Categories: ଗଞ୍ଜାମ

୫ ମାସ ପରେ ବି ପାଞ୍ଚ ଅନ୍ତେବାସୀଙ୍କ ପତ୍ତା ମିଳୁନି

ବ୍ରହ୍ମପୁର ଅଫିସ,୨୮।୪: ବ୍ରହ୍ମପୁର ଜରଡ଼ା ବଙ୍ଗଳା ରାସ୍ତାରେ ଥିବା ପର୍ଯ୍ୟବେକ୍ଷଣ ଆବାସ ଓ ସ୍ବତନ୍ତ୍ର ଆବାସ(ବାଳକ)ରୁ ୬ ଜଣ ଅନ୍ତେବାସୀ ଚମ୍ପଟ ଘଟଣାର ୫ ମାସ ବିତିଯାଇଛି। ଅଦ୍ୟାବଧି ୫ ଜଣଙ୍କ ପତ୍ତା ପାଇ ପାରିନାହିଁ ପୋଲିସ। ଚମ୍ପଟ ଅନ୍ତେବାସୀ ନିଜ ନିଜ ଘରକୁ ଫେରିଲେ ସେମାନଙ୍କୁ ଧରିବା ପାଇଁ ପୋଲିସ କେବଳ ଅପେକ୍ଷା କରି ବସିଛି। ଚମ୍ପଟ ୫ ଅନ୍ତେବାସୀ ଧରାପଡିନଥିବାରୁ ପୋଲିସ ଓ ପ୍ରଶାସନର ଏବେ ଚିନ୍ତା ବଢିଯାଇଛି। ସେପଟେ ଏହି ଘଟଣାର ପ୍ରଶାସନିକ ତଦନ୍ତ ସମାପ୍ତ ହୋଇଛି। ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ)ଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାର ତଦନ୍ତ କରିଥିଲେ। ୪ ପୃଷ୍ଠାର ତଦନ୍ତ ରିପୋର୍ଟ ଜିଲାପାଳଙ୍କ ନିକଟରେ ଦାଖଲ କରାଯାଇଛି। ଜିଲାପାଳ ସେହି ରିପୋର୍ଟକୁ ଆଧାର କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ। କିଭଳି ଓ କେଉଁ ପରିସ୍ଥିତିରେ ବାଳ ସୁଧାର ଗୃହରୁ ଅନ୍ତେବାସୀ ଚମ୍ପଟ ମାରିଲେ ସେ ଦିଗରେ ରିପୋର୍ଟରେ ଉଲ୍ଲେଖ ରହିଛି। ସେହିପରି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଅନୁଧ୍ୟାନ କରାଯାଇଛି। ସେପଟେ ଶହେରୁ ଊଦ୍ଧର୍‌ବ ଅନ୍ତେବାସୀ ରହୁଥିବା ସୁଧାର ଗୃହରେ ମାତ୍ର ମାତ୍ର ୪ଜଣ ସୁରକ୍ଷା କର୍ମୀ ରହିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦୁର୍ବଳ ସୁରକ୍ଷା ବ୍ୟବସ୍ଥାର ଫାଇଦା ଉଠାଇ ଅନ୍ତେବାସୀମାନେ ଚମ୍ପଟ ମାରିଛନ୍ତି। ଏଣୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ପ୍ରଶାସନିକସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତ ନଭେମ୍ବର ୨୧ ବିଳମ୍ବିତ ରାତିରେ ବାଳ ସୁଧାର ଗୃହର ଏକ ନିର୍ଦ୍ଦିଷ୍ଟ ୱାର୍ଡ଼ରେ ଥିବା ୬ ଅନ୍ତେବାସୀ ଝରକା ଗ୍ରୀଲ୍‌ ତାଡ଼ି ଚମ୍ପଟ ମାରିଥିଲେ। ରାତି ପ୍ରାୟ ସାଢ଼େ ୨ଟା ବେଳେ ସୁଧାର ଗୃହର କର୍ମଚାରୀମାନେ ଯାଞ୍ଚ କରୁଥିବା ବେଳେ ଅନ୍ତେବାସୀ ୱାର୍ଡ଼ରେ ନ ଥିବା ଦେଖିବାକୁ ପାଇଥିଲେ। ଏ ନେଇ ସୁଧାର ଗୃହର ଅଧୀକ୍ଷକ ପି. ରମେଶ ରାଓ ପୋଲିସକୁ ଖବର କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସେହିପରି ଡିସିପିଓ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ମଧ୍ୟ ଏକ ୫ଜଣିଆ ଟିମ୍‌ ଘଟଣାର ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟ ଜିଲାପାଳଙ୍କ ନିକଟରେ ଦାଖଲ କରାଯାଇଛି। ଗତ ଡିସେମ୍ବରରେ ପୋଲିସ ଗଜପତି ଜିଲା ଆର.ଉଦୟଗିରି ଅଞ୍ଚଳରୁ ଜଣେ ଅନ୍ତେବାସୀଙ୍କୁ ଉଦ୍ଧାର କରି ବାଳସୁଧାର ଗୃହ କତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛି। ବାଳସୁଧାର ଗୃହରୁ ଚମ୍ପଟ ଅନ୍ତେବାସୀଙ୍କ ପରିବାରବର୍ଗଙ୍କ ସହ ଯୋଗାଯୋଗରେ ରହିଛି ପୋଲିସ। ହେଲେ ଏଯାବତ ୫ ଅନ୍ତେବାସୀଙ୍କ ପତ୍ତା ପାଇପାରିନଥିବା ଜଣାପଡିଛି।