ନୂଆଦିଲ୍ଲୀ,୨୭।୮: ନେପାଳରେ ବନ୍ୟା ପରେ ୨୮୮ ଜଣ ଭାରତୀୟ ନିଖୋଜ ଥିବା ରିପୋର୍ଟ ହୋଇଛି। ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବୈଦେଶିକ ମନ୍ତ୍ରଣାଳୟର ଏପର୍ଯ୍ୟନ୍ତ ୨୧ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି ବୋଲି ମୁଖପାତ୍ର ରଣଧୀର ଜୟସ୍ବାଲ ଗୁରୁବାର କହିଛନ୍ତି।
ସେ କହିଛନ୍ତି, ପ୍ରଥମ ଗ୍ରୁପ୍ରେ ତ୍ରିଶୂଳୀ-୧ ବିଦ୍ୟୁତ ପ୍ରକଳ୍ପରେ କାମ କରୁଥିବା ୭୩ ଜଣ ଲୋକ ଅଛନ୍ତି। ତାମିଲନାଡୁର ଦୁଇଟି ପୃଥକ ଗ୍ରୁପ୍ ଅଛି। ଏଥିରେ ୩୭ ଜଣ ଏବଂ ୪୯ ଜଣ ବ୍ୟକ୍ତି ଅଛନ୍ତି, ଯେଉଁମାନେ ସମ୍ରାଟ ଟ୍ରାଭେଲ୍ସ ଏବଂ ଫ୍ଲାଏ ଏଭରେଷ୍ଟ ଟ୍ରାଭେଲ୍ସ ମାଧ୍ୟମରେ କୈଳାସ ମାନସରୋବର ଯାତ୍ରାରେ ଯାଇଥିଲେ। ପଶ୍ଚିମବଙ୍ଗର ୩୨ ଜଣ ନାଗରିକଙ୍କ ଏକ ଗ୍ରୁପ୍ ଅଛି। ଏହି ଗ୍ରୁପ୍ ସମ୍ରାଟ ଟ୍ରାଭେଲ୍ସ ସହାୟତାରେ ରସୁୱା ଜିଲାର ତିମୁରେ ଯାତ୍ରା କରିଥିଲେ। ଏହା ସହିତ, ବିଭିନ୍ନ ରାଜ୍ୟରୁ ୬୧ ଜଣ ଭାରତୀୟ ନାଗରିକଙ୍କ ଏକ ଗ୍ରୁପ୍ ଏବଂ କେରଳରୁ ୩୩ ଜଣ ଭାରତୀୟ ନାଗରିକଙ୍କ ଏକ ଗ୍ରୁପ୍ ଅଛି। ମୋଟ ୨୮୮ ଜଣ ଭାରତୀୟ ନିଖେଶଜ ଥିବା ରିପୋର୍ଟ ହୋଇଛି।
ରଣଧୀର ଆହୁରି କହିଛନ୍ତି, କୈଳାସ ମାନସରୋବର ଯାତ୍ରାରେ ଯାଇଥିବା ଅନେକ ଭାରତୀୟ ବର୍ତ୍ତମାନ ଚାଇନା ପାର୍ଶ୍ୱରେ ଫସି ରହିଛନ୍ତି। ପ୍ରାୟ ୨୦୦ ଭାରତୀୟ ନାଗରିକ ସହାୟତା ଲୋଡ଼ିଛନ୍ତି। ଚାଇନାରେ ଆମର ମିଶନ ସେମାନଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନ ସହିତ କାମ କରୁଛି। ଫସି ରହିଥିବା ଲୋକଙ୍କ ମଧ୍ୟରେ ଇଶା ଫାଉଣ୍ଡେସନ ସହିତ ଜଡିତ ଲୋକମାନେ ମଧ୍ୟ ଅଛନ୍ତି।
ମୁଖପାତ୍ର କହିଛନ୍ତି, ଭାରତ ଦୁଇଟି ବିମାନ ମାଧ୍ୟମରେ ନେପାଳକୁ ରିଲିଫ ଏବଂ ଉଦ୍ଧାର ସାମଗ୍ରୀ ପଠାଇଛି। ପ୍ରାରମ୍ଭିକ ଭାବରେ ୧୦ ଟନ ରିଲିଫ ସାମଗ୍ରୀ ପଠାଯାଇଥିଲା। ୩୭.୫ ଟନ ରିଲିଫ ସାମଗ୍ରୀ ବହନ କରି ଦ୍ୱିତୀୟ ବିମାନ ଆଜି ସକାଳେ ପ୍ରସ୍ଥାନ କରିଛି। ଏଥିରେ ୮ ଟନ ଔଷଧ ସାମିଲ ଅଛି। ବୈଦେଶିକ ମନ୍ତ୍ରଣାଳୟରେ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି।