ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍ ପଡ଼ୁନାହିଁ। ସାଧାରଣ ଲୋକଙ୍କ ସମର୍ଥନ ପାଉଥିବା ନେତାମାନେ ପ୍ରଚାର କରୁଥିବା ରାଷ୍ଟ୍ରବାଦୀ ଧାରଣାଗୁଡ଼ିକ ମାନବାଧିକାର ଚୁକ୍ତିନାମା ଏବଂ ସେସବୁକୁ ସମର୍ଥନ କରୁଥିବା ଅନୁଷ୍ଠାନଗୁଡ଼ିକୁ ଦେଶର ଆଭ୍ୟନ୍ତରୀଣ ରାଜନୀତିରେ ବିଦେଶୀ ହସ୍ତକ୍ଷେପ ବୋଲି ଦର୍ଶାଉଛି। ଫଳରେ ଏହାକୁ ସାର୍ବଭୌମତ୍ୱ ଉପରେ ଏକ ଅଗଣତାନ୍ତ୍ରିକ ଆକ୍ରମଣ ଭାବେ ଚିତ୍ରଣ କରାଯାଉଛି। ଯେଉଁଦେଶଗୁଡ଼ିକ ଏହି ବ୍ୟବସ୍ଥା ଗଠନ କରିବାରେ ବିଶ୍ୱ ସ୍ତରରେ ନେତୃତ୍ୱ ନେଇଥିଲେ ସେଠାରେ ଏହି ଧାରଣା ବୃଦ୍ଧି ପାଇବାରେ ଲାଗିଛି।
ଏହି ବ୍ୟବସ୍ଥାର ବୈଧତା ପୁନଃସ୍ଥାପନ କରିବା ପାଇଁ ଏକ ସୃଜନଶୀଳ ବିଶ୍ୱ ନେତୃତ୍ୱ ଆବଶ୍ୟକ, ଯାହା ସ୍ଥାନୀୟ ତଥା ବିଶ୍ୱସ୍ତରୀୟ ବିଷୟଗୁଡ଼ିକ ମଧ୍ୟରେ ଥିବା ଅବିଚ୍ଛିନ୍ନ ସମ୍ପର୍କକୁ ବୁଝିପାରିବ। ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଗର୍ଡନ ବ୍ରାଉନ ତାଙ୍କ ନୂଆ ପୁସ୍ତକରେ କହିଛନ୍ତି, ସ୍ଥାନୀୟ ଏବଂ ବିଶ୍ୱସ୍ତରୀୟ ବିଷୟ ପରସ୍ପର ସହିତ ନାହିନାଡ଼ ଭଳି ଜଡ଼ିତ। ବ୍ରିଟିଶ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମଙ୍କ ପାଖରେ ଏହା କରିବାର ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ରହିଛି।
୨୦୦୯ ମସିହାରେ ସଂସ୍କୃତି, ମିଡିଆ ଏବଂ କ୍ରୀଡ଼ା ବିଭାଗର ସଚିବ ଥିବା ସମୟରେ ବର୍ନହାମ ହିଲ୍ସବୋରୋ ଷ୍ଟାଡିୟମ ଦୁର୍ଘଟଣାର ୨୦ତମ ବାର୍ଷିକୀ ସ୍ମୃତି ସଭାରେ ଭାଷଣ ଦେଇଥିଲେ। ଏହି ଦୁର୍ଘଟଣାରେ ଲିଭରପୁଲର ଏକ ଫୁଟବଲ ମ୍ୟାଚରେ ଭିଡ଼ରେ ଚାପି ହୋଇ ୯୬ ଜଣଙ୍କ ମୃତ୍ୟୁ ହୋଇଥିଲା। ପରେ ଆଘାତ ଯୋଗୁ ଆଉ ଜଣଙ୍କର ମୃତ୍ୟୁ ହେବାରୁ ମୃତକଙ୍କ ସଂଖ୍ୟା ୯୭କୁ ବୃଦ୍ଧି ପାଇଥିଲା। କିନ୍ତୁ ବର୍ନହାମଙ୍କ ଭାଷଣ ସମୟରେ କ୍ରୋଧିତ ଦର୍ଶକମାନେ ‘୯୬ ଜଣଙ୍କ ପାଇଁ ନ୍ୟାୟ’ ସ୍ଲୋଗାନ ଦେଇଥିଲେ। ଏହି ଦୁଃଖଦ ଘଟଣା ପଛରେ ଥିଲା ପୋଲିସର ଅକ୍ଷମତା ଏବଂ ପରବର୍ତ୍ତୀ ତଦନ୍ତରେ ଯଥେଷ୍ଟ ସ୍ବଚ୍ଛତା କିମ୍ବା ଏଥିରେ ଦାୟୀ ବ୍ୟକ୍ତିମାନଙ୍କୁ ଉତ୍ତରଦାୟୀ କରିବାର ବ୍ୟବସ୍ଥା ନ ଥିଲା। ଏବେ ହାଉସ୍ ଅଫ୍ ଲର୍ଡସ୍ ଦ୍ୱାରା ବିଚାର କରାଯାଉଥିବା ତଥାକଥିତ ‘ହିଲ୍ସବୋରୋ ଆଇନ’ ମାଧ୍ୟମରେ ଶେଷରେ କିଛି ମାତ୍ରାରେ ନ୍ୟାୟ ମିଳିବାକୁ ଯାଉଛି। ସରକାରୀ ଭାବେ ଏହା ପବ୍ଲିକ ଅଫିସ (ଆକାଉଣ୍ଟେବିଲିଟି) ବିଲ୍ ଭାବେ ଜଣାଶୁଣା। ଏହି ଆଇନ ସରକାରୀ କର୍ତ୍ତୃପକ୍ଷଙ୍କୁ ସତ୍ୟନିଷ୍ଠା ଏବଂ ସହାୟତାର କର୍ତ୍ତବ୍ୟ କରିବା ସହିତ ମୃତକଙ୍କ ପରିବାର ପାଇଁ ହେଉଥିବା ତଦନ୍ତରେ ପ୍ରତିନିଧିତ୍ୱର ସମାନ ସୁଯୋଗ ଦେବ। ବ୍ୟାପକ ଭାବରେ ଦେଖିଲେ, ଏହି ଆଇନ ଲୋକଙ୍କ ମଧ୍ୟରେ ମାନବାଧିକାର ଆଇନ ସମ୍ପର୍କିତ ଧାରଣାରେ ପରିବର୍ତ୍ତନ ଆଣିପାରେ।
ବ୍ରିଟେନରେ ପ୍ରିଣ୍ଟ ଏବଂ ବ୍ରଡ୍କାଷ୍ଟ ମିଡିଆ ଏଭଳି ବିଷୟଗୁଡ଼ିକୁ ପ୍ରସାରଣ କରୁଛନ୍ତିି, ଯାହା ସୋସିଆଲ ମିଡିଆ ଦ୍ୱାରା ଅଧିକ ପ୍ରସାରିତ ହୋଇ ଏକ ଧାରଣା ସୃଷ୍ଟି କରୁଛି ଯେ ମାନବାଧିକାର ଆଇନ ବ୍ରିଟିଶ ନାଗରିକଙ୍କୁ ସୁରକ୍ଷା ନ ଦେଇ ଅନ୍ୟ ଏବଂ ଅଯୋଗ୍ୟ ଲୋକଙ୍କୁ ସୁରକ୍ଷା ଦେଉଛି। ପ୍ରଚାର ହେଉଛି, ମାନବାଧିକାର ସୁରକ୍ଷା ବାସ୍ତବରେ ଲୋକଙ୍କ ସୁରକ୍ଷା, ଗଣତାନ୍ତ୍ରିକ ଉତ୍ତରଦାୟିତ୍ୱ ଏବଂ ଜାତୀୟ ସାର୍ବଭୌମତ୍ୱକୁ ଦୁର୍ବଳ କରୁଛି। ଫଳରେ ଲୋକେ ଏଭଳି ପ୍ରଚାର ଦ୍ୱାରା ଅତ୍ୟଧିକ ପ୍ରଭାବିତ ହେଉଥିବା ଜଣାପଡୁଛି। ସମ୍ପ୍ରତି ଜନମତ ସର୍ବେକ୍ଷଣଗୁଡ଼ିକରୁ ଜଣାପଡ଼ିଛି ଯେ, ୟୁରୋପିଆନ କନ୍ଭେନସନ ଅନ ହ୍ୟୁମ୍ୟାନ ରାଇଟ୍ସ (ଇସିଏଚ୍ଆର୍) ବା ୟୁରୋପୀୟ ମାନବାଧିକାର ଚୁକ୍ତିରେ ରହିବା ପାଇଁ ବ୍ରିଟେନ ପ୍ରତି ସମର୍ଥନ କମିବାରେ ଲାଗିଛି। ଏହି ଧାରାକୁ ବିରୋଧ ନ କରି ଅନେକ ମୁଖ୍ୟଧାରାର ରାଜନେତା ମଧ୍ୟ ଏଥିରେ ସାମିଲ ହୋଇଯାଇଛନ୍ତି। ପ୍ରଥମ ଥର ପାଇଁ ବ୍ରିଟେନର ଦକ୍ଷିଣପନ୍ଥୀ ସମସ୍ତ ରାଜନୈତିକ ଦଳ ଇସିଏଚ୍ଆର୍ରୁ ଓହରିଯିବା ପକ୍ଷରେ ଅଛନ୍ତି। ଫଳରେ ଆଗାମୀ ନିର୍ବାଚନ ପରେ ବ୍ରିଟେନ ଇସିଏଚ୍ଆର୍ରୁ ଓହରିବାରେ ଏକମାତ୍ର ଦେଶ ହୋଇପାରେ। କିନ୍ତୁ ଇସିଏଚ୍ଆର୍ ସାଧାରଣ ଲୋକଙ୍କୁ ସରକାରଙ୍କ ଗୁରୁତର ବିଫଳତା ପାଇଁ ଉତ୍ତରଦାୟୀ କରିବାରେ କେତେ ଗୁରୁତ୍ୱପୂର୍ଣ୍ଣ, ତାହା ଦର୍ଶାଏ। ବାସ୍ତବରେ ଯଦି ଇସିଏଚ୍ଆର୍ ନ ଥାନ୍ତା, ତେବେ ହିଲ୍ସବୋରୋ ଦୁର୍ଘଟଣାର ମୃତକଙ୍କ ପରିବାର ତାଙ୍କ ପ୍ରିୟଜନଙ୍କୁ ବେଆଇନ ଭାବେ ହତ୍ୟା କରାଯାଇଥିବା ତଦନ୍ତର ନିଷ୍ପତ୍ତି ପାଇ ପାରି ନ ଥାନ୍ତେ।
ନିଶ୍ଚିତ ଭାବରେ ହିଲ୍ସବୋରୋ ଆଇନକୁ ଆଗକୁ ବଢ଼ାଇବାରେ ଘରୋଇ ରାଜନୈତିକ ଇଚ୍ଛାଶକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଏବଂ ସମସ୍ତ ଦଳର ରାଜନେତାମାନେ (ବର୍ନହାମଙ୍କ ସମେତ) ଏହି ପ୍ରକ୍ରିୟାର ଭିନ୍ନ ଭିନ୍ନ ସମୟରେ ନେତୃତ୍ୱ ପ୍ରଦର୍ଶନ କରିଥିଲେ। କିନ୍ତୁ ଇସିଏଚ୍ଆର୍ର ଆଇନ ବି ଅତ୍ୟନ୍ତ ଆବଶ୍ୟକ ଥିଲା। ୟୁରୋପୀୟ ମାନବ ଅଧିକାର ଅଦାଲତ ଇସିଏଚ୍ଆର୍ରେ ଥିବା ଜୀବନ ଜିଇବା ଅଧିକାରକୁ ଏଭଳି ଭାବରେ ବ୍ୟାଖ୍ୟା କରିଛନ୍ତି ଯେ, ଯଦି କୌଣସି ମୃତ୍ୟୁରେ ସରକାର ସାମିଲ ଥାନ୍ତି, ତେବେ ଏହାର ପ୍ରଭାବଶାଳୀ ତଦନ୍ତ କରିବା ସରକାର ବାଧ୍ୟ। ଯଦି ସେହି ଆଇନଗତ ଆବଶ୍ୟକତା ବ୍ରିଟେନର ଆଇନର ଅଂଶ ହୋଇ ନ ଥାନ୍ତା, ତେବେ ‘୯୬ ଜଣଙ୍କ ପାଇଁ ନ୍ୟାୟ’ ବୋଧହୁଏ ଏବେ ବି ସ୍ବପ୍ନ ହୋଇ ରହିଥାନ୍ତା।
ସତ କହିବାକୁ ଗଲେ ଏହି ପରିବାରଗୁଡ଼ିକ ଦୀର୍ଘ ସମୟ ଅପେକ୍ଷା କରିସାରିଲେଣିି। କେବଳ ସେମାନେ ନୁହନ୍ତି, ସରକାରୀ ବ୍ୟବସ୍ଥାର ବିଫଳତା ୧୯୮୦ ଦଶକର ଦୂଷିତ ରକ୍ତ ସ୍କାଣ୍ଡାଲ,୨୦୧୭ର ମାଞ୍ଚେଷ୍ଟର ଆରେନା ଆକ୍ରମଣ ଓ ଗ୍ରେନଫେଲ ଟାୱାର ଅଗ୍ନିକାଣ୍ଡ ଏବଂ ସାମ୍ପ୍ରତିକ ପୋଷ୍ଟ ଅଫିସ୍ ହରାଇଜନ ଘୋଟାଲାରେ ମଧ୍ୟ ଦେଖିବାକୁ ମିଳିଛି। ଏହି ଘଟଣାଗୁଡ଼ିକ ଦର୍ଶାଉଛି ଯେ, ମାନବାଧିକାର ଆଇନକୁ ଦୁର୍ବଳ କରିବାର ଯୁକ୍ତିକୁ ସମର୍ଥନ କରିବା ପରିବର୍ତ୍ତେ, ଆମକୁ କାହିଁକି ଆହୁରି ଶକ୍ତିଶାଳୀ ମାନବାଧିକାର ଆଇନ ଆବଶ୍ୟକ।
ଇସିଏଚ୍ଆର୍ରେ ଉଲ୍ଲେଖ ଥିବା ଅଧିକାରଗୁଡ଼ିକ ମାନବାଧିକାର ଆଇନ ମାଧ୍ୟମରେ ବ୍ରିଟେନର ଆଇନରେ ପ୍ରତିଫଳିତ ହେଉଛି। ତେବେ ଏହି ଅଧିକାରଗୁଡ଼ିକୁ କିପରି ସୁରକ୍ଷିତ ଭାବେ କାର୍ଯ୍ୟକାରୀ କରାଯିବ ସେ ନେଇ ଅଧିକ ବିସ୍ତୃତ ଜାତୀୟ ଆଇନର ଆବଶ୍ୟକତା ରହିଛି। ହିଲ୍ସବୋରୋ ଆଇନ ତାହା ହିଁ କରିବ ଏବଂ ଏହା ଇସିଏଚ୍ଆର୍ ଦ୍ୱାରା ପ୍ରତିଷ୍ଠିତ ମୌଳିକ ଆଇନଗତ ଅଧିକାରଗୁଡ଼ିକୁ ବାସ୍ତବ ରୂପ ପ୍ରଦାନ କରିପାରିବ। ଏଭଳି ବିସ୍ତୃତ ପଦକ୍ଷେପଗୁଡ଼ିକ ଭବିଷ୍ୟତର ଯେକୌଣସି ତ୍ରୁଟିବିଚ୍ୟୁତି ପାଇଁ ସରକାରଙ୍କୁ ଦାୟୀ କରିବା ଅଧିକ ସହଜ ହେବ। ଇସିଏଚ୍ଆର୍ ବ୍ୟବସ୍ଥା ଏହିପରି ଭାବରେ କାର୍ଯ୍ୟ କରିବା ପାଇଁ ଉଦ୍ଦିଷ୍ଟ। ମାନବାଧିକାର ଆଇନ ମାଧ୍ୟମରେ ଇସିଏଚ୍ଆର୍ର ପ୍ରାବଧାନଗୁଡ଼ିକୁ ନିଜର ଆଇନଗତ ବ୍ୟବସ୍ଥାର ଅଂଶ କରିବା ଉଚିତ। ରାଷ୍ଟ୍ରଗୁଡ଼ିକ ଗଣତାନ୍ତ୍ରିକ ପ୍ରକ୍ରିୟା ମାଧ୍ୟମରେ ନିଜ ଆଇନ ବ୍ୟବସ୍ଥା ଅନୁଯାୟୀ ସେହି ଅଧିକାରଗୁଡ଼ିକୁ ପ୍ରକୃତ ସୁରକ୍ଷା ଦେବା ପାଇଁ ବିସ୍ତୃତ ଜାତୀୟ ଆଇନ ପ୍ରଣୟନ କରିବା ଉଚିତ। ଫଳରେ ଏଭଳି ଏକ ବ୍ୟବସ୍ଥା ପ୍ରସ୍ତୁତ ହେବ ଯାହା ସାଧାରଣ ନାଗରିକଙ୍କୁ କୌଣସି ଅନ୍ତର୍ଜାତୀୟ ଅଦାଲତରେ ଆଶ୍ରୟ ନ ନେଇ ନିଜ ସରକାରଙ୍କ ଦ୍ୱାରା ହେଉଥିବା ଅଧିକାର ଉଲ୍ଲଂଘନ ବିରୋଧରେ ସ୍ବର ଉତ୍ତୋଳନ କରିବା ପାଇଁ ସକ୍ଷମ କରିବ।
ହିଲ୍ସବୋରୋ ଘଟଣାରେ ନିଜର ପୂର୍ବ ରେକର୍ଡକୁ ଦେଖିଲେ ମାନବାଧିକାର ଆଇନ ପ୍ରତି ଜନସାଧାରଣଙ୍କ ମତାମତର ଗତିପଥକୁ ବଦଳାଇବା ଏବଂ ମାନବାଧିକାର ସୁରକ୍ଷା ପାଇଁ ବିଶ୍ୱସ୍ତରୀୟ ବ୍ୟବସ୍ଥାକୁ ସୁଦୃଢ଼ ତଥା ସୁରକ୍ଷିତ କରିବା ନିମନ୍ତେ ଆବଶ୍ୟକ ଅନ୍ତର୍ଜାତୀୟ ନେତୃତ୍ୱ ପ୍ରଦାନ କରିବାରେ ବର୍ନହାମ୍ଙ୍କ ପାଖରେ ସୁଯୋଗ ରହିଛି। ନିଜର କଥା ଏବଂ କାର୍ଯ୍ୟ ଯେଉଁଥିରେ ହିଲ୍ସବୋରୋ ଆଇନ ପ୍ରତି ସମର୍ଥନ ବଢ଼ାଇ ସେ ସ୍ପଷ୍ଟ କରିପାରିବେ ଯେ ମାନବାଧିକାର ଆଇନ ସର୍ବଦା ଜନସାଧାରଣଙ୍କ ପକ୍ଷରେ ରହିଛି।
ମୁରେ ହଣ୍ଟ
-ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ମାନବାଧିକାର ଆଇନର ଭିଜିଟିଂ ପ୍ରଫେସର