ଚାଷଜମିରୁ ଛାଡୁନି ବନ୍ୟାପାଣି

ଆରଡ଼ି, ୨୬।୮(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ୪ ପଞ୍ଚାୟତ ସୁନ୍ଦରପୁର, ଓଳଗ, ଆରଡ଼ି ଓ ନାନ୍ଦପୁରର ୨୦ ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଲଗାଣ ବର୍ଷା ଓ ବନ୍ୟାରେ ପ୍ରାୟ ୧୫ ଦିନ ଧରି ଚାଷଜମି ପାଣିରେ ବୁଡ଼ି ରହିଛି। ଫଳରେ ଶାରଦ ଧାନ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ବୋଡ଼କ, ସାଠିବାଙ୍କୁଡା, କୁଳେଇପଦା, ପାରଡିଆ, ଓଳଗ, ଦୋହରାପାଟଣା, ସୁନ୍ଦରପୁର, ଖଟୁଆପାଟଣା, ପହଣା, ଆରଡ଼ି, ମୁଆଁ, ସନ୍ତରା, ଭୂଇଁପୁର, କୋଇଲଖା, ବାଙ୍କମୁହାଁ, ବତ୍ରଳ, ଚମ୍ପାସାହି ଆଦି ଗାଁରେ ଥିବା ଚାଷଜମିରୁ ଏଯାଏ ପାଣି ଛାଡ଼ି ନ ଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଉପରମୁଣ୍ଡରେ କିଛି ସ୍ଥାନରେ ଚାଷ ନଷ୍ଟ ହୋଇଯାଇଥିବା ବେଳେ ପାଣି ଛାଡ଼ିବା ପରେ ଧାନ ବିଲରେ ଗୋରୁ ଚରୁଛନ୍ତି। କିଛି ବିଲରେ ଧାନ ଗଛ ପଚି ଯାଇଥିବା ଦେଖିବାକୁ ମିଳିଛି।
ସେହିପରି ବନ୍ୟା ପ୍ରଭାବିତ ଲୋକଙ୍କୁ ଏଯାଏ ରିଲିଫ୍‌ ମୁଠାଏ ବି ମିଳି ନ ଥିବା ଅଭିଯୋଗ ହେଉଛି। ଚାଷ ଉଜୁଡ଼ି ଯାଇଥିଲେ ବି ବନ୍ୟା ପ୍ରଭାବିତ ଅଞ୍ଚଳରେ କୃଷି ବିଭାଗର ଅଧିକାରୀ କି କର୍ମଚାରୀଙ୍କ ପାଦ ପଡ଼ିନାହିଁ। ଫସଲ କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ବନ୍ୟା ଦ୍ୱାରା ଫସଲ ହାନିର ଉପଯୁକ୍ତ ତଦନ୍ତ କରି ଚାଷୀମାନଙ୍କୁ ଫସଲ ବୀମାରାଶି ଯୋଗାଇବା ସହ କ୍ଷୟକ୍ଷତି ଆକଳନ କରି ଆର୍ଥତ୍କ ସହାୟତା ପ୍ରଦାନ ଲାଗି ସେମାନେ ଦାବି କରିଛନ୍ତି। ଫସଲ ବ୍ୟତୀତ ଦୋହରାପାଟଣା, ମୁଆଁ, ସନ୍ତରା, ବୋଡ଼କ ଆଦି ଗାଁରେ ଘରଭଙ୍ଗା ସାହାଯ୍ୟ ଯୋଗାଇ ଦେବାକୁ ବନ୍ୟା ପ୍ରଭାବିତ ଲୋକେ ଚାନ୍ଦବାଲି ତହସିଲଦାରଙ୍କ ନିକଟରେ ଦାବି ଜଣାଇଛନ୍ତି। ଖୁବ୍‌ଶୀଘ୍ର କ୍ଷୟକ୍ଷତି ଆକଳନ କରାଯାଇ ନିୟମାନୁସାରେ ସହାୟତା ଯୋଗାଇ ଦିଆଯିବ ବୋଲି ତହସିଲଦାର ସୁଶାନ୍ତ ସୂତାର କହିଛନ୍ତି।