ଦିଗପହଣ୍ଡି, ୨୯।୧୦ (ଅଶେଷ ନାଥ ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ବନ୍ୟା ବିଭୀଷିକା ଦେଖାଦେଇଛି। ଦିଗପହଣ୍ଡିରେ ୩୬୫ ମିଲିମିଟର ଏବଂ ଘୋଡ଼ାହାଡ଼ ଡ୍ୟାମ୍ ଅଞ୍ଚଳରେ ୪୩୬ ମିଲିମିଟର ରେକର୍ଡ ପରିମାଣର ବର୍ଷା ହୋଇଛି। ଜଳସ୍ତର ବୃଦ୍ଧି ପାଇବାରୁ ଘୋଡ଼ାହାଡ଼ ଡ୍ୟାମ୍ର ସମୁଦାୟ ୬ଟି ମୁଖ୍ୟ ଫାଟକ ମଧ୍ୟରୁ ପର୍ଯ୍ୟାୟକ୍ରମେ ୫ଟି ଗେଟ୍ ଖୋଲାଯାଇ ନଦୀ ଗର୍ଭକୁ ବନ୍ୟାଜଳ ଛଡ଼ାଯାଉଛି। ଡ୍ୟାମ୍ରୁ ଘଣ୍ଟା ପ୍ରତି ୩୫୦ କ୍ୟୁମେକ୍ ପାଣି ନିଷ୍କାସିତ ହେଉଥିବା ଜଳସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଗଙ୍ଗାଧର ଦାସ ସୂଚନା ଦେଇଛନ୍ତି।
ଘୋଡ଼ାହାଡ଼ ନଦୀରେ ବନ୍ୟା ଯୋଗୁଁ ତିଳେଶ୍ୱର, ଆମ୍ବଗାଁ, ପାଟପୁର, ମହାନଳା, ଜୟନଗର, ଉସ୍ତା ଜଗନ୍ନାଥପୁର, ଜଲମରା, ଆଡ଼ପଡ଼ା, ଖଲିଙ୍ଗି, କଇଠବେଢ଼ା, କୁରୁଳା, ଏରେଣ୍ଡ୍ରା ଓ ପଥରପୁଞ୍ଜି ଆଦି ଗାଁଗୁଡ଼ିକରେ ପୋଖରୀ ହିଡ଼ ଭାଙ୍ଗି ବନ୍ୟାପାଣି ପଶିଯାଇଛି। ସେହିପରି ସାନଖେମୁଣ୍ଡି ବ୍ଲକର ନରସିଂହଗଡ଼, ସିଙ୍ଗପୁର, ପାଟପୁର, ଜିଉରା, ଗୌତମୀ, ୨ୟ ଧର୍ମପୁର, ମଳାଭଞ୍ଜା ଓ ଖୋଲଡି ଆଦି ଗ୍ରାମର ଶହ ଶହ ଏକର ଚାଷଜମି, ଧାନଗଛ ଓ ପନିପରିବା ଚାଷ ଜଳମଗ୍ନ ହୋଇଯାଇଛି। ସ୍ଥିତି ଅନୁଧ୍ୟାନ ପାଇଁ ବ୍ରହ୍ମପୁର ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ. ରବିନ୍ଦ୍ର ନାଥ ସେଠୀ, ଅଧିକ୍ଷଣ ଯନ୍ତ୍ରୀ ଇଂ. ସୁବ୍ରତ ପଟ୍ଟନାୟକ ଓ ଦିଗପହଣ୍ଡି ଆଇଆଇସି କିଶୋର କୁମାର ସାମଲ ଡ୍ୟାମ୍ ପରିଦର୍ଶନ କରିଛନ୍ତି।
ଅନ୍ୟପଟେ, ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମରେ ଗୋପାଳଗଣ୍ଡ ତପ୍ତପାଣି ଖାରି ନାଳର ପାଣି ମାଡ଼ିଆସିବାରୁ ବୁଧବାର ସନ୍ଧ୍ୟାରେ ଭାଗବତ ମନ୍ଦିରକୁ ହବିଷାନ୍ନ ଖାଇବାକୁ ଯାଇଥିବା ୧୪ ଜଣ ମହିଳା ଓ ଜଣେ ପୂଜକଙ୍କ ସମେତ ୧୬ ଜଣ ଜଳବନ୍ଦୀ ହୋଇପଡ଼ିଥିଲେ। ପ୍ରଖର ସ୍ରୋତ ଯୋଗୁ ବୁଧବାର ରାତିରେ ଓଡ଼୍ରାଫ୍ (ODRAF) ଟିମ୍ ମାତ୍ର ଜଣେ ମହିଳାଙ୍କୁ ଉଦ୍ଧାର କରିବା ପରେ ଅନ୍ୟମାନଙ୍କୁ ଉଦ୍ଧାର ନକରି ଫେରିଯାଇଥିଲା। ଗୁରୁବାର ସକାଳେ ପୁନର୍ବାର ଉଦ୍ଧାର ପାଇଁ ଆସିଥିବା ଓଡ଼୍ରାଫ୍ ବୋଟ୍ର ମୋଟର ଖରାପ ହୋଇଯିବାରୁ ଏବଂ ଅଗ୍ନିଶମ ବାହିନୀ ସଫଳ ନହେବାରୁ ପ୍ରଶାସନିକ ଉଦ୍ୟମ ବିଫଳ ହୋଇଥିଲା। ତହସିଲଦାର ସନ୍ତୋଷ କୁମାର ସାହୁ ଓ ବିଡ଼ିଓ ଅନାମିକା ପାଣ୍ଡେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଶେଷରେ ବିଳମ୍ବିତ ସନ୍ଧ୍ୟାରେ ପ୍ରାୟ ୨୪ ଘଣ୍ଟା ପରେ, ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଜୀବନକୁ ବାଜି ଲଗାଇ ଦଉଡ଼ି ସାହାଯ୍ୟରେ ମନ୍ଦିରରେ ଫସିଥିବା ସମସ୍ତ ୧୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।
ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ତଟବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ନଦୀକୁ ନଯିବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ କରାଯାଇଛି। ଏହାସହ ଡ୍ୟାମ୍ରୁ ଗେଟ୍ ଦେଇ କୁମ୍ଭୀର ନଦୀକୁ ଆସିବାର ଭୟ ଥିବାରୁ ସାବଧାନ ରହିବାକୁ ପ୍ରଶାସନ ଚେତାବନୀ ଦେଇଛି। ବର୍ତ୍ତମାନ ଡ୍ୟାମ୍ରେ ୯୬ ପ୍ରତିଶତ (୧୧୬.୯୦ ମିଟର) ଜଳ ଗଚ୍ଛିତ ଥିବା ବେଳେ ୯୦ ପ୍ରତିଶତ ପାଣି ରଖି ବାକି ଉଦ୍ବୃତ୍ତ ଜଳ ନିଷ୍କାସନ କରାଯାଉଛି।