ଥୁଆମୂଳ ରାମପୁର, ୨୮/୧୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁରସ୍ଥିତ ବାବା ଖଣ୍ଡୁଆଳ ମିନି ଷ୍ଟାଡିୟମ୍ଠାରେ ଶୁକ୍ରବାର ବ୍ଲକ୍ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଗୋଟିଏ ପଟେ ସରକାରୀ ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରାଯିବା ସହ ସହାୟତା ବଣ୍ଟନ କରାଯାଇଥିବା ବେଳେ, ଅନ୍ୟପଟେ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତି ଓ ଯୋଜନାର ବାସ୍ତବ କାର୍ଯ୍ୟକାରିତାକୁ ନେଇ ସଭାମଞ୍ଚ ଏବଂ ଗଣମାଧ୍ୟମ ସମ୍ମୁଖରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଲାଞ୍ଜିଗଡ଼ ବିଧାୟକଙ୍କ ବ୍ଲକ୍ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ।
ବିଡିଓ ଧ୍ରୁବ ଚରଣ ମୁଦୁଲିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ମେଳାରେ କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ପବିତ୍ର ନାଏକ ମୁଖ୍ୟ ଅତିଥି ଏବଂ ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ବ୍ଲକ୍ ଅଧ୍ୟକ୍ଷ ଦୟାନିଧି ମାଝୀ, ଜିଲା ପରିଷଦ ସଦସ୍ୟା ଟୁନି ଖୋସଲା, ମଣ୍ଡଳ ସଭାପତି ଦୟାନିଧି ଭୋଇ ଓ ପୁଷ୍ପ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ଜିଲାସ୍ତରୀୟ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ପ୍ରାୟ ୬୦୦ ଜଣ ମତ୍ସ୍ୟ ଓ ପ୍ରାଣୀପାଳନ ଚାଷୀ, ଛାତ୍ରୀ ଏବଂ ଜନସାଧାରଣଙ୍କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ୫ ଜଣ ଚାଷୀଙ୍କୁ କାର୍ଯ୍ୟାଦେଶ ଏବଂ ୬ ଜଣ ହିତାଧିକାରୀଙ୍କୁ ଡମି ଚେକ୍ ପ୍ରଦାନ କରାଯାଇଥିଲା।
ସଭାମଞ୍ଚ ଓ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ଦେଇ ନାଏକ ଅଭିଯୋଗ କରିଥିଲେ ଯେ, ବ୍ଲକ୍ରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗର ଅଧିକାରୀମାନେ ନିୟମିତ ଭାବେ କାର୍ଯ୍ୟାଳୟ କିମ୍ବା କ୍ଷେତ୍ରକୁ ଆସୁନାହାନ୍ତି। ରୋଗାକ୍ରାନ୍ତ ପଶୁଙ୍କ ଚିକିତ୍ସା ଅଭାବରୁ ମୃତ୍ୟୁ ଘଟିଲେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯିବ ବୋଲି ସେ ଚେତାବନୀ ଦେଇଥିଲେ।
ଏଥିସହ ବ୍ଲକ୍ର ବିଭିନ୍ନ ଏଲ୍.ଆଇ. ସେଣ୍ଟରରେ ନିଜସ୍ୱ ଗୃହ ନିର୍ମାଣ ଓ ଆବଶ୍ୟକ କର୍ମଚାରୀ ନିଯୁକ୍ତି ପାଇଁ ସେ ଦାବି କରିଥିଲେ।
ଅନ୍ୟପକ୍ଷରେ, ବିରିକୋଟ ଓ କାଠକୁରା ଭଳି ଗ୍ରାମରେ କୁକୁଡ଼ା ଘର ନିର୍ମାଣ ହୋଇଥିଲେ ମଧ୍ୟ ସେଠାରେ କୁକୁଡ଼ା ନ ଥିବା ନେଇ ସେ ପ୍ରଶ୍ନ ଉଠାଇଥିଲେ। ଏଥିସହ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍.ଏଚ୍.ଜି.) ମାଧ୍ୟମରେ ଯୋଜନାର ପ୍ରକୃତ ଉପକାରିତା ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହେଉନଥିବା ସେ ଅଭିଯୋଗ କରିଥିଲେ।
ଦୁର୍ଗମ ଅଞ୍ଚଳରେ ନେଟୱର୍କ ସମସ୍ୟା ଏବଂ ଗରିବ ଚାଷୀଙ୍କ ପାଖରେ ସ୍ମାର୍ଟଫୋନ୍ ନଥିବାରୁ ଅନଲାଇନ୍ ଆବେଦନ କରିବା ସମ୍ଭବ ହେଉନାହିଁ ବୋଲି ଶ୍ରୀ ନାଏକ ମତ ପ୍ରକାଶ କରିଥିଲେ। ତେଣୁ ସମସ୍ତ ଯୋଜନାରେ ଅଫଲାଇନ୍ରେ ଆବେଦନ ଗ୍ରହଣ କରିବା ସହ ବ୍ଲକ୍ ବୈଠକରେ ବିଭାଗୀୟ ଅଧିକାରୀମାନେ ନିୟମିତ ଉପସ୍ଥିତ ରହିବାକୁ ସେ ଆହ୍ୱାନ ଦେଇଥିଲେ।
ମେଳାରେ ଚାଷୀମାନଙ୍କୁ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିବା ବେଳେ, ଯୋଜନାର ସଫଳ କାର୍ଯ୍ୟକାରିତା, ଅଧିକାରୀଙ୍କ ନିୟମିତ ଉପସ୍ଥିତି ଓ ଦୁର୍ଗମ ଅଞ୍ଚଳର ଚାଷୀଙ୍କୁ ସୁବିଧା ଯୋଗାଇବା ନେଇ ଉଠିଥିବା ପ୍ରଶ୍ନ ଏବେ ଗୁରୁତ୍ୱ ବହନ କରୁଛି