ଖୋର୍ଦ୍ଧା,୨୦ା୧୧(ପ୍ରଭାତ ପାଣିଗ୍ରାହୀ): ବାତ୍ୟା ବିପଦ ଟଳିଛି, ହେଲେ ଏବେ ବି ବାତ୍ୟାର ପ୍ରଭାବରୁ ମୁକୁଳିନି ଖୋର୍ଦ୍ଧା ଜିଲା। ପ୍ରବଳ ବର୍ଷା ସାଙ୍ଗକୁ ପବନରେ ଅଶାନ୍ତ ହୋଇପଡ଼ିଛି ଚିଲିକା। ଫଳରେ ଚିଲିକାକୁ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ସୁରକ୍ଷା ଦୃଷ୍ଟିରୁ ପୋଲିସ ପକ୍ଷରୁ ପାଟ୍ରୋଲିଂକୁ ମଧ୍ୟ କଡ଼ାକଡ଼ି କରାଯାଇଛି।
ବାତ୍ୟା ଅକ୍ୱାନର ପ୍ରଭାବରେ ଖୋର୍ଦ୍ଧା ଜିଲାରେ ଜାରି ରହିଛି ପ୍ରବଳ ବର୍ଷା। ଏହାର ପ୍ରଭାବରେ ଅଶାନ୍ତ ହୋଇପଡ଼ିଛି ଚିଲିକା। ଚିଲିକାରେ ପ୍ରତିକୂଳ ପାଣିପାଗ ଓ ଉତ୍ତାଳ ଜଳରାଶିକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ମାଛ ଧରିବା ପାଇଁ ଚିଲିକା ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି। ଏଥିସହ ଡଙ୍ଗା ଚଳାଚଳ ଉପରେ ମଧ୍ୟ କଟକଣା ଜାରି ହୋଇଛି।
ବାଲୁଗାଁ, ବାଣପୁର ଓ ଚିଲିକା ଉପକୂଳବର୍ତ୍ତୀ ଅଞ୍ଚଳରେ ପୋଲିସ ପକ୍ଷରୁ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ବିଶେଷକରି କାଳୁପଡ଼ା ଘାଟ, ମଙ୍ଗଳା ଘାଟ ସମେତ ବିଭିନ୍ନ ଜେଟି ଓ ଡଙ୍ଗାଘାଟରେ ପୋଲିସ ନଜର ରଖିଛି। ମାଇକ୍ରୋଫୋନ୍ ଯୋଗେ ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯାଉଛି। କୌଣସି ପରିସ୍ଥିତିରେ ମଧ୍ୟ ମତ୍ସ୍ୟଜୀବୀ କିମ୍ବା ପର୍ଯ୍ୟଟକ ଚିଲିକା ମଧ୍ୟକୁ ନଯିବାକୁ ପୋଲିସ ପକ୍ଷରୁ କଡ଼ା ତାଗିଦ କରାଯାଇଛି।
ଚିଲିକାର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶାସନ ଓ ପୋଲିସ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ପାଣିପାଗ ସ୍ବାଭାବିକ ନ ହେବା ପର୍ଯ୍ୟନ୍ତ ଚିଲିକାକୁ ନ ଯିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି। ଏନେଇ ବାଲୁଗାଁ ଏସ୍ଡିପିଓ ସୂଚନା ଦେଇଛନ୍ତି।