ଜଙ୍ଗଲ ସ୍କୁଲରେ ମାଛ ଛାତ୍ର

ଡ. ମନୋରଞ୍ଜନ ପ୍ରଧାନ

 

ସାମାଜିକ ଗଣମାଧ୍ୟମରେ ଏକ ରୋଚକ କାହାଣୀ ପଢ଼ିବାର ସୁଯୋଗ ମିଳିଲା। କାହାଣୀଟି କାଳ୍ପନିକ ହୋଇଥିଲେ ମଧ୍ୟ ବିଷୟବସ୍ତୁ ତଥ୍ୟ ଓ ସତ୍ୟ ଉପରେ ଆଧାରିତ ଯାହାକି ଚିନ୍ତନଶୀଳ ଓ ଶିକ୍ଷଣୀୟ। କାହାଣୀର ସଂକ୍ଷିପ୍ତ ଅବତାରଣା କରୁଛୁ। ଥରେ ଜଙ୍ଗଲର ରାଜା ସିଂହ ଘୋଷଣା କଲେ କି ରାଜ୍ୟର ସବୁ ଶିଶୁ ରାଜାଙ୍କ ବିଦ୍ୟାଳୟରେ ସମ୍ପୂର୍ଣ୍ଣ ଅବୈତନିକ ଶିକ୍ଷା ଗ୍ରହଣ କରିବେ। କଥାଟି ପ୍ରଚାର ହେବା କ୍ଷଣି ମାତାପିତାମାନେ ନିଜ ନିଜର ପିଲାମାନଙ୍କୁ ଅନ୍ୟ ବିଦ୍ୟାଳୟରୁ ଆଣି ରାଜାଙ୍କ ଜଙ୍ଗଲ ସ୍କୁଲରେ ନାମ ଲେଖାଇଲେ। ପାଠ୍ୟ ଖସଡ଼ାର ପ୍ରଥମ ୟୁନିଟ୍‌ ଗଛଚଢ଼ା ଥିଲା। ଥିଓରି ଓ ପ୍ରାକ୍ଟିକାଲ ପରେ ପ୍ରଥମ ୟୁନିଟ୍‌ ପରୀକ୍ଷା ହେଲା। ପରୀକ୍ଷାରେ ମାଙ୍କଡ଼ ପିଲା ପ୍ରଥମ ହୋଇ ପ୍ରିନ୍ସିପାଲଙ୍କଠାରୁ ପୁରସ୍କୃତ ହେଲା। ଉତ୍ସବରେ ପିଲାମାଙ୍କଡ଼ ପୁରସ୍କାର ପାଇବା କଥାକୁ ହାତୀ, ଓଟ ଓ ଜିରାଫ ହଜମ କରିପାରିଲେ ନାହିଁ। ନିଜ ପିଲାମାନେ ଏକ ମାସ ମଧ୍ୟରେ ଗଛ ଚଢ଼ା ଶିଖି ନ ପାରି ଫେଲ୍‌ ହେବାରୁ ନିଜ ପିଲାଙ୍କୁ ଗାଳିଗୁଲଜ କରିବା ସହ ଦଣ୍ଡ ବି ଦେଲେ। ହେଲେ ହାତୀ, ଓଟ ଓ ଜେବ୍ରା ପିଲାମାନେ ମାଡ଼ ଖାଉଥିବା ଦେଖି ବରଗଛ କାରଣ ପଚାରିଲା। କ୍ରୋଧରେ ହାତୀ କହିଲା- ଦେଖୁନ ଏ ମୂର୍ଖମାନଙ୍କୁ। ୟୁନିଟ୍‌ ଟେଷ୍ଟରେ ଫେଲ୍‌ ହୋଇଛନ୍ତି। ମାଙ୍କଡ଼ ପିଲା ଗଛ ଚଢ଼ି ଡାଳ ଫଳ ଖାଇ ପାରିଲା ହେଲେ ଏମାନେ ଗଛ ଚଢ଼ି ପାରିଲେ ନାହିଁ କି ଖାଇ ପାରିଲେ ନାହିଁ। ବାପାମାନଙ୍କ କଥା ଶୁଣି ଗଛ କହିଲା ଶୁଣ୍ଢ ବଢ଼େଇ ଥିଲେ ହାତୀ ପିଲା, ମୁହଁ ଉଠେଇ ଥିଲେ ଜେବ୍ରା ଓ ଓଟ ପିଲା ଡାଳ ଫଳ ସହଜରେ ଖାଇପାରିବେ ସେମାନଙ୍କୁ ଗଛ ଚଢ଼ିଲା ଭଳି ଅସମ୍ଭବ ଓ ଅବାନ୍ତର ବିଦ୍ୟା ଶିଖାଉଥିଲେ କାହିଁକି! ସେମାନେ ଫେଲ୍‌ ହେବେନି ତ କ’ଣ ର଼୍ୟାଙ୍କ ରଖିଥା’ନ୍ତେ! ତେଣେ ମାଛ ପିଲା ବାପାଙ୍କୁ ଅନୁରୋଧ କରି କହିଲା- ବାପା ଜଙ୍ଗଲ ସ୍କୁଲରେ ପାଠ ବେଶି କଷ୍ଟ ଲାଗୁଛି। ମୁଁ ଅଣନିଃଶ୍ବାସୀ ହୋଇଯାଉଛି। ମୁଁ ଆମ ଝରଣା ସ୍କୁଲରେ ପାଠ ପଢିବି ଆଉ ସେ ସ୍କୁଲ ଯିବି ନାହିଁ। ମାଛ କହିଲା- ଏହା ମୋର ଇଜ୍ଜତ୍‌ର କଥା। ତୋତେ ରାଜାଙ୍କ ସ୍କୁଲ ଯିବାକୁ ପଡିବ ଓ ଗଛ ଚଢା ଭଳି କିଛି ବିଷୟ କଷ୍ଟକର ହେଲେ ମଧ୍ୟ ତୋତେ ପରିଶ୍ରମ କରି ପାସ୍‌ ହେବାକୁ ପଡ଼ିବ। ଗୋଟିଏ ଡୁବୁକିରେ ଏତେ ବଡ଼ ସମୁଦ୍ରକୁ ପ୍ରଦକ୍ଷିଣ କରିବାର ସାମର୍ଥ୍ୟ ରଖିଥିବା ମାଛ ଛୁଆକୁ ଗଛଚଢ଼ା ପାଠ ପଢ଼େଇ ମାଛ ବାପା କ’ଣ କରିବାକୁ ଚାହୁଁଛି ସେ ହିଁ ଜାଣିଥିବେ।
କାହାଣୀଟି ଉପସ୍ଥାପନ କରିବାର ଉଦ୍ଦେଶ୍ୟ ହେଉଛି ଆଜିକାଲିର ମା’ବାପାଙ୍କ ମାନସିକତା ଓ ପିଲାଙ୍କ ପ୍ରତି ସେମାନଙ୍କର ସ୍ବପ୍ନ ସମ୍ବନ୍ଧରେ ଏକ ସାଙ୍କେତିକ ବ୍ୟାଖ୍ୟା । ଆଜିକାଲି ମା’ବାପାମାନେ ନିଜ ପିଲାମାନଙ୍କର ଇଚ୍ଛା, ଆଗ୍ରହ, ସାମର୍ଥ୍ୟ ଓ ଦକ୍ଷତାକୁ ଅଣଦେଖା କରି ସେମାନଙ୍କ ହିସାବରେ ପିଲାଙ୍କ ଭବିଷ୍ୟତ ଗଢ଼ିବାକୁ ଏକ ପ୍ରକାର ନିଷ୍ଫଳ ପ୍ରୟାସ ଓ ପ୍ରଯତ୍ନ କରୁଛନ୍ତି ଯାହାକି ଅତ୍ୟନ୍ତ ଦୁଃଖଦ ଓ ଚିନ୍ତାଜନକ। ଏହା ଦ୍ବାରା କାହାର ଲାଭ ହୁଏ ନାହିଁ ବରଂ ଦିଅଁ ଗଢୁ ଗଢୁ ମାଙ୍କଡ଼ ଅବତାର ହୋଇଯାଆନ୍ତି ଆମ ଭବିଷ୍ୟତମାନେ। ସେମାନେ ଯଦି ନିଜ ରୁଚି ଓ ଦକ୍ଷତା ଅନୁସାରେ ଶିକ୍ଷା ଗ୍ରହଣ କରନ୍ତେ,ବିଷୟ ଚୟନ କରନ୍ତେ ଓ ଭବିଷ୍ୟତରେ ଜୀବିକା ଓ ଜୀବନ ନିର୍ବାହ କରିବାକୁ ନିଷ୍ପତ୍ତି ନିଅନ୍ତେ, ସେମାନେ ନିଶ୍ଚୟ ସଫଳ ହୋଇପାରନ୍ତେ। ଅଭିଭାବକ ବା ମାତାପିତା ଭାବରେ ଆମର ଦାୟିତ୍ୱ ସେମାନଙ୍କୁ ମାର୍ଗଦର୍ଶନ କରିବା। କିନ୍ତୁ ସେମାନଙ୍କ ଉପରେ ଆମର ଇଚ୍ଛା ବା ଅସଫଳ ଈପ୍ସିତ ସ୍ବପ୍ନକୁ ଲଦିଦେବା ଆଦୌ ଯୁକ୍ତିଯୁକ୍ତ ନୁହେଁ। ଏହା ଦ୍ବାରା ଶିଶୁର ଶୈଶବର ହତ୍ୟା ହେଉଛି। ସେମାନଙ୍କ ସୃଜନ ଶକ୍ତିର ଉନ୍ମେଷ ହୋଇପାରୁନାହିଁ। ଇଚ୍ଛା ବିରୋଧରେ ସେମାନଙ୍କୁ ବଡ଼ ଲୋକ ହେବାକୁ ପ୍ରରୋଚିତ କରାଯାଉଛି। ଫଳତଃ ଶିଶୁର ବ୍ୟକ୍ତିଗତ କ୍ଷତି ସହ ରାଷ୍ଟ୍ର ଓ ମାନବ ସମାଜର ବିକାଶରେ ବାଧା ସୃଷ୍ଟି ହେଉଛି।
ସେଥିପାଇଁ ନୂଆ ଶିକ୍ଷା ନୀତି ୨୦୨୦ ଶିଶୁର ସାମର୍ଥ୍ୟ ଆଧାରିତ ଶିକ୍ଷା ପ୍ରଦାନ ନିମନ୍ତେ ଅଧିକ ଧ୍ୟାନ ଦେବାକୁ ଗୁରୁତ୍ୱ ଆରୋପ କରିଛି। ପ୍ରସ୍ତୁତି ସ୍ତରରେ ବୃତ୍ତିଗତ ଶିକ୍ଷା ବିଷୟରେ ପରିଚିତ ହୋଇ ମାଧ୍ୟମିକ ସ୍ତରରେ ନିଜର ରୁଚି ଓ ଦକ୍ଷତା ଅନୁସାରେ ବୃତ୍ତି ଚୟନ କରି ସ୍ବାବଲମ୍ବୀ ଓ ସାଭିମାନୀ ଜୀବନ ବିତାଇବାକୁ ଶିକ୍ଷାନୀତି ଗୁରୁତ୍ୱାରୋପ କରିଛି। ତେଣୁ ନୂତନ ଜାତୀୟ ଶିକ୍ଷା ନୀତିର ପ୍ରଥମ ବୈଶିଷ୍ଟ୍ୟରେ କୁହାଯାଇଛି କି ଶିଶୁଙ୍କ ଅନ୍ତର୍ନିହିତ ବା ଲୁକ୍କାୟିତ ଗୁଣାବଳୀକୁ ଚିହ୍ନଟ କରିବା, ସ୍ବୀକୃତି ଦେବା ଓ ବିକାଶରେ ସହଯୋଗ କରିବା ଶିକ୍ଷୟିତ୍ରୀ ଶିକ୍ଷକ ଓ ଅଭିଭାବକଙ୍କ ପ୍ରଥମ ଦାୟିତ୍ୱ ହେବା ଉଚିତ। ଶିଶୁକୁ ଅଯଥା ଜଟିଳ ପାଠ୍ୟକ୍ରମରେ ନାମ ଲେଖାଇ ମାନସିକ ଓ ଆବେଗିକ ଭାବରେ ଚାପଗ୍ରସ୍ତ ନ କରି ମୁକ୍ତ ଚିନ୍ତନ ମାଧ୍ୟମରେ ନିଜ ଶକ୍ତି, ସାମର୍ଥ୍ୟ ଓ ସମ୍ବଳ ଅନୁଯାୟୀ ଆଗକୁ ବଢ଼ିବାକୁ ପ୍ରୋତ୍ସାହନ ମିଳିଲେ, ଶିଶୁମାନେ ଭବିଷ୍ୟତରେ ନିଜ ନିଜ କ୍ଷେତ୍ରରେ ପ୍ରବୀଣ, ପ୍ରାଜ୍ଞ ଓ ପ୍ରଶଂସିତ ହୋଇପାରିବେ। ଆଉ ହାତୀକୁ ଗଛଚଢା, ମାଛକୁ ଆକାଶରେ ଉଡ଼ିବା, ମାଙ୍କଡ଼କୁ ଜଳରେ ବୁଡ଼ିବା ଭଳି ଦୁର୍ବାର ଲାଳସା ରଖି ପାଠ୍ୟକ୍ରମ ଚୟନ କଲେ ଫଳାଫଳ କ’ଣ ହୋଇପାରେ ବିଚାରଯୋଗ୍ୟ।
ତେଣୁ ବିଦ୍ୟାଳୟ ଚୟନ ପଡ଼ୋଶୀ ବା ନିଜ ସମ୍ପର୍କୀୟଙ୍କ ସହ ପ୍ରତିଯୋଗିତା କରି ଚୟନ ନ କରି ନିଜ ଆର୍ଥିକ ସମ୍ବଳ ଓ ଶିକ୍ଷାଗତ ଯୋଗ୍ୟତା ଆଧାରରେ ହେବା କଥା ମାତାପିତାମାନେ ହେଜନ୍ତୁ। ଘରର ଆର୍ଥିକ ସ୍ଥିତି ଭଲ ନ ଥାଇ ଦାମୀ ସ୍କୁଲରେ ପିଲାଙ୍କୁ ପାଠ ପଢ଼େଇବା ସ୍ବପ୍ନ ନ ଦେଖି ନିଜ ଆୟ ଅନୁସାରେ ବିଦ୍ୟାଳୟ ଚୟନ କରନ୍ତୁ। ଠିକ୍‌ ସେହିପରି ପାଠ୍ୟକ୍ରମ ଚୟନ କଲାବେଳେ ପିଲାଙ୍କ ମାନସିକ ସ୍ଥିତି, ସାମର୍ଥ୍ୟ, ରୁଚି ଓ ଭବିଷ୍ୟତରେ ଆତ୍ମନିର୍ଭରଶୀଳ ହେବାର ସୁଯୋଗ ଓ ସୁବିଧାକୁ ଦେଖିବା ଜରୁରୀ। ନଚେତ୍‌ ମାଛ ପିଲା ଯେପରି ଜଙ୍ଗଲ ବିଦ୍ୟାଳୟରେ ଅଣନିଃଶ୍ବାସୀ ହୋଇପଡ଼େ ସେଭଳି ଦୁର୍ଦ୍ଦଶା ହୋଇପାରେ। ବେଳ ଥାଉଁ ହେଲେ ସଚେତନ, ବିପଦ ନ ଦେବ କଷଣ। ନିଜର ସ୍ଥିତିକୁ ପରଖ, ପିଲାଙ୍କ ବିଦ୍ୟାଳୟ ବାଛ। ପିଲାଙ୍କ ଦକ୍ଷତା ପ୍ରକାରେ, ବିଷୟ ବାଛ ଚତୁରେ।
ସହକାରୀ ପ୍ରଫେସର, ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟ ଜୟପୁର, କୋରାପୁଟ, ମୋ:୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri