ଶତାଧିକ ହେକ୍ଟର ଚାଷଜମିକୁ ମାଡ଼ିଲା ଲୁଣି ପାଣି

ମହାକାଳପଡ଼ା,୧୮ା୭(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମହାନଦୀ ସଂଲଗ୍ନ ଆଖଡ଼ାସାହି ସ୍ଲୁଇସ୍‌ ଗେଟ୍‌ ଦେଇ ଲୁଣିପାଣି ଶତାଧିକ ହେକ୍ଟର ଚାଷଜମିକୁ ମାଡ଼ି ଯାଇଛି। ଗତ ୨ ଦିନ ହେବ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଉପରୋକ୍ତ ଜମିର ଫସଲ ନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଇଛି। ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚାଷୀମାନେ ତଳି ଓ ବୁଆ ବୁଣାବୁଣି କରିଥିଲେ ମଧ୍ୟ ଲୁଣିପାଣି ପଶି ତାହା ନଷ୍ଟ କରିଛି। ଫଳରେ ଚାଷୀଙ୍କ ବର୍ଷକ ଆହାର ପ୍ରକୃତି ଛଡ଼ାଇ ନେଇଛି। ବ୍ଲକର ବରକନ୍ଧା, ମଙ୍ଗଳପୁର, ପେଟଛେଲା, ରାମନଗର, ବଉଳକଣି, ବାରଡାଙ୍ଗ ପଞ୍ଚାୟତର ଶତାଧିକ ହେକ୍ଟର ଚାଷ ଜମି ଲୁଣିପାଣିରେ ବୁଡିରହିଛି ବୋଲି ସ୍ଥାନୀୟ ଚାଷୀମାନେ କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୩ ମେ’ ୧୩ରେ ୭କୋଟି ବ୍ୟୟ ଅଟକଳରେ ଆଖଡ଼ାସାହିରେ ଏକ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ୨୦୧୮ ଜୁନ୍‌ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ଏହି ପ୍ରକଳ୍ପ ନିର୍ମାଣ ଶେଷ ହୋଇପାରିନାହିଁ। ଏଥିପାଇଁ ଜମି ଅଧିଗ୍ରହଣ ବାଧକ ସାଜିଛି। ନିର୍ମାଣ ପୂର୍ବରୁ ଜମି ଅଧିଗ୍ରହଣ କରା ନ ଯାଇ କାହିଁକି ପ୍ରକଳ୍ପ ନିର୍ମାଣ ଆରମ୍ଭ କରାଗଲା ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷେ, ୧୯୯୫-୯୬ରେ ଆଖଡ଼ାସାହିଠାରେ ଅନ୍ୟ ଏକ ସ୍ଲୁଇସ ଗେଟ୍‌ ନିର୍ମାଣ ହୋଇଥିଲା। ନିମ୍ନମାନର କାମ ଓ ବୈଷୟିକ ତ୍ରୁଟି ଯୋଗୁ ୨୦୦୨ରେ ସେହି ପ୍ରକଳ୍ପ ଭୁଶୁଡ଼ି ପଡ଼ିଥିଲା। ସେଦିନଠାରୁ ମହାନଦୀ ଜଳ ସ୍ଥାନୀୟ ଚାଷଜମିରେ ପ୍ରବେଶ କରି ଫସଲ ନଷ୍ଟ କରୁଛି ବୋଲି ଚାଷୀମାନେ କହିଛନ୍ତି। ବିଶେଷ କରି ଗୁପ୍ତଗିରି, ବାର୍‌ହାଖିଆ, ମହୁଲା, କେନ୍ତିଆ ଗୋଜ, ସାବିନି, ବାଛୁରିଆ, କିଆ ବାରିଆ, ଅଳାପାହି, ମଧୁବନ, ହୁଳୁହୁଳିଆ ବାଙ୍କ, ଦଳେଇ ପାଟ, ହରିଶ, ମନ୍ତ୍ରୀଭେଡା, ମାଙ୍କଡଖିଆ, ପିରିଖ, ନାଳିଆ ପାଟ ଆଦିର ଚାଷଜମିରେ ଆଣ୍ଠୁଏ ଉଚ୍ଚର ଲୁଣାପାଣି ଜମି ରହିଛି ବୋଲି ଚାଷୀ ନାଥ କୁମାର ଭୋଳ, ବୀରବର ସ୍ବାଇଁ, ହରି ଗୋଛାୟତ, ପ୍ରମୋଦ ସ୍ବାଇଁ, ରାଜନ୍‌ ଗୋଛାୟତ, ବିଜୟ ସ୍ବାଇଁ, ଶଶିଭୂଷଣ ରାଉତରାୟ ପ୍ରମୁଖ ସୂଚନା ଦେଇଛନ୍ତି।
ଏ ସମ୍ପର୍କରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ପ୍ରବୋଧ କୁମାର ରାଉତ କହିଛନ୍ତି, ଆଖଡା ସାହି ସ୍ଲୁଇସ୍‌ ଗେଟ୍‌ ନିର୍ମାଣ ଶେଷ ହୋଇଛି। ଜମି ଅଧିଗ୍ରହଣ ପାଇଁ ୨୬ଲକ୍ଷ ୮୦ ହଜାର ଟଙ୍କା ଜମି ଅଧିଗ୍ରହଣ କାର୍ଯ୍ୟାଳୟରେ ଆମେ ଜମା କରି ସାରିଛୁ। ଜମି ଅଧିଗ୍ରହଣ ପରେ ଖୁବ୍‌ଶୀଘ୍ର ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ।