ ଓ ଜ୍ଞାନଚର୍ଚ୍ଚା ପରମ୍ପରାରେ ଏହା ଦେଖିବାକୁ ମିଳୁ ନାହିଁ। ଏହା ଏବେ ବି ଓଡ଼ିଶାରେ ଶୈଶବସ୍ତରରେ ଏବଂ କେବଳ ମୁଷ୍ଟିମେୟଙ୍କ ମଧ୍ୟରେ ସୀମାବଦ୍ଧ ହୋଇ ରହିଛି। ଯେଉଁଦିନ ଏହା ଲୋକଙ୍କ ଭାଷାରେ ପରିଣତ ହେବ, ସେଦିନ ଓଡ଼ିଆ ଭାଷା ଶୀର୍ଷସ୍ତରରେ ଉପନୀତ ହେବ। ଏହା ଯେପରି ସମ୍ଭବ ହେବ ଏଥିନିମନ୍ତେ ଏଠାରେ ପାଞ୍ଚୋଟି ମାର୍ଗ ଉପସ୍ଥାପନ କରାଯାଉଛି।
ଡିଜିଟାଲ ମାଧ୍ୟମ: ସମାଜର ପ୍ରତ୍ୟେକସ୍ତରରେ କମ୍ପ୍ୟୁଟର ଏବଂ ଡିଜିଟାଲ ପ୍ଲାଟଫର୍ମର ବ୍ୟବହାର ହେଉଛି। ମାତ୍ର ଅଧିକାଂଶସ୍ତରରେ ଏହା ଇଂଲିଶ ଭାଷା ମାଧ୍ୟମରେ ହେଉଛି। ପ୍ରତ୍ୟେକସ୍ତରରେ କମ୍ପ୍ୟୁଟର ଓ ମୋବାଇଲର ଭାଷା ଓଡ଼ିଆ ହେବା ଆବଶ୍ୟକ। ଏଥିନିମନ୍ତେ ଏକ ସହଜ ଭାଷା ପ୍ରୋଗ୍ରାମ ପ୍ରତ୍ୟେକ କମ୍ପ୍ୟୁଟର ଓ ମୋବାଇଲରେ ଉପଲବ୍ଧ, ତାହାର ନାମ ୟୁନିକୋଡ୍‌। ସମସ୍ତ ଭାରତୀୟ ଭାଷା ଏହି ‘ୟୁନିକୋଡ୍‌’ ପ୍ରୋଗ୍ରାମ ମାଧ୍ୟମରେ ଅତି ସହଜରେ ଲେଖାଯାଇପାରିବ। ଏଣୁ ୟୁନିକୋଡର ବହୁ ବ୍ୟବହାର ଦ୍ୱାରା ଓଡ଼ିଆ ଭାଷା ଡିଜିଟାଲ ପ୍ଲାଟଫର୍ମରେ ଏକ ସମ୍ଭାବନା ସୃଷ୍ଟି କରିପାରିଛି।
ଜ୍ଞାନ ଚର୍ଚ୍ଚା ଓ କାରିଗରି କୌଶଳ: ଜ୍ଞାନ ଚର୍ଚ୍ଚା, ଗବେଷଣା ଏବଂ କାରିଗରୀ କୌଶଳର ଭାଷା ମୁଖ୍ୟତଃ ଇଂଲିଶ। ସମ୍ପ୍ରତି ଓଡ଼ିଆ ଭାଷାକୁ ଜ୍ଞାନ ଚର୍ଚ୍ଚାର ଭାଷା, କାରିଗରୀ କୌଶଳକୁ ଓଡ଼ିଆ ଭାଷା ମାଧ୍ୟମରେ ପ୍ରକାଶ କରିବାକୁ ଉଦ୍ୟମ କରାଯାଇଛି। ଏଣୁ ଗବେଷଣା ଓ ଉଚ୍ଚଶିକ୍ଷା ନିମନ୍ତେ ବିଭିନ୍ନ ଭାଷାର ଉପାଦେୟ ଗ୍ରନ୍ଥକୁ ଓଡ଼ିଆ ଭାଷାକୁ ଅନୁବାଦ କରାଯାଇଛି। ଅନୁବାଦ ମାଧ୍ୟମରେ ଏହି ସମ୍ପର୍କର