ମହାକାଳପଡ଼ା, ୩୦।୧୦ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍ ବଉଳକଣି ପଞ୍ଚାୟତ ଅନ୍ତର୍ଗତ ସ୍କୁଲଘେରି ଗ୍ରାମରେ ନେତାଜୀ ୟୁନାଇଟେଡ୍ ଯୁବକ ସଂଘ ପକ୍ଷରୁ ୩୫ତମ ଗଜଲକ୍ଷ୍ମୀ ପୂଜା ଅବସରରେ ଚତୁର୍ଥ ବାର୍ଷିକ ନୌଚାଳନା ପ୍ରତିଯୋଗିତା ଶୁକ୍ରବାର ଜମ୍ବୁ-ମାର୍ଶାଘାଇ କେନାଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଞ୍ଚଳର ଦକ୍ଷ ଓ ଅଭିଜ୍ଞ ମତ୍ସ୍ୟଜୀବୀମାନେ ଅଂଶଗ୍ରହଣ କରିଥିଲେ।
ସମୁଦ୍ର ଓ ନଦୀନାଳ ଘେରା ଏହି ଅଞ୍ଚଳର ମତ୍ସ୍ୟଜୀବୀମାନେ ଝଡ଼ବର୍ଷା ଓ ପ୍ରତିକୂଳ ପାଗରେ ମାଛ ଧରି ଜୀବିକା ନିର୍ବାହ କରନ୍ତି। ମାଛ ଧରିବା ସମୟରେ ପ୍ରତିକୂଳ ପାଗରେ କିପରି ନିଜକୁ ସୁରକ୍ଷିତ ରଖି ସମୁଦ୍ରରୁ କୂଳକୁ ଫେରିବାକୁ ହୁଏ, ସେଥିପାଇଁ ମତ୍ସ୍ୟଜୀବୀଙ୍କ ନୌଚାଳନା ଦକ୍ଷତା ଏହି ପ୍ରତିଯୋଗିତା ମାଧ୍ୟମରେ ପ୍ରଦର୍ଶିତ ହୋଇଥାଏ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।
ପ୍ରତିଯୋଗିତାରେ ଦୁଇଟି ନୌକାରେ ମୋଟ ୧୦ ଜଣ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗୀଙ୍କ ଦକ୍ଷତା ମାପିବା ପାଇଁ କେତେକ ବରିଷ୍ଠ ବ୍ୟକ୍ତିଙ୍କୁ ନେଇ ବିଚାରକ ମଣ୍ଡଳୀ ଗଠନ କରାଯାଇଥିଲା। ପ୍ରତିଯୋଗିତା ଶେଷରେ ବିଜୟୀ ଦଳକୁ ଆୟୋଜକ କମିଟି ପକ୍ଷରୁ ଅର୍ଥରାଶି ଓ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଫାଇନାଲ୍ ରାଉଣ୍ଡରେ ମା’ ଗଙ୍ଗାମାତା ନୌକା ଟିମ୍ ଜମ୍ବୁ ଓ ମା’ ଗଜଲକ୍ଷ୍ମୀ ନୌକା ଟିମ୍ ବନ୍ଧପଡ଼ା-ପ୍ରଭାକରପୁର ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମହାକାଳପଡ଼ା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡ. ଦୁର୍ଗା ପ୍ରସନ୍ନ ନାୟକ ଯୋଗଦେଇ ଚାମ୍ପିୟନ ମା’ ଗଙ୍ଗାମାତା ଟିମ୍ ଜମ୍ବୁକୁ ଟ୍ରଫି ସହ ୫ ହଜାର ଟଙ୍କାର ଚେକ୍ ଏବଂ ରନର୍ସଅପ୍ ମା’ ଗଜଲକ୍ଷ୍ମୀ ଟିମ୍ ବନ୍ଧପଡ଼ା-ପ୍ରଭାକରପୁରକୁ ଟ୍ରଫି ସହ ୩ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ହଳଧର ସ୍ୱାଇଁ, ସରୋଜକାନ୍ତ ସାହୁ, ପ୍ରତାପ ଚନ୍ଦ୍ର ଦାସ, ରଞ୍ଜନ ଚୌଧୁରୀ, କ୍ରିଷ୍ଣ ପଦ ମଣ୍ଡଳ, ଜଗନ୍ନାଥ ଦଳାଇ ଓ ଜମ୍ବୁ ସରପଞ୍ଚ ବିଶ୍ୱଜିତ ବସୁ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ଯୁବକ ସଂଘ ପକ୍ଷରୁ ଦିଲୀପ ମଣ୍ଡଳ, କୃପାସିନ୍ଧୁ ହାଲଦାର, ଖଗେନ ମିସ୍ତ୍ରୀ, ବିନୋଦ ମଣ୍ଡଳ, କାଳୀପଦ ମଣ୍ଡଳ ଓ ନିରଞ୍ଜନ ବିଶ୍ୱାସଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ। ଆଦର୍ଶ ଶିକ୍ଷକ ସୁନ୍ଦର ମୋହନ ସିଂ ଓ ମୁନା ସେଠୀ ପ୍ରମୁଖ ବିଚାରକ ମଣ୍ଡଳୀରେ ସାମିଲ ହୋଇଥିଲେ। କେନାଲର ଉଭୟ ପାର୍ଶ୍ୱରେ ୩ ହଜାରରୁ ଅଧିକ ଲୋକ ଏହି ନୌଚାଳନା ପ୍ରତିଯୋଗିତା ଉପଭୋଗ କରିଥିଲେ।