୭ ବର୍ଷ ପରେ ଆଇପିଏଲ୍‌ରେ ଖେଳିବେ ଓଡ଼ିଆ ଖେଳାଳି

ବାଙ୍ଗାଲୋର,୧୩।୨: ଦୀର୍ଘ ୭ ବର୍ଷ ପରେ ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ଖେଳାଳି ଭାବେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଖେଳିବାକୁ ଯାଉଛନ୍ତି ଶୁଭ୍ରାଂଶୁ ସେନାପତି। ଓଡ଼ିଶା ରଣଜୀ ଦଳର ଅଧିନାୟକ ଶୁଭ୍ରାଂଶୁଙ୍କୁ ୨୦ ଲକ୍ଷ ଟଙ୍କାର ବେସ୍‌ ପ୍ରାଇସ୍‌ରେ କିଣିଛି ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)। ଚଳିତ ମେଗା ଅକଶନ ପାଇଁ ତାଙ୍କ ସମେତ ଓଡ଼ିଶାର କେବଳ ୨ ଖେଳାଳିଙ୍କ ନାମ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଥିଲା।

୨୫ ବର୍ଷୀୟ ମଧ୍ୟକ୍ରମର ବ୍ୟାଟର ୨୦୧୬/୧୭ରେ ରଣଜୀ ପଦାର୍ପଣ କରିଥିଲେ। ଗତ ଦୁଇ ବର୍ଷ ହେଲା ଓଡ଼ିଶା ପାଇଁ ରଣଜୀ ଟ୍ରଫିରେ ସେ ସର୍ବାଧିକ ରନ୍‌ କରି ଆସୁଛନ୍ତି। ଏପର୍ଯ୍ୟନ୍ତ ୩୪ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିବା ସେନାପତି ୩୭.୮୮ ହାରରେ ୧୮୫୪ ରନ୍‌ କରିଛନ୍ତି। ଏଥିରେ ୫ ଶତକ ଓ ୭ ଅର୍ଦ୍ଧଶତକ ରହିଛି। ଉଲ୍ଲେଖଯୋଗ୍ୟ, ଅନ୍ତିମ ଥର ପାଇଁ ୨୦୧୫ରେ ଓଡ଼ିଆ ଖେଳାଳି ବିପ୍ଳବ ସାମନ୍ତରାୟ ସନରାଇଜର୍ସ ହାଇଦ୍ରବାଦ୍‌ ପାଇଁ ଆଇପିଏଲ୍‌ରେ ଖେଳିଥିଲେ।

Share