‘ରସୁଣ-ପିଆଜ ନପଡ଼ିଲେ ମାଛ ଆମିଷ ନୁହେଁ’, ମନ୍ତ୍ରୀଙ୍କ ଦାବିକୁ ନେଇ ତେଜିଲା ଚର୍ଚ୍ଚା

ଲକ୍ଷ୍ନୌ,୨୪ା୮: ମାଛ ଆମିଷ ନା ନିରାମିଷ? ଏହି ପ୍ରଶ୍ନକୁ ନେଇ ଉତ୍ତରପ୍ରଦେଶରେ ଏବେ ରାଜନୈତିକ ବିବାଦ ଦେଖାଦେଇଛି । ମାଛକୁ ନିରାମିଷ ବୋଲି ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ ବୟାନକୁ ସମର୍ଥନ କରିଛନ୍ତି ଉତ୍ତରପ୍ରଦେଶ କ୍ୟାବିନେଟ୍ ମନ୍ତ୍ରୀ ଓମ୍ ପ୍ରକାଶ ରାଜଭର। ତେବେ ପରେ ନିଜ ବୟାନ ଉପରେ ସେ ନିଜେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ରାଜଭର କହିଛନ୍ତି, “ରସୁଣ କିମ୍ବା ପିଆଜ ନ ପଡ଼ିଲେ ମାଛକୁ ଆମିଷ ବୋଲି କୁହାଯିବ ନାହିଁ । ଯଦି ସଞ୍ଜୟ ନିଷାଦ ଏପରି କହିଛନ୍ତି, ତେବେ ସେ ଠିକ୍ କହିଛନ୍ତି। ଏହାକୁ ଆମକୁ ମାନିବାକୁ ପଡ଼ିବ।”

ତେବେ ଅଯୋଧ୍ୟାରେ ଶ୍ରାବଣ ମାସରେ ଆୟୋଜିତ କଂଗ୍ରେସ କାର୍ଯ୍ୟକ୍ରମରେ ମାଛ ପରସାଯିବା ପ୍ରସଙ୍ଗରେ ସେ କଂଗ୍ରେସକୁ ମଧ୍ୟ ପ୍ରଶ୍ନ କରିଛନ୍ତି । ମାଛ ରାନ୍ଧିବା ସମୟରେ ସେଥିରେ ପିଆଜ ଓ ରସୁଣ ବ୍ୟବହାର କରାଯାଇଥିଲା କି ନାହିଁ, ତାହା କଂଗ୍ରେସକୁ ପଚରାଯିବା ଉଚିତ ବୋଲି ରାଜଭର କହିଛନ୍ତି । ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ରାଜଭର ଏହି ଯୁକ୍ତି ନେଇ କିଛିଟା ଦ୍ୱନ୍ଦ୍ୱରେ ଥିବା ଦେଖାଯାଇଥିଲା। ସେ କହିଛନ୍ତି, “କିନ୍ତୁ ମାଛ କିପରି ନିରାମିଷ ହୋଇପାରିବ? ସଞ୍ଜୟ ନିଷାଦ ମାଛ ବିଷୟରେ ବିଶେଷଜ୍ଞ। ତେଣୁ ତାଙ୍କର ଏ ବିଷୟରେ ଆମଠାରୁ ଅଧିକ ଜ୍ଞାନ ରହିଛି।”

ଏହି ବିବାଦର ଆରମ୍ଭ ହୋଇଥିଲା ଅଯୋଧ୍ୟାରେ ଏକ କଂଗ୍ରେସ କାର୍ଯ୍ୟକ୍ରମରେ ମାଛ ପରସାଯିବାକୁ ନେଇ। ଶ୍ରାବଣ ମାସରେ ଏହି କାର୍ଯ୍ୟକ୍ରମରେ ମାଛ ପରସାଯାଇଥିବା ଅଭିଯୋଗ ଉଠିଥିଲା। କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ ରାୟ ମଧ୍ୟ ଉପସ୍ଥିତ ଥିଲେ। ଏହାପରେ ନିଷାଦ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶ କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୟ ନିଷାଦ କହିଥିଲେ ଯେ, ପିଆଜ ଓ ରସୁଣ ବିନା ପ୍ରସ୍ତୁତ ମାଛ ନିରାମିଷ ।

ପଶ୍ଚିମବଙ୍ଗରେ ଭାଜପା ମାଛ ଖାଇବାର ପରମ୍ପରାକୁ ଗ୍ରହଣ କରୁଥିବା ପ୍ରସଙ୍ଗରେ ରାଜଭର କହିଛନ୍ତି ଯେ, ପ୍ରତ୍ୟେକ ରାଜ୍ୟର ନିଜସ୍ୱ ଖାଦ୍ୟ ଓ ସାଂସ୍କୃତିକ ପରମ୍ପରା ରହିଛି । ପଶ୍ଚିମବଙ୍ଗର ପରିସ୍ଥିତି ଅଲଗା, ମହାରାଷ୍ଟ୍ରର ନିଜସ୍ୱ ପରମ୍ପରା ରହିଛି ଏବଂ ଉତ୍ତରପ୍ରଦେଶରେ ଧାର୍ମିକ କିମ୍ବା ସାଂସ୍କୃତିକ ଅବସରରେ କିଛି ଖାଦ୍ୟ ଗ୍ରହଣୀୟ ନ ହୋଇପାରେ ବୋଲି ସେ କହିଛନ୍ତି ।

 

Dharitri – Odisha’s No.1 Odia Daily

Share
Tags: fish is veg