ଭାଲୁକୁ ପିଟି ପିଟି ହତ୍ୟା, ବନ୍ଧା ହେଲେ ୫ ଅଭିଯୁକ୍ତ

ମାଲକାନଗିରି,୨୦ା୬(ଦୁର୍ଯ୍ୟୋଧନ ପାତ୍ର)- ମାଲକାନଗିରି ଜିଲା ମାଥିଲି ବନାଞ୍ଚଳ ଅଧୀନ ଢାଇଗୁଡା ଗ୍ରାମ ନିକଟରେ ଭାଲୁକୁ ଆକ୍ରମଣ କରିଥିବା ୫ ଅଭିଯୁକ୍ତଙ୍କୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ମାଥିଲି ଥାନା ଦଳପତିଗୁଡ଼ା ଗ୍ରାମର ଗୋବିନ୍ଦ ଗୌଡ଼, ଧନୁର୍ଜୟ ଗୌଡ଼, ବସନ୍ତ କୁମାର ଖିଲ, ସିରାଗୁଡ଼ ଗ୍ରାମର ମଣ୍ଟୁ ନାୟକ ଓ ଢାଇଗୁଡା ଗ୍ରାମର ବିଷ୍ଣୁ ମାଝୀ।
ମାଲକାନଗିରି ଖଣ୍ଡୀୟ ବନଅଧିକାରୀ ସାଇକୁମାର ଡି.ଏନ୍‌. ଖବରଦାତା ସମ୍ମିଳନୀରେ ଦେଇଥିବା ସୂଚନାନୁଯାୟୀ, ଗୁରୁବାର ରାତିରେ ମାଥିଲି ବନାଞ୍ଚଳ ଅଧୀନ ଢାଇଗୁଡ଼ା ଗ୍ରାମ ନିକଟ କାଳିଆଗୁଡ଼ା ରାସ୍ତା ଉପରେ ଏକ ଭାଲୁ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ ବନ ବିଭାଗ ଉଦ୍ଧାର କରି ମାଥିଲି ବନାଞ୍ଚଳକୁ ଆଣିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଭାଲୁର ମୃତ୍ୟୁ ହୋଇଥିଲା।
ଏ ନେଇ ବନ ବିଭାଗ ପକ୍ଷରୁ ତଦନ୍ତ କରାଯାଇଥିଲା। କାଳିଆଗୁଡ଼ା ଗ୍ରାମ ରାସ୍ତାରେ ଭାଲୁ ଅତିକ୍ରମ କରୁଥିବା ବେଳେ କେତେଜଣ ବ୍ୟକ୍ତି ପଥର, ଶାବଳ ଓ କାଠ ଦ୍ୱାରା ଭାଲୁକୁ ଆକ୍ରମଣ କରିଥିଲେ। ଫଳରେ ଭାଲୁ ଗୁରୁତର ହୋଇ ରାସ୍ତାରେ ପଡ଼ିଥିବା ତଦନ୍ତରୁ ଜଣାପଡ଼ିଛି। ଗ୍ରାମବାସୀ ବନ୍ୟଜନ୍ତୁ ସୁରକ୍ଷା ଆଇନ ଉଲ୍ଲଂଘନ କରିଥିବାରୁ ବନ ବିଭାଗ ଓ ମାଲକାନଗିରି ପୋଲିସ ମିଳିତ ଭାବେ ଅଭିଯୁକ୍ତମାନଙ୍କୁ ଗିରଫ କୋର୍ଟ ଚାଲାଣ କରିଛନ୍ତି। ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ବନ ଅଧିକାରୀ ସୂଚନା ଦେଇଛନ୍ତି।

Share