ପୁରୁଷୋତ୍ତମପୁର,୨୮।୧୦(ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଋଷିକୁଲ୍ୟା ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପଟେ ଘୋଡ଼ାହାଡ଼ ଓ ସୋରଡ଼ା ଜଳଭଣ୍ଡାରରୁ ଜଳ ନିଷ୍କାସିତ ହେଉଥିବାରୁ ପୁରୁଷୋତ୍ତମପୁର ନିକଟସ୍ଥ ଋଷିକୁଲ୍ୟା ନଦୀରେ ବୁଧବାର ରାତିରେ ପ୍ରବଳ ବନ୍ୟାପାଣି ଆସିବାର ଆଶଙ୍କା ସୃଷ୍ଟି ହୋଇଛି।
ଏହି ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ପୁରୁଷୋତ୍ତମପୁର ଏନ୍ଏସି (NAC) ପକ୍ଷରୁ ବ୍ୟାପକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନ୍ଏସି ନିର୍ବାହୀ ଅଧିକାରୀ ଅଜିତ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଡାକବାଜି ଯନ୍ତ୍ର (Loudspeaker) ମାଧ୍ୟମରେ ସହରସାରା ଲୋକଙ୍କୁ ସଚେତନ କରାଯାଉଛି। ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ପ୍ରଶାସନ ପକ୍ଷରୁ ମାଇକ୍ ଯୋଗେ ଆହ୍ୱାନ ଦିଆଯାଉଛି।
ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ କନକା ପ୍ରାଥମିକ ବିଦ୍ୟାଳୟ ଏବଂ ନରସିଂହ ଦାସ ଉଚ୍ଚ ବିଦ୍ୟାଳୟଠାରେ ଖୋଲାଯାଇଥିବା ଅସ୍ଥାୟୀ ବନ୍ୟା ଆଶ୍ରୟସ୍ଥଳୀକୁ ତୁରନ୍ତ ଚାଲିଯିବା ପାଇଁ ଲୋକଙ୍କୁ ନିବେଦନ କରାଯାଇଛି। ସମସ୍ତ ନାଗରିକ ସତର୍କ ରହିବା ସହ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ସୂଚନା ଓ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।