ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ର ଏବେ ଆସିବେ ନାହିଁ ସ୍କୁଲ

ଭୁବନେଶ୍ୱର,୨୩।୨(ବ୍ୟୁରୋ): ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଓଡ଼ିଶାରେ ମଧ୍ୟ ଏହା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଏହି କାରଣରୁ ସତର୍କତା ଅବଲମ୍ବନ ପାଇଁ ପଦକ୍ଷେପ ନିଆଯାଉଛି। ଏସବୁ ଭିତରେ ପୁଣି ଶିକ୍ଷାନୁଷ୍ଠାନ ଖୋଳିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଙ୍ଗଳବାର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ମହାରାଷ୍ଟ୍ର ଓ ଗୁଜରାଟରେ ପୁଣି ଥରେ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି। ତେଣୁ ଏପରି ସ୍ଥିତିରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇନି। ଏନେଇ ବିଚାର ବିମର୍ଶ ଚାଲିଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ କରୋନା କୋପ କମିବା ପରେ ଦୀର୍ଘ ୯ ମାସ ପରେ ଜାନୁଆରୀ ମାସରୁ ଧୀରେ ଧୀରେ ଶିକ୍ଷାନୁଷ୍ଠାନ ଖୋଲିଥିଲା। ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ସ୍କୁଲ ଯିବାକୁ ଅନୁମତି ମିଳିଥିଲା। ପରେ ପରେ ନବମ, ଏକାଦଶ ସହିତ ଅଙ୍ଗନବାଡି ଗୁଡିକୁ ଖୋଲିବାକୁ ଅନୁମତି ଦିଆଯାଇଥିଲା।