ପୁରୁଷୋତ୍ତମପୁରରେ ବନ୍ୟା କ୍ଷୟକ୍ଷତି ପରଖିଲେ ମୁଖ୍ୟମନ୍ତ୍ରୀ, ଋଣ ଛାଡ଼ ପାଇଁ ଚାଷୀଙ୍କ ନିବେଦନ

ପୁରୁଷୋତ୍ତମପୁର,୨୩ା୧୧(ସବିତା ମିଶ୍ର): ବନ୍ୟାରେ ଉଜୁଡ଼ିଛି ସୁନାର ଫସଲ, ଜଳମଗ୍ନ ହୋଇଛି ହଜାର ହଜାର ଏକର ଚାଷଜମି । ଋଣ କରି ଚାଷ କରିଥିବା ଚାଷୀଙ୍କ ମୁଣ୍ଡରେ ଏବେ ଚଡ଼କ । ଏଭଳି ଦୁର୍ଦ୍ଦିନରେ ଚାଷୀଙ୍କ ଦୁଃଖ ଓ ଦୁର୍ଦ୍ଦଶା ବୁଝିବାକୁ ଗଞ୍ଜାମ ଗସ୍ତରେ ଆସି ପୁରୁଷୋତ୍ତମପୁରରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରଙ୍ଗେଇଲୁଣ୍ଡା ହେଲିପ୍ୟାଡ୍‌ରୁ ସଡ଼କ ପଥରେ ସିଧା ପୁରୁଷୋତ୍ତମପୁର ବ୍ଲକର ହାଣ୍ଡିଘର ଗ୍ରାମରେ ପହଞ୍ଚିଥି ସେଠାରେ ବାତ୍ୟା ଅକ୍ବାନ ପରବର୍ତ୍ତୀ ପ୍ରଳୟଙ୍କରୀ ବନ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ ଚାଷଜମି ମଧ୍ୟକୁ ପାଣିକାଦୁଅରେ ଯାଇ ସ୍ଥିତି ପରଖିବା ସହ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ନଷ୍ଟ ହୋଇଥିବା ଫସଲ, ଚାଷଜମିର କ୍ଷୟକ୍ଷତି ଓ ଚାଷୀଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।


ଏହାସହ ପୁରୁଷୋତ୍ତମପୁର ଏନ୍‌ଏସି ସମେତ ବ୍ଲକର ବିଭିନ୍ନ ଅଞ୍ଚଳରେ ବନ୍ୟା ବିଭୀଷିକାରେ କ୍ଷତିଗ୍ରସ୍ତ ଚିତ୍ରକୁ ପ୍ରଶାସନ ପକ୍ଷରୁ ପ୍ରଦର୍ଶିତ ଫଟୋଚିତ୍ର ମାଧ୍ୟମରେ ଦେଖିଥିଲେ। ଏଥିସହ ଉକ୍ତ ଫଟୋଚିତ୍ରର କ୍ଷୟକ୍ଷତିର ବିସ୍ତୃତ ବିବରଣୀ ଜିଲାପାଳ ଭି. କୀର୍ତ୍ତିଭାସନଙ୍କଠାରୁ ବୁଝିଥିଲେ। ଏହି ସମୟରେ ଚାଷୀମାନେ ନିଜ ଦୁଃଖ ମୁଖ୍ୟମନ୍ତ୍ରୀଙ୍କ ଆଗରେ ବଖାଣି ଚାଷ ପାଇଁ ସମବାୟ ସମିତି ଓ ବିଭିନ୍ନ ବ୍ୟାଙ୍କରୁ ଆଣିଥିବା ଋଣ ଛାଡ଼ କରିବା ସହ ବନ୍ୟାରେ ସର୍ବସ୍ୱ ହରାଇଥିବା ଚାଷୀଙ୍କୁ ତୁରନ୍ତ ଉପଯୁକ୍ତ ସହାୟତା ଓ କ୍ଷତିପୂରଣ ଯୋଗାଇଦେବାକୁ ଆକୁଳ ନିବେଦନ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଜେନା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଆସିକା ସାଂସଦ ଅନିତା ଶୁଭଦର୍ଶିନୀ, ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପଚନ୍ଦ୍ର ନାୟକ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଆସିକା ବିଧାୟକ ସରୋଜ ପାଢ଼ୀ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ , ବହୁ ବରିଷ୍ଠ ନେତା
ଅରୁଣକୁମାର ପଣ୍ଡା, ଅନିଲକୁମାର ପଣ୍ଡା,ସୀତାରାମ ପାଣିଗ୍ରାହୀ, ଜଞ୍ଯନାରାୟଣ ଦାଶଙ୍କ ସମେତ ବହୁବରିଷ୍ଟନେତାମାନେ ଯୋଗଦେଇଥିବା ବେଳେ ଗଞ୍ଜାମ ଏସ୍‌ପି ହିସ ବିଶି, ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ଏସ୍‌ଡିପିଓ ସୁଜିତ କୁମାର ନାୟକ ଓ ଆଇଆଇସି କୁଳମଣି ସେଠୀଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।

 

Dharitri – Odisha’s No.1 Odia Daily

Share