ହୀରାକୁଦ ଜଳଭଣ୍ଡାରରେ ମାଛ ଧରୁଥିବା ବେଳେ ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ

ଝାରସୁଗୁଡ଼ା ଅଫିସ,୧୨ା୭: ହୀରାକୁଦ ଜଳଭଣ୍ଡାରରୁ ମାଛ ଧରୁଥିବାବେଳେ ଡଙ୍ଗାରୁ ଖସିପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଲଖନପୁର ଥାନା ଅଧୀନ ବଲଣ୍ଡା ଗ୍ରାମର ପ୍ରଫୁଲ୍ଲ ମାଝି(୩୬)। ଖବରପାଇ ଲଖନପୁର ଥାନା ପୋଲିସ ମୃତଦେହ ଜବତ କରି ଝାରସୁଗୁଡ଼ା ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଲଖନପୁର ଥାନାରେ କେସ୍‌ ନଂ ୧୨/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

ସୂଚନାଯୋଗ୍ୟ, ମତ୍ସ୍ୟଜୀବୀ ପ୍ରଫୁଲ୍ଲ ମାଝି ଓ ଗଜରାଜ ଘୁସି ମିଶି ପ୍ରତିଦିନ ଭଳି ମଙ୍ଗଳବାର ଭୋର୍‌ରୁ ଡଙ୍ଗାଧରି ହୀରାକୁଦ ଜଳଭଣ୍ଡାରକୁ ମାଛ ମାରିବା ପାଇଁ ଯାଇଥିଲେ। ମାଛ ଧରୁଥିବାବେଳେ ହଠାତ୍‌ ପ୍ରଫୁଲ୍ଲ ଡଙ୍ଗାରୁ ପାଣିକୁ ଖସିପଡ଼ିଥିଲେ। ଡଙ୍ଗାରେ ଥିବା ଅନ୍ୟତମ ସାଥୀ ଗଜରାଜ ନିକଟରେ ଥିବା ଅନ୍ୟ ମତ୍ସ୍ୟଜୀବୀମାନଙ୍କୁ ଡାକି ପାଣିରୁ ପ୍ରଫୁଲ୍ଲଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ଏକ ଗାଡ଼ିରେ ବେଲପାହାଡ଼ ଟାଟା କ୍ରୋସାକୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ମତ୍ସ୍ୟଜୀବୀଙ୍କ ବୃଦ୍ଧ ମା’, ଭଉଣୀ,ସ୍ତ୍ରୀ ଓ ଏକମାତ୍ର ପୁଅ ରହିଛନ୍ତି। ପରିବାରରେ ପ୍ରଫୁଲ୍ଲ ଏକମାତ୍ର ରୋଜଗାରିଆ ପୁଅ ହୋଇଥିବା ବେଳେ ତାଙ୍କ ଦେହାନ୍ତ ପରେ ଏବେ ପରିବାର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛନ୍ତି। ସମ୍ପୃକ୍ତ ଅସହାୟ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ସରପଞ୍ଚ ଦାବି କରିଛନ୍ତି।