ଫୁଲୁଛି ବୈତରଣୀ: ଚିନ୍ତାରେ ତଳିଆ ଅଞ୍ଚଳ, ଜିଲାରେ ରେଡ ଆଲର୍ଟ

ଭଦ୍ରକ ଅଫିସ,୨୦।୮: ଭଦ୍ରକରେ ବୈତରଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ବୈତରଣୀ ନଦୀର ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ମିଟର ରହିଥିବା ବେଳେ ଗୁରୁବାର ସକାଳ ୬ଟା ସୁଦ୍ଧା ୧୭.୫୬ ମିଟରରେ ଜଳସ୍ତର ପ୍ରବାହିତ ହେଉଛି। ଘଣ୍ଟାକୁ ୦.୮୯ ମିଟର ଅନୁଯାୟୀ ଜଳସ୍ତର ବଢ଼ିବାରେ ଲାଗିଛି। ଜିଲାରେ ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଥିବାରୁ ବିଭିନ୍ନ ବ୍ଲକର ତଳିଆ ଅଞ୍ଚଳରେ ଥିବା ଚାଷ ଜମିରେ ବର୍ଷା ପାଣି ଜମି ରହିଛି। ଯଦି ଉପରେ ମୁଣ୍ଡରେ ଏଭଳି ବର୍ଷା ଲାଗି ରୁହେ ତେବେ ଜଳସ୍ତର ବୃଦ୍ଧି ପାଇବା ସହ ବିପଦ ସଂକେତକୁ ଟପିବ ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିସହ ରେଡ ଆଲର୍ଟ ଜାରି କରିବା ସହ ସମୁଦ୍ରକୁ ନ ଯିବା ପାଇଁ ସତର୍କ କରାଯାଇଛି।