ଉତ୍କେଲାରୁ ଉଡ଼ିବ ବିମାନ

ଭବାନୀପାଟଣା,୨୧।୪(ସ୍ବ.ପ୍ର.): ଦୀର୍ଘଦିନର ପ୍ରତୀକ୍ଷା ପରେ ଆସନ୍ତା ମେ’ ମାସରେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲା ବିମାନବନ୍ଦରରୁ ବିମାନ ଉଡ଼ାଣ ଆରମ୍ଭ ହେବ। ଇଣ୍ଡିଆ ୱାନ୍‌ ଏୟାରର ଏକ ବିମାନ ପ୍ରଥମେ ଉତ୍କେଲାରୁ ରାୟପୁର ଉଡ଼ିବ। ପରେ ରାୟପୁରରୁ ଫେରି ଭୁବନେଶ୍ୱର ଯିବ।

ଉତ୍କେଲା ଏୟାରଷ୍ଟ୍ରିପ୍‌ରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୮ କୋଟି ୬୦ ଲକ୍ଷ ୭୩ ହଜାର ଟଙ୍କା ଖର୍ଚ୍ଚରେ ବିମାନବନ୍ଦରର ଭିତ୍ତିଭୂମି ହୋଇସାରିଛି। ଏଥିନିମନ୍ତେ ୪୨ କୋଟି ୮୭ ଲକ୍ଷ ୯୩ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ଡିଜିସିଏସ୍‌ ପକ୍ଷରୁ ୫ ଜଣିଆ ଟିମ୍‌ ଉତ୍କେଲା ଏୟାରଷ୍ଟ୍ରିପ୍‌ର ସ୍ଥିତି ତଦାରଖ କରି ଫେରିଛି। ୨-ବି ଲାଇସେନ୍ସ ପ୍ରଦାନ ନିମନ୍ତେ କିଛି ତ୍ରୁଟି ଥିବା ଦର୍ଶାଯାଇଛି, ଯାହା ପୂର୍ତ୍ତ ବିଭାଗ ଦ୍ୱାରା ସଂଶୋଧନ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଟର୍ମିନାଲ ବିଲ୍‌ଡିଂ, ଷ୍ଟାଫ୍‌ କ୍ବାର୍ଟର୍ସ, ଅଗ୍ନିଶମ ବାରାକ୍‌ ଓ ରନ୍‌ୱେ ସମ୍ପ୍ରସାରଣ କାମ ଶେଷ ହୋଇଛି। ବର୍ତ୍ତମାନ ୯ ଆସନ ବିଶିଷ୍ଟ ବିମାନ ଚଳାଚଳ କରିବାକୁ ଥିବାବେଳେ ପରେ ୭୮ ଯାତ୍ରୀଙ୍କୁ ନେଇ ଉଡ଼ାଣ ପାଇଁ ଯୋଜନା କରାଯାଉଥିବା ଜଣାପଡ଼ିଛି।