ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାରପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ ଛେଳି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସମ୍ପୃକ୍ତ ଚୋରଙ୍କର ପୋଲିସ ଟେର ପାଉନାହିଁ। ଲଗାତର ଛେଳି ଚୋରିକୁ ନେଇ ଚାଷୀଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ପୋଲିସ ତଦନ୍ତ କରି ଚୋରି ରାକେଟ୍‌ର ପର୍ଦ୍ଦାଫାଶ କରିବା ସହ ଛେଳି ଚୋରି ରୋକିବାକୁ ଚାଷୀମାନେ ଦାବି କରିଛନ୍ତି।

କେନ୍ଦୁଝର ଜିଲା ପାଟଣା ଥାନା ପୁଟୁଳିଆ ଗ୍ରାମର ଭାଗବତ ମହାନ୍ତଙ୍କ ଘରେ ପଶି ଗୁରୁବାର ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତ ଗୁହାଳରୁ ୫ଟି ଛେଳି ଚୋରି କରିନେଇଛନ୍ତି।ସୂଚନାନୁଯାୟୀ, ଭାଗବତଙ୍କ ପରିବାର ରାତିରେ ଖିଆପିଆ ସାରି ଶୋଇଥିଲେ। ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ଏକ ଚାରିଚକିଆ ଗାଡ଼ିରେ ଆସି ଘର ସମ୍ମୁଖରେ ଅଟକିଥିଲେ। ପରିବାର ଲୋକେ ଯେପରି ବାହାରକୁ ଆସି ନ ପାରିବେ, ସେଥିପାଇଁ ଶୋଇବା ଘର କବାଟକୁ ବାହାର ପଟୁ ତାଲା ପକାଇ ଦେଇଥିଲେ। ପରେ ଗୁହାଳରେ ପଶି ୫ଟି ଛେଳିକୁ ଗାଡ଼ିରେ ଲଦି ଫେରାର ହୋଇଯାଇଥିଲେ। ଗାଡ଼ି ଶବ୍ଦ ଶୁଣି ପରିବାର ଲୋକେ ପଡ଼ୋଶୀଙ୍କୁ ଫୋନ୍‌ କରି ଖୋଲିବା ବେଳକୁ ଗାଡ଼ିରେ ଦୁର୍ବୃତ୍ତ ପାର ହୋଇଯାଇଛନ୍ତି।
ଅନୁରୂପ ଭାବେ ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ତଣ୍ଡ ଗାଁରେ ଗୋଲାପ ନାଏକଙ୍କ ଗୁହାଳରୁ ଗାଁର ୨ ଯୁବକ ଛେଳି ଚୋରି ଉଦ୍ୟମ କରୁଥିବା ବେଳେ ଧରା ପଡ଼ିଛନ୍ତି। ପରିବାର ଲୋକେ ପୋଲିସକୁ ଖବର ଦେବା ପରେ ଘଟଗାଁ ପୋଲିସ ଆସି ୨ ଯୁବକଙ୍କୁ ଥାନାକୁ ନେଇଛି।

Dharitri – Odisha’s No.1 Odia Daily

Share