କେନ୍ଦ୍ରାପଡ଼ା,୨୮ା୧୧(ଜଗନ୍ନାଥ ଧଳ): ବିରଳ ଅଲିଭ ରିଡଲେ କଇଁଛଙ୍କ ପାଇଁ ଗତ ନଭେମ୍ବର ପହିଲାରୁ ଆସନ୍ତା ୨୦୨୭ ମେ ଶେଷ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଞ୍ଚଳକୁ କଟକଣା ମଧ୍ୟରେ ରଖାଯାଇଛି। ତେବେ ମତ୍ସ୍ୟଜୀବୀ ଏହି କଟକଣାକୁ ମାନୁନାହାନ୍ତି। ଗତ ୨୬ ଦିନ ମଧ୍ୟରେ ୧୯ଟି ଟ୍ରଲର କଟକଣାକୁ ଅଣଦେଖା କରି ନିଷିଦ୍ଧାଞ୍ଚଳରେ ପ୍ରବେଶ କରିଛନ୍ତି। ବନବିଭାଗ ପକ୍ଷରୁ ପ୍ରାୟ ୪୦ରୁ ଊଦ୍ଧ୍ୱର୍ର୍ ମତ୍ସ୍ୟଜୀବୀଙ୍କୁ ଗିରଫ ସହିତ ବୋଟ ଓ ସାମଗ୍ରୀକୁ ଜବତ କରାଯାଇଛି। ଏହାସହ ଅଲିଭ ରିଡଲେଙ୍କ ପ୍ରଜନନ ସ୍ଥଳ ଭାବେ ପରିଚିତ ଅଗରନାଶୀ, ବାବୁବାଲି, ସାତଭାୟା ଆଦି ଅଞ୍ଚଳର ତଟକ୍ଷୟ ସମସ୍ୟା ବଢ଼ାଇଛି। ଶିକାରୀଙ୍କ ଲୋଭ ଏହି ବିରଳ ଜୀବଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ପରିବେଶବିତ୍ ଓ ବୁଦ୍ଧିଜୀବୀମାନେ ଉଦ୍ବେଗ ପ୍ରକାଶ କରିଛନ୍ତି।
ପରିବେଶବିତ୍ ଦୋଳଗୋବିନ୍ଦ ଜେନା କହିଛନ୍ତି, ନିଷିଦ୍ଧାଞ୍ଚଳରେ ମାଛ ଧରା ବ୍ୟବସାୟ ସମ୍ପ୍ରତି ଅନୁପ୍ରବେଶକାରୀଙ୍କ ଅକ୍ତିଆରକୁ ଚାଲିଯାଇଛି। ଗତ ମାସକ ମଧ୍ୟରେ ଧରାପଡିଥିବା ବୋଟ ଓ ଟ୍ରଲରଗୁଡିକ ମଧ୍ୟରୁ ୮୦ପ୍ରତିଶତ ବାଲେଶ୍ୱର ଓ ଭ୍ରଦ୍ରକ ଜିଲାର। କଟକଣା ସମୟରେ ମାଛ ପ୍ରଜନନ ସମୟ ସହିତ ମାଛ ସଂଖ୍ୟା ଆଶାତୀତ ବୃଦ୍ଧି ପାଇଥାଏ। ଅଧିକ ମାଛ ଧରିବା ଲୋଭରେ ଏମାନେ ନିଷିଦ୍ଧାଞ୍ଚଳକୁ ପ୍ରବେଶ କରୁଛନ୍ତି। ଅଶୋକ କୁମାର ସ୍ବାଇଁ କହିଛନ୍ତି, ଗହୀରମଥାର ପରିବେଶ ଏବେ ବିଗିଡିଯାଇଛି। ତଟକ୍ଷୟ ସମସ୍ୟାର ସମାଧାନ ପ୍ରତି କାହାରି ନଜର ରହୁନାହିଁ। ସେହିପରି ଏହି ଅଞ୍ଚଳରେ ଏବେ ବନ୍ୟ ଓ ସାମୁଦ୍ରିକ ଜୀବ ଶିକାରୀଙ୍କ ସଂଖ୍ୟା ଅଧିକ ହୋଇଛି। ଯାହା ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। କଇଁଛଙ୍କ ସୁରକ୍ଷା ସମ୍ପର୍କରେଏକକୁଳା ଫରେଷ୍ଟର ନିର୍ମଳ ଚନ୍ଦ୍ର ନାୟକ କହିଛନ୍ତି, ନିଷିଦ୍ଧାଞ୍ଚଳ କଟକଣାକୁ ଚଳିତ ବର୍ଷ କଡାକଡି କରାଯାଇଛି।
ସୂଚନାଯୋଗ୍ୟ, ବିଶ୍ୱରେ ଅଲିଭ ରିଡଲେଙ୍କ ସଂଖ୍ୟା କମ ଥିବାରୁ ଆଇୟୁସିଏନ୍ (ଇଣ୍ଟରନ୍ୟାଶନାଲ ୟୁନିଅନ ଅଫ କନଜରଭେଶନ ଅଫ ନେଚର) ରେଡ ଡାଟା ବୁକରେ ଏହି ଜୀବ ସ୍ଥାନ ପାଇଛି। ଏହାର ସୁରକ୍ଷା ପାଇଁ ୧୯୭୨ ମସିହା ବନ୍ୟଜନ୍ତୁ ସଂରକ୍ଷଣ ଆଇନ, ଓଡ଼ିଶା ମେରାଇନ ଫିସର ରେଗୁଲେଶନ ଆକ୍ଟ ୧୯୮୨ରେ ସମୁଦ୍ରର ନିଷିଦ୍ଧାଞ୍ଚଳରେ ବୋଟ ଓ ଟ୍ରଲର ଚଳାଚଳକୁ କଟକଣା ଅଛିି। ଚଳିତ ବର୍ଷ ଏହି କଟକଣାକୁ ଗୁରୁତ୍ୱ ଦେଇ ପାଳନ କରାଯାଉଛି।