ସଫଳ ମୁକାବିଲା ଅସମ୍ଭବ। ମୂଳ ଗ୍ରନ୍ଥର ଉପାଦେୟ ଅନୁବାଦ ହୁଏତ ସର୍ବଦା ସମ୍ଭବ ହୋଇପାରିବ ନାହିଁ। ଏହା ଏକ ଜଟିଳ ପ୍ରକ୍ରିୟା। ଏଣୁ ଓଡ଼ିଆ ଭାଷାରେ ମୌଳିକ ଭାବରେ ଜ୍ଞାନଗ୍ରନ୍ଥ ପ୍ରଣୟନ କରାଯିବା ଆବଶ୍ୟକ।
ସାମାଜିକ ନ୍ୟାୟ ଓ ସାମୂହିକ ପ୍ରଗତି : ପ୍ରଶାସନର ବାର୍ତ୍ତା ସର୍ବଦା ସରଳ ଓ ବୋଧଗମ୍ୟ ଓଡ଼ିଆ ଭାଷାରେ ହେବାର ଆବଶ୍ୟକ ରହିଛି। ଇଂଲିଶ ଭାଷାର ବ୍ୟବହାର ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଲିଙ୍ଗୁଆ ଫାଙ୍କା ସୃଷ୍ଟି କରିଛି। ଯଦି ସର୍ବସାଧାରଣଙ୍କ ଭାଷା ପ୍ରଶାସନର ଓ ନ୍ୟାୟାଳୟର ଭାଷା ହୁଏ, ତେବେ ଭାଷା ପ୍ରଗତିର ଅଫୁରନ୍ତ ଉତ୍ସ ସୃଷ୍ଟି ହେବା ସହ ସାମାଜିକ ନ୍ୟାୟ ଓ ସାମୁହିକ ପ୍ରଗତିକୁ ଅଧିକ ଜନାଭିମୁଖୀ କରିବାରେ ସହାୟକ ହୋଇପାରିବ।
କୃତ୍ରିମ ବୁଦ୍ଧିମତ୍ତା ଓ ପ୍ରାଦେଶିକ ଭାଷା ସମସ୍ୟା: ଜାତୀୟ ଓ ପ୍ରାଦେଶିକସ୍ତରରେ ହେଉଥିବା ଅଧିକାଂଶ ପ୍ରତିଯୋଗିତାମୂଳକ ପରୀକ୍ଷା ଇଂଲିଶ ଭାଷାରେ ଅନୁଷ୍ଠିତ ହେଉଛି। ଏହି ସମସ୍ତ ପରୀକ୍ଷା ପ୍ରାଦେଶିକ ଭାଷାରେ ହେବା ଉଚିତ। ଏହାଦ୍ୱାରା ହିଁ ସାମାଜିକ ନ୍ୟାୟ ସମ୍ଭବ। ବିଭିନ୍ନ ପ୍ରାଦେଶିକ ଭାରତୀୟ ଭାଷା ସମୂହ ମଧ୍ୟରେ ରହିଥିବା ଜଟିଳ ସମ୍ପର୍କକୁ କୃତ୍ରିମ ବୁଦ୍ଧିମତ୍ତାର ସହଯୋଗରେ ସମାଧାନ କରିବାକୁ ହେବ। ନୂତନ ଜାତୀୟ ଶିକ୍ଷାନୀତିରେ ପ୍ରାଦେଶିକ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏଣୁ ଜାତୀୟସ୍ତରରେ ହେଉଥିବା ସମସ୍ତ ପରୀକ୍ଷା, ସଂପାନ ଓ ପ୍ରତିଯୋଗିତା ଡିଜିଟାଲ ପ୍ଲାଟଫର୍ମରେ ପ୍ରାଦେଶିକ ଭାଷା ମାଧ୍ୟମରେ ହୋଇ ଜାତୀୟ ସଂହତି ସୃଷ୍ଟି କରିବାରେ ସହାୟକ ହେବା ଉଚିତ।
ଭାଷା ଅସ୍ମିତାର ପରିଚୟ ହେଉ: ଏକ ଓଡ଼ିଆ ଭାଷା ଡିଜିଟାଲ ପ୍ଲାଟଫର୍ମକୁ ପ୍ରବେଶ କରି ନିଜକୁ ନବୀକରଣ କରିବା ଉଚିତ। ଜଗତୀକରଣ ସମୟରେ ବିଶ୍ୱ-ହାଟରେ ଆଞ୍ଚଳିକ ପରଂପରା, ସାଂସ୍କୃତିକ ଉପାଦାନ, ସାହିତ୍ୟ ଓ ଦର୍ଶନ ସମ୍ବଳିତ ଗ୍ରନ୍ଥ ଏବଂ କଳା-ଉପାଦାନଗୁଡ଼ିକୁ ଗୁରୁତ୍ୱ ପ୍ରଦାନ କରାଯାଉଛି। ଏହାଦ୍ୱାରା ଗୋଟିଏ ଆଞ୍ଚଳିକ ସଂସ୍କୃତିକୁ ଅନୁଶୀଳନ କରିବା ସମ୍ଭବ ହେଉଛି।
ଭାଷା ସର୍ବଦା ପରିବର୍ତ୍ତନଶୀଳ ଓ ବ୍ୟାକରଣାନୁବଦ୍ଧ ନୁହେଁ। ଭାଷାର ପରିବର୍ତ୍ତନ ଓ ବିବର୍ତ୍ତନକୁ ସ୍ବୀକାର ତଥା ସ୍ବାଗତ କରିବାକୁ ହେବ। ଋଢିବାଦିତାରୁ ମୁକ୍ତ ହୋଇ ନୂତନ ଶବ୍ଦାବଳୀକୁ ସ୍ବାଗତ କରିବାକୁ ହେବ। ଏହା ହିଁ ଭାଷାକୁ ପ୍ରବହମାନତା ପ୍ରଦାନ କରିବ। ଯୁଗାଦର୍ଶ ଯଦି ଭାଷା ମାଧ୍ୟମରେ ପ୍ରକାଶିତ ନ ହୁଏ, ତାହାହେଲେ ସେ ଭାଷା ନିଶ୍ଚିତ ଭାବରେ ମୃତ୍ୟୁର ସମ୍ମୁଖୀନ ହେବ। ଯୁଗାଦର୍ଶ ଯେପରି ପରିବର୍ତ୍ତନ ହୁଏ, ସେହିପରି ତାହାର ପାଦ ମିଳାଇ ଭାଷା ମଧ୍ୟ ନବୀକରଣ ହେବା ଉଚିତ୍‌। ଏହାକୁ ସମ୍ମାନ ଜଣାଇ ନୂତନ ବ୍ୟାକରଣ ସୃଷ୍ଟି ହେବା ବିଧେୟ। ଏହାଦ୍ୱାରା ଭାଷା ଚିରଞ୍ଜୀବି ହେବ, ଅନ୍ୟଥା ସଙ୍କୁଚିତ ହୋଇ ବିଲୁପ୍ତି ଆଡ଼କୁ ଆଗେଇଯିବ।

ଡକ୍ଟର କ୍ଷୀରୋଦ ଚନ୍ଦ୍ର ବେହେରା
-ପ୍ରାକ୍ତନ ଉପନିର୍ଦ୍ଦେଶକ,
ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ, ଭୁବନେଶ୍ୱର, ମୋ: ୯୪୩୯୨୦୩୯୨୪


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?