ବଢୁଛି ବନ୍ୟାପାଣି: ଶହଶହ ହେକ୍ଟର ଚାଷଜମି ଜଳମଗ୍ନ, ଚିନ୍ତାରେ ଚାଷୀ

ନିରାକାରପୁର,୩୧ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ନିକଟସ୍ଥ ରାଜୁଆ, ମକରା, ଦୟା, ଲୁଣା, ମଲାଗୁଣୀ ନଦୀ ଓ ନାଳରେ ପ୍ରଚୁର ପରିମାଣରେ ବନ୍ୟାଜଳ ପ୍ରବାହିତ ହେଉଛି। ତେବେ ଉକ୍ତ ନଦୀ ଓ ନାଳର ଲେଉଟାଣି ପାଣିରେ ଖୋର୍ଦ୍ଧା ବ୍ଲକ ଓରବରସିଂ ପଞ୍ଚାୟତର ହିରିମୂଳ ଗ୍ରାମରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଥାନୀୟ ଗ୍ରାମବାସୀ ସୁବାସ ସିଂହଙ୍କ କହିବା କଥା ଗୁରୁବାର ମଧ୍ୟାହ୍ନ ସୁଦ୍ଧା ପାଣି ଛାଡ଼ି ଯାଇଥିଲା। ମାତ୍ର ଅପରାହ୍ନ ୪ଟା ବେଳକୁ ପ୍ରବଳ ପରିମାଣରେ ବନ୍ୟାଜଳ ପ୍ରବାହିତ ହୋଇଥିଲା। ଏହା ପ୍ରବାହରେ ଗାଁରୁ ପଞ୍ଚାୟତ ରାସ୍ତାକୁ ସଂଯୋଗ କରୁଥିବା ଏକମାତ୍ର ଭରସା ଯୋଗ୍ୟ ରାସ୍ତାଟି ଏବେ ୯୦ ପ୍ରତିଶତ ବୁଡ଼ିଯାଇଛି। ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଏପରିକି ରାତି ଭିତରେ ଗ୍ରାମଟି ଏକପ୍ରକାର ସମ୍ପୂର୍ଣ୍ଣ ରୂପେ ବାହ୍ୟଜଗତରୁ ବିଚ୍ଛିନ୍ନ ହେବାକୁ ବସିଛି। ଅନୁରୂପ ଭାବେ ଗାଁ ଭିତରେ ବନ୍ୟାପାଣି ପଶୁଥିବାରୁ ଗ୍ରାମର ୩୫ ପରିବାରର ପ୍ରାୟ ୨୧୫ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ସେହିପରି ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସଞ୍ଜୟ କୁମାର ରାଟସିଂହଙ୍କ କହିବା କଥା ବନ୍ୟା ପରିସ୍ଥିତି ସୃଷ୍ଟି ହେବା କାରଣରୁ ଉକ୍ତ ପଞ୍ଚାୟତ ଅଧିନସ୍ଥ ହିରିମୂଳ, ଦୁର୍ଗାପୁର, ଡିହଖଳା, ଓରବରସିଂହ ମୌଜାରେ ଥିବା ପ୍ରାୟ ୮ଶହ ହେକ୍ଟରରୁ ଊର୍ଦ୍ଧ୍ୱ ଖରିଫ ଧାନ ଫସଲ ଜମିରେ ବନ୍ୟା ଜଳ ଲହଡ଼ି ମାରିବା କାରଣରୁ ଧାନ କ୍ଷେତ ଏବେ ଉଜୁଡ଼ି ଯିବାକୁ ବସିଛି। ଖବର ପାଇ ଗୁରୁବାର ଖୋର୍ଦ୍ଧା ଉପଜିଲାପାଳ ସଂକଳ୍ପ ସ୍ବସ୍ତିକ ସାହୁ ଓ ବିଡିଓ ସିଦ୍ଧାର୍ଥ ପଟ୍ଟନାୟକଙ୍କ ସମେତ ତହସିଲଦାର ପ୍ରମୁଖ ଉପସ୍ଥିତ ରହି ବନ୍ୟା ପରିସ୍ଥିତି ଦେଖି ଫେରିଥିବା ଜଣାଯାଇଛି। ତେବେ ଏନେଇ ଖୋର୍ଦ୍ଧା ବ୍ଲକ ବିଡିଓ ସିଦ୍ଧାର୍ଥ ପଟ୍ଟନାୟକଙ୍କୁ ପଚାରିବାରେ ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାରଠାରୁ ସ୍ଥାନୀୟ ସ୍କୁଲଠାରେ ବନ୍ୟା ପୀଡ଼ତଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଛି।

Dharitri – Odisha’s No.1 Odia Daily