Categories: ଖେଳ

ପ୍ରଥମ ଟି୨୦: ଇଂଲଣ୍ଡ ୫ ଉଇକେଟରେ ବିଜୟୀ

କେପ୍‌ ଟାଉନ,୨୯।୧୧(ଏପି): ସ୍ଥାନୀୟ ନ୍ୟୁଲାଣ୍ଡ୍ସ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଇଂଲଣ୍ଡ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋଙ୍କ ଧୂଆଁଧାର ବ୍ୟାଟିଂ ବଳରେ ୫ ଉଇକେଟରେ ବିଜୟ ହାସଲ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୬ ଉଇକେଟ ହରାଇ ୧୭୯ ରନ ସଂଗ୍ରହ କରିଥିଲା। ଜବାବରେ ଇଂଲଣ୍ଡ ୧୯.୨ ଓଭରରେ ୫ ଉଇକେଟ ହରାଇ ୧୮୩ ରନକରି ବିଜୟ ହାସଲ କରିଛି। ଏଥିସହ ଇଂଲଣ୍ଡ ୩ ମ୍ୟାଚ୍‌ବଶିଷ୍ଟ ଏହି ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ୪୮ ବଲର ସମ୍ମୁଖୀନ ହୋଇ ୯ ଚୌକା ଓ ୪ ଛକା ସହ ଅପରାଜିତ ୮୬ ରନକରି ଇଂଲଣ୍ଡ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେୟାରଷ୍ଟୋ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୧୮୦ ରନ ଟାର୍ଗେଟର ପିଛ କରି ଇଂଲଣ୍ଡ ୩୪ ରନରେ ୩ ଉଇକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଜାସନ ରଏ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ସେହିପରି ଜୋଶ ବଟଲର ୭ ଓ ଡଓ୍ବେିଡ ମଲାନ ୧୯ ରନକରି ପ୍ୟାଭିଲିୟନ ଫେରିଥିଲେ। ବେୟାରଷ୍ଟୋଙ୍କୁ ବାଦ୍‌ ଦେଲେ ବେନ୍‌ ଷ୍ଟୋକ୍ସ ୩୭, ଅଧିନାୟକ ଇଅନ ମୋର୍ଗାନ୍‌ ୧୨ ରନ ସଂଗ୍ରହ କରିଥିଲେ। ସାମ କୁରାନ ୭ ରନ୍‌ କରି ଅପରାଜିତ ରହିଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକ ତରଫରୁ ଜର୍ଜ ଲିଣ୍ଡେ ଓ ଲୁନ୍‌ଗି ଏନ୍‌ଗିଡି ୨ଟି ଲେଖାଏ, ତାବ୍ରେଜ ସାମସି ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ତରଫରୁ ଫାଫ୍‌ ଡୁପ୍ଲେସି ସର୍ବାଧିକ ୫୮ (୪୦ ବଲ, ୪ ଚୌକା, ୨ ଛକା), ରାସି ଭାନ ଡେର ଡୁସେନ ୩୭, ଅଧିନାୟକ କ୍ୱିଣ୍ଟନ ଡିକକ୍‌ ୩୦, ହେନରିଚ କ୍ଲାସେନ ୨୦ ରନ ସଂଗ୍ରହ କରିଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ସାମ କୁରାନ ୩, ଜୋଫ୍ରା ଆର୍ଚର, ଟମ୍‌ କୁରାନ ଓ କ୍ରିସ୍‌ ଜୋର୍ଡାନ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରଥିଲେ।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୧୭୯/୬
(ଡୁପ୍ଲେସି- ୫୮, ଡୁସେନ- ୩୭, ଡିକକ- ୩୦, କ୍ଲାସେନ-୨୦, ସାମ କୁରାନ- ୩/୨୮)
ଇଂଲଣ୍ଡ ୧୯.୨ ଓଭରରେ ୧୮୩/୫
(ବେୟାରଷ୍ଟୋ- ୮୬*, ଷ୍ଟୋକ୍ସ- ୩୭, ମଲାନ- ୧୯, ମୋର୍ଗାନ- ୧୨, ଲିଣ୍ଡେ- ୨/୨୦, ଏନ୍‌ଗିଡି- ୨/୩୧ )

Share