ଫୁଲ ଚୋରି

ରୁଦ୍ର ପ୍ରସନ୍ନ ରଥ

 

ସମୟ ସହ ତାଳ ଦେଇ ସହରର ଛାତି ବି ଚଉଡ଼ା ହୋଇ ଚାଲିଛି। ଗାଁରୁ ଦଳ ଦଳ ଲୋକ ସହର ଆଡ଼କୁ ଧାଇଁ ଆସୁଛନ୍ତି ନିଜର ଜୀବିକା ସନ୍ଧାନରେ।
ନିଜ ନିଜର ସ୍ବପ୍ନକୁ ସାକାର କରିବାକୁ ସହରୀମାନେ ଏତେ ବ୍ୟସ୍ତ ଯେ ସହରକୁ ଶୋଇବାକୁ ସମୟ ମିଳୁନାହିଁ। ଯେଉଁ ସହର ଯେତେ ରାତି ଯାଏ ଚାହିଁ ରହେ ସେ ସହରର କାଟ୍‌ତି ସେତେ ଅଧିକ। ଅନେକ ସହର ତ ଆଦୌ ନ ଶୋଇବା ପାଇଁ ବିଶ୍ୱ ପ୍ରସିଦ୍ଧ। ସେଠି କି ରାତି କି ଦିନ ସବୁବେଳେ ସୁଯୋଗର ପସରା ମେଲି ହୋଇଥାଏ। ଲୋକ ସେହି ସୁଯୋଗର ପସରାରୁ ନିଜ ପାଇଁ ସୁଖ ସମୃଦ୍ଧି ଗୋଟାଇବାର ଅକ୍ଳାନ୍ତ ପ୍ରଚେଷ୍ଟା ଜାରି ରଖିଥାଆନ୍ତି ଆଉ ପରିଶ୍ରମ ବି।
ତଥାପି ସହର ଭିତରେ ଏମିତି ଅନେକେ ଥାଅନ୍ତି; ଯେଉଁମାନେ ରାତି ନଅଟାରେ ରାତ୍ରି ଭୋଜନ ସାରି ଦେଇ ଶୋଇବାକୁ ଯାଆନ୍ତି। ସକାଳୁ ସୂର୍ଯ୍ୟ ଉଇଁବା ଆଗରୁ ନିଜ ପାଇଁ ତାଜା ଅମ୍ଳଜାନ ଗୋଟାଇବାର ଯୋଜନା ଏମାନେ ଗତ ରାତିରୁ ହିଁ କରି ଦେଇଥାଆନ୍ତି। ପ୍ରାତଃ ଭ୍ରମଣ ନାମରେ ଏମାନେ ଡେରିରେ ଶୋଇଥିବା ସହରକୁ ଉଠାଇ ଦିଅନ୍ତି। ତେବେ ଏମାନଙ୍କର ପ୍ରାତଃ ଭ୍ରମଣରେ କେହି ବିସ୍ମିତ ହୁଅନ୍ତି ନାହିଁ, ହେବାର କାରଣ ବି ନାହିଁ। ବରଂ ଏମାନଙ୍କ ମଧ୍ୟରୁ ଅନେକେ ଆଉ ଗୋଟିଏ ଅବତାର ପାଇଁ ବେଶ୍‌ ପ୍ରସିଦ୍ଧ। ତାହା ହେଉଛି ଏମାନଙ୍କର ଫୁଲ ଚୋର ଅବତାର।
ହାଫ୍‌ ପ୍ୟାଣ୍ଟ କିମ୍ବା ଫୁଲ୍‌ ଟ୍ରାକ୍‌ ପ୍ୟାଣ୍ଟ ସହ ଅଧା ହାତ ଥିବା ଗଞ୍ଜି ସହ ଗୋଟିଏ ଲମ୍ବା ଆଙ୍କୁଡି ଏବଂ ଖଣ୍ଡେ ପୁରୁଣା ପଲିଥିନ ଧରି ଏମାନେ ସକାଳୁ ରାସ୍ତାକୁ ଓହ୍ଲାଇ ପଡି ସକାଳ ହେଲା ବୋଲି ସହରକୁ ଜଣାଇ ଦିଅନ୍ତି। ନିୟମିତ ଯିବା ଆସିବା କରୁଥିବା ରାସ୍ତାର କେଉଁ ଗଛରେ କି ଫୁଲ ଫୁଟେ ସେ ଖବର ଏମାନଙ୍କ ପାଖରେ ବେଶ୍‌ ଭଲଭାବେ ଥାଏ। ପୁଣି ସେ ଫୁଲକୁ କେମିତି ଗୃହସ୍ବାମୀର ଅଗୋଚରରେ ନିଃଶବ୍ଦରେ ତୋଳି ନିଜ ଅଣ୍ଟାରେ ଝୁଲୁଥିବା ପଲିଥିନ୍‌ ଭିତରେ ପୂରାଇହେବ ସେ କଳାରେ ଏମାନେ ବେଶ୍‌ ପଟୁ। ଫୁଲ ଗଛ ଦେଖିଲାମାତ୍ରେ ଏମାନଙ୍କ ହାତରୁ ଆଙ୍କୁଡି ବାହାରି ଆସେ। ଗଛର ଅଗଯାଏ ଲମ୍ବିଯାଏ। ଗୋଟିଏ ପରେ ଗୋଟିଏ ଫୁଲକୁ ବେଶ୍‌ ସନ୍ତର୍ପଣରେ ତୋଳି ନିଆଯାଏ। ଖୁଡ୍‌ ଖାଡ୍‌ ଶବ୍ଦ ହେବାର ପ୍ରଶ୍ନ ନାହିଁ। ବଜାର ବୁଲା, ଚାହାପିଆ ସାରି ଘରକୁ ଫେରିଲାବେଳକୁ ଅଣ୍ଟିରେ ଥାଏ ଟଗର, ମଲ୍ଲୀ, ମନ୍ଦାର ପରି ଭଳିକି ଭଳି ଫୁଲ। ଘରକୁ ଫେରି ଗାଧୋଇ ପଡ଼ି ଠାକୁରଙ୍କ ପାଖରେ ଅର୍ପଣ କରି ନିଜ ପାଇଁ ସବୁ ସୁଖ ସମୃଦ୍ଧି ଲାଗି ପ୍ରାର୍ଥନା କରିସାରିଲା ପରେ ତାଙ୍କ ମୁହଁରେ କି ଖୁସି! ସତରେ ଅବର୍ଣ୍ଣନୀୟ। ଅନ୍ୟକୁ ଠକିଦେଇ ଈଶ୍ୱରଙ୍କ ପାଖରେ ନିଜର ପାରିବାପଣର ସେ ଯେଉଁ ବିଜ୍ଞାପନ ତାହା ଦେଖିଲେ ବି ବିଶ୍ୱାସ କରିହେବନାହିଁ।
ତେଣେ ଗୃହସ୍ବାମୀ ଉଠିଲାବେଳକୁ ଗଛ ନଣ୍ଡା ହୋଇ ସାରିଥାଏ। ନିଜ ହାତରେ ବଡ଼ କଷ୍ଟରେ ଲଗାଇଥିବା ଗଛ ଭିତରୁ ଅନେକ ଆଙ୍କୁଡ଼ିର ଅତ୍ୟାଚାରରେ ହତାଶ ହୋଇ ପଡିଥାଆନ୍ତି। ଫୁଲ ତ ଯାଇଥାଏ, କେଉଁଠି କେଉଁଠି ଗଛର ଡଙ୍କ ମୋଡ଼ି ପଡ଼ିଥାଏ। ଗଛରୁ ପତ୍ର ଝଡ଼ି ଭୂପତିତ ହୋଇଥାଏ। ଗୃହସ୍ବାମୀ ସେ ସମ୍ଭାନ୍ତ ଫୁଲ ଚୋରକୁ ମନେ ମନେ ଅଭିସମ୍ପାତ ଦେଉଥାଏ ସିନା ହେଲେ କିଛି କରିବାର ଅବସ୍ଥାରେ ନ ଥାଏ। ନିଜର ଠାକୁର ପାଇଁ ବିଚରା ବାହାରୁ ଫୁଲ କିଣୁଥାଏ। ବାଉଣ୍ଡରି ପାଖରେ ସେ ଦିନେ ଯେଉଁଗଛ ଠାକୁରଙ୍କ ପାଖରେ ଫୁଲ ଦି’ଟା ପୂଜା କରିବ ବୋଲି ଆଶା କରି ଲଗାଇଥାଏ ତାହା କ୍ରମେ କ୍ରମେ ଗୃହସ୍ବାମୀର ମାନସିକ ଦୁଶ୍ଚିନ୍ତାର କାରଣ ହେଉଥାଏ। କେତେକ ସକାଳୁଆ ଫୁଲ ଚୋରଙ୍କ ପାଇଁ ତା’ ଘର ଆଖପାଖରେ ସକାଳୁୁ ସକାଳୁ ବୁଲୁଥିବା ସବୁ ଲୋକ ସନ୍ଦେହର ନଜରରେ ଆସିଥାଆନ୍ତି। ନିଜ ପକେଟରୁ ଖର୍ଚ୍ଚ କରି ଗଛକୁ ବଡ଼ କରିବା ପାଇଁ ସେ କିଣିଥିବା ସାର, ପିଡ଼ିଆ ବିହନ ସହ ତା’ର ପରିଶ୍ରମ ସତେ ଯେପରି ତାକୁୁ ଦାନ୍ତ ନିକୁଟି ଖତେଇ ହେଉଥାଏ। ଗଛ ଲଗାଇବା ଅନ୍ୟ ପାଇଁ ବାକ୍ୟରେ ହିଁ ସେ ଆତ୍ମ ସନ୍ତୁଷ୍ଟି ଖୋଜିବାକୁ ଚେଷ୍ଟା କରୁଥାଏ।
ଏହା ବାଦ୍‌ ସହର ଭିତରେ ଫୁଲ ଚୋରି କରିବା ପାଇଁ ଆଉ ଗୋଟିଏ ଗୋଷ୍ଠୀ ବି ବେଶ୍‌ ସକ୍ରିୟ ଥାଆନ୍ତି। ଗଣେଶ ପୂଜା କିମ୍ବା ସରସ୍ବତୀ ପୂଜା କିମ୍ବା ଭାଲୁକୁଣୀ ଓଷାର ଠିକ୍‌ ପୂର୍ବ ରାତିରେ ହିଁ ଏ ଅଭିଆଡ ଦଳ ବେଶ୍‌ ସକ୍ରିୟ ହୋଇ ଉଠନ୍ତି। କେତେବେଳେ ପାଚେରି ଡେଇଁ ଫୁଲ ତ ଆଉ କେତେବେଳେ ଫୁଲ କୁଣ୍ଡ ହିଁ ଗୋଟାଇ ଆଣନ୍ତି। ଆଉ କେତେବେଳେ କିଛି ନ ପାଇଲେ ବାହାରେ ଜଳୁଥିବା ବିଜୁଳି ବଲ୍‌ବ କିମ୍ବା ପୁରୁଣା ଚପଲ ନେଇ ଯାଆନ୍ତି। କିଛି ନ ପାଇ ବିଫଳ ମନୋରଥରେ ଫେରିଗଲାବେଳେ ଗୃହସ୍ବାମୀର ଘର ଆଗରେ ଏକ ଦୁଇ କରି ଦେବାର ମଧ୍ୟ ଉଦାହରଣ କିଛି କମ୍‌ ନୁହେଁ। ଏମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଏହି ସମୟରେ ସହରରେ ରହୁଥିବା ଗୃହସ୍ବାମୀ ଛାତ ଉପରକୁ ହିଁ ଫୁଲ କୁଣ୍ଡକୁ ନେଇ ଯାଇଥାଏ। ଘର ଆଗରେ କୁକୁର ପ୍ରତି ସାବଧାନ ବୋର୍ଡ ଟାଙ୍ଗିଥାଏ।
ଆଡ଼ମ୍ବର ଶୂନ୍ୟ ପୂଜାରେ ଆମ ଠାକୁରମାନେ ଯେତିକି ବିଶ୍ୱାସ କରନ୍ତି ପୂଜାକୁ ଆଡ଼ମ୍ବରପୂର୍ଣ୍ଣ କରିବାକୁ ଆମେ ସେତିକି ଚେଷ୍ଟା କରୁ। ନିଜେ ଗଛଟିଏ ଲଗାଇ ଫୁଲଟିଏ ଫୁଟାଇବା ବିଶେଷ କଷ୍ଟକର ନୁହେଁ। ଏଥିପାଇଁ ଜାଗା କିମ୍ବା ପରିଶ୍ରମ ଅପେକ୍ଷା ମାନସିକତାଟିଏ ଲୋଡ଼ା। ଯଦି ଚେଷ୍ଟା ଜାରି ରହେ ଆଖ ପାଖରେ ପଡ଼ିଥିବା ପ୍ଲାଷ୍ଟିକ୍‌ ଡବା, ଅବ୍ୟବହୃତ ରଙ୍ଗ ଡବା, କାଚ ବୋତଲ ଆଦିରେ ମଧ୍ୟ ଫୁଲ ଗଛ ଲଗାଯାଇ ପାରିବ। ଏଥିରୁ ଯେ ଫୁଲ ଫୁଟିବ ତାହା ନୁହେଁ ବରଂ ଆମ ପରିବେଶ୍‌ ସଫା ଆଉ ସତେଜ ରହିବ। ତେବେ ଏ ଦିଗରେ ଚିନ୍ତା କରିବାକୁ ଲୋକଙ୍କୁ ସମୟ କାହିଁ। ଯେଉଁଠି ଗୋଟିଏ ଆଙ୍କୁଡି ଏବଂ ଖଣ୍ଡେ ପୁରୁଣା ପଲିଥିନ୍‌ରେ କାମ ଚଳି ଯାଉଛି ସେଠି ଏତେ ପରିଶ୍ରମ କରିବାକୁ କିଏ ବା କାହିଁକି ଯିବ ? ଚୋରି ହୋଇଥିବା ଫୁଲରେ ଯେବେ ଈଶ୍ୱର ପୂଜା ହେବାକୁ ରାଜି ନ ହେବେ ତେବେ ଯାଇ ବୋଧେ ଏହି ଫୁଲ ଚୋରଙ୍କର ଚେତା ପଶିବ, ସେମାନଙ୍କର ଚୈତନ୍ୟ ଉଦୟ ହେବ।
ଧବଳଗିରି, ଯାଜପୁର ରୋଡ୍‌
ମୋ-୭୯୭୮୬୭୧୭୭୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri