ଜଗତ୍ସିଂହପୁର,୧୬ା୫(ପ୍ରମୋଦ କୁମାର ନାୟକ): ଜଗତ୍ସିଂହପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇ ବଳାତ୍କାର କରି ବ୍ଲାକ ମେଲିଂ କରିବା ଭଳି ସଙ୍ଗିନ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ୨ ଭାଇ ଗିରଫ ହୋଇଛନ୍ତି। ସେମାନେ ହେଲେ ଜଗତ୍ସିଂହପୁର ଥାନା ଇଚ୍ଛାପୁର ଗ୍ରାମର ଜ୍ଞାନରଞ୍ଜନ ନାୟକ ଓରଫ ଆଦି ଓରଫ ଆସିକ୍ସ (୨୦) ଓ ତାଙ୍କ ବଡ ଭାଇ ବିଶ୍ୱ ରଞ୍ଜନ ନାୟକ (୨୪)। ଜ୍ଞାନଙ୍କଠାରୁ ୧ ଲକ୍ଷ ୩୦ ହଜାର ଟଙ୍କାର ଆଇଫୋନ, ୪୦ ହଜାର ଟଙ୍କାର ଆଉ ଏକ ମୋବାଇଲ ଫୋନ ଓ ବିଶ୍ୱଙ୍କଠାରୁ ୧ ଲକ୍ଷ ୩୨ ହଜାର ଟଙ୍କାର ଏକ ମୋବାଇଲ ଫୋନ ଜବତ କରାଯାଇଛି। ଶୁକ୍ରବାର ଜିଲା ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍ପି ଅଙ୍କିତ ବର୍ମା ଏନେଇ ସୂଚନା ଦେଇଛନ୍ତି। ଏସ୍ପି କହିଛନ୍ତି, ୧୪ ତାରିଖରେ ପୀଡ଼ିତା ଜଗତ୍ସିଂହପୁର ଥାନାରେ ଅଭିଯୋଗ କଲାପରେ ପ୍ରସଙ୍ଗର ଗମ୍ଭୀରତା ଦୃଷ୍ଟିରୁ ତତ୍କାଳ ଜଗତ୍ସିଂହପୁର ଥାନା ମାମଲା (ନଂ.୪୦୦/୨୬) ରୁଜୁ କରାଯାଇ ଏକ ଟିମ୍ ଗଠନ କରାଯାଇଥିଲା।
ତଦନ୍ତରୁ ଜଣାଯାଇଥିଲା ଯେ, ୨୦୨୪ରେ ପୀଡ଼ିତା ଭୁବନେଶ୍ୱରରେ ରହୁଥିବାବେଳେ ଜ୍ଞାନଙ୍କ ସହ ସାମାଜିକ ଗଣମାଧ୍ୟମ ଜରିଆରେ ସମ୍ପର୍କରେ ଆସିଥିଲେ। କିନ୍ତୁ ଜ୍ଞାନ ଓ ଭାଇ ବିଶ୍ୱ ଯୋଜନା ମୁତାବକ ତାଙ୍କୁ ଶୋଷଣ କରିବାକୁ ଚକ୍ରାନ୍ତ ରଚିଥିଲେ। ଯୋଜନା ଅନୁଯାୟୀ ଜ୍ଞାନ ଯୁବତୀଙ୍କୁ ଭୁବନେଶ୍ୱର ଡେଲ୍ଟା ସ୍କୋୟାରସ୍ଥିତ ତାଙ୍କ ଭଡା ଘରକୁ ଡାକି ବଳାତ୍କାର କରିଥିଲେ। ଏଭଳି ବିଭିନ୍ନ ସମୟରେ ଏକାଧିକ ଥର ବଳାତ୍କାର କରିବା ସହ ଅଶ୍ଳୀଳ ଫଟୋ ଉଠାଇଥିଲେ। ପୀଡ଼ିତା ୪ ମାସର ଗର୍ଭବତୀ ହୋଇଯିବାରୁ ତାଙ୍କୁ ବିଶ୍ୱ ରହୁଥିବା କଟକ ସିଡିଏ ସେକ୍ଟର ୯ (ଗଣେଶ ପ୍ୟାଲେସ ପାଖ)ରେ ୫ ଦିନ ରଖି ୨୦୨୫ ମେ ମାସରେ ଗର୍ଭ ନଷ୍ଟ କରି ଦେଇଥିଲେ। ସିଡିଏରେ ରହିବା ଭିତରେ ବିଶ୍ୱ ମଧ୍ୟ ସମ୍ପୃକ୍ତା ଯୁବତୀଙ୍କୁ ବଳାତ୍କାର କରିଥିଲେ। କେବଳ ଏତିକି ନୁହେଁ, ଅଭିଯୁକ୍ତଦ୍ୱୟ ପୀଡ଼ିତାଙ୍କୁ ହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ସୌଭାଗ୍ୟବଶତ ସେ ଖସିଯାଇ ଘରେ ସବୁକଥା କହିଥିଲେ। ଏ ପରିସ୍ଥିତିରେ ଝିଅର ଭବିଷ୍ୟତକୁ ଦୃଷ୍ଟିରେ ରଖି ପରିବାର ଲୋକେ ