ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶନିବାର ରାତିରୁ ଉଭୟ ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ରବିବାର ସକାଳେ ବୈତରଣୀ ନଦୀର ଜଳସ୍ତର ଆଖୁଆପଦା ଠାରେ ବିପଦ ସଙ୍କେତ ଅତିକ୍ରମ କରିଥିବା ବେଳେ ରାଜଘାଟ ଠାରେ ସାଳନ୍ଦୀ ନଦୀର ଜଳସ୍ତର ବିପଦ ସଙ୍କେତ ନିକଟତର ହୋଇଛି।

ଆଖୁଆପଦା ଠାରେ ବୈତରଣୀ ନଦୀର ବିପଦ ସଙ୍କେତ ୧୮.୩୩ ମିଟର ରହିଥିବା ବେଳେ ରବିବାର ସକାଳ ୮ଟା ସମୟରେ ନଦୀର ଜଳସ୍ତର ୧୮.୩୯ ମିଟରରେ ପହଞ୍ଚିଛି। ଫଳରେ ଏଠାରେ ନଦୀର ଜଳସ୍ତର ବିପଦ ସଙ୍କେତଠାରୁ ୦.୦୬ ମିଟର ଅଧିକ ରହିଛି। ସେହିପରି ରାଜଘାଟ ଠାରେ ସାଳନ୍ଦୀ ନଦୀର ବିପଦ ସଙ୍କେତ ୧୭ ଫୁଟ ରହିଥିବା ବେଳେ ସକାଳ ୮ଟା ସମୟରେ ଏଠାରେ ଜଳସ୍ତର ୧୬.୭୦ ଫୁଟରେ ପ୍ରବାହିତ ହେଉଥିଲା। ରାତିରୁ ବର୍ଷା ଲାଗି ରହିଥିବାରୁ ଉଭୟ ନଦୀର ଜଳସ୍ତର ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି।

ବୈତରଣୀ ନଦୀରୁ କଣ୍ଟିଘାଇ ଏସ୍କେପ୍, ମଲ୍ଲିମାହାରା ଓ ଗୌରାଙ୍ଗପୁର ଏସ୍କେପ୍ ଦେଇ ବନ୍ୟାଜଳ ବାହାରି ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ଅଧିକାଂଶ ପଞ୍ଚାୟତରେ ରାସ୍ତାଘାଟ ଓ ଚାଷଜମି ଜଳମଗ୍ନ କରିଛି। ଏହାଦ୍ୱାରା ଅନେକ ଅଞ୍ଚଳରେ ଯାତାୟାତ ଓ ଚାଷବାସ ପ୍ରଭାବିତ ହୋଇଛି।ସେହିପରି ସାଳନ୍ଦୀ ନଦୀ ଓ ଏହାର ଉପନଦୀ ନଳିଆରେ ବନ୍ୟା ଯୋଗୁଁ ଭଦ୍ରକ ବ୍ଲକର ବିଭିନ୍ନ ଅଞ୍ଚଳରେ ମଧ୍ୟ ବନ୍ୟା ପରିସ୍ଥିତି ଉପୁଜିଛି। ଅନେକ ସ୍ଥାନରେ ରାସ୍ତାଘାଟ ଓ ଚାଷଜମିରେ ବନ୍ୟାଜଳ ପ୍ରବେଶ କରିଥିବା ଜଣାପଡ଼ିଛି।

ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ବନ୍ୟା ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା ସହ ବିଭାଗୀୟ ଅଧିକାରୀମାନଙ୍କୁ ସଜାଗ ରଖାଯାଇଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share