ପୁରୁଷୋତ୍ତମପୁର,୧ା୧୧(ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୂଲ୍ୟା ନଦୀର ପ୍ରଳୟଙ୍କରୀ ବନ୍ୟା ପୁରୁଷୋତ୍ତମପୁର ଅଞ୍ଚଳରେ ରଚିଛି ବିପର୍ଯ୍ୟୟ। ଘରଦ୍ୱାର ଉଜାଡ଼ିବା ସହ ଲୋକଙ୍କ ମୁହଁରୁ ଆହାର ଛଡ଼ାଇ ନେଇଛି ବନ୍ୟା। ଏଭଳି ବିପତ୍ତି ସମୟରେ ରିଲିଫ୍ରୁ ବଞ୍ଚିତ ହୋଇ ଶେଷରେ ନ୍ୟାୟ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ବନ୍ୟାବିପନ୍ନ। ପୁରୁଷୋତ୍ତମପୁର ଏନଏସିର କୁମାରୀ ଓ କନକାବସ୍ତିରେ ବନ୍ୟାଜଳ ଘରେ ପଶି ସମସ୍ତ ଆସବାବପତ୍ର ଓ ଖାଦ୍ୟସାମଗ୍ରୀ ଭସାଇ ନେଇଛି। ଏବେ ବି ଘର ଭିତରେ ଆଣ୍ଠୁଏ ଉଚ୍ଚତାର କାଦୁଅ ଜମି ରହିଛି। ଫଳରେ ପିଲାଛୁଆଙ୍କୁ ଧରି ଖାଦ୍ୟ ଓ ପାନୀୟ ଅଭାବରେ ଦୁର୍ଦ୍ଦଶା ଭୋଗୁଛନ୍ତି ପରିବାର। ବିଶେଷକରି ଭଡ଼ାଘରେ ରହୁଥିବା ପରିବାରଗୁଡ଼ିକର ଅବସ୍ଥା ଅତି ଦୟନୀୟ। ବନ୍ୟାରେ ସର୍ବସୱ ହରାଇଥିଲେ ମଧ୍ୟ ଚାରିଦିନ ବିତିଯାଇଥିବା ସତ୍ତ୍ୱେ ସେମାନଙ୍କୁ ଖାଦ୍ୟ କିମ୍ବା ପାନୀୟ ମିଳି ନ ଥିବା ଅଭିଯୋଗ ହୋଇଛି।
ସ୍ଥାନୀୟ ସ୍ଥାୟୀ ବାସିନ୍ଦା ନୁହନ୍ତି ବୋଲି ଦର୍ଶାଇ ଭଡ଼ାଟିଆଙ୍କୁ ସରକାରୀ ସହାୟତାରୁ ବଞ୍ଚିତ କରାଯାଉଥିବା ନେଇ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଗୁହାରି ଶୁଣିବା ବଦଳରେ କେତେକ ଜନପ୍ରତିନିଧି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାତ୍ସଲ୍ୟ କରିଥିବା ମଧ୍ୟ ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ଶହ ଶହ ମହିଳା ଓ ପୁରୁଷ ଆସିକା-ହୁମା ୩୧ ନମ୍ବର ରାଜ୍ୟ ରାଜପଥ ଅବରୋଧ କରି ଧାରଣା ଦେଇଥିଲେ। ଫଳରେ ଦୀର୍ଘ ତିନି ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା।
ଖବର ପାଇ ତହସିଲଦାର ବିନୋଦ କୁମାର ବେହେରା ଓ ଏନ୍ଏସି ନିର୍ବାହୀ ଅଧିକାରୀ ଅଜିତ କୁମାର ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ତେବେ ଅସଦ୍ବ୍ୟବହାର କରିଥିବା ଜନପ୍ରତିନିଧିଙ୍କୁ ଘଟଣାସ୍ଥଳକୁ ଡକାଇବା ଦାବିରେ ଆନ୍ଦୋଳନକାରୀ ଅଡ଼ି ବସିଥିଲେ। ଶେଷରେ ଏସ୍ଡିପିଓ ସୁଜିତ କୁମାର ନାୟକ, ପୁରୁଷୋତ୍ତମପୁର ଥାନା ଆଇଆଇସି କୁଳମଣି ସେଠୀ ଓ ପୋଲସରା ଥାନା ଆଇଆଇସି କୌଶିକ ମାଝୀ ପୋଲିସ ଫୋର୍ସ ସହ ପହଞ୍ଚି ରାସ୍ତା ଅବରୋଧ ହଟାଇଥିଲେ। ଏହି ସମୟରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ତେବେ ବନ୍ୟାବିପନ୍ନଙ୍କୁ ଯଥାଶୀଘ୍ର ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯିବ ବୋଲି ତହସିଲଦାର ବିନୋଦ କୁମାର ବେହେରା ପ୍ରତିଶ୍ରୁତି ଦେଇଛନ୍ତି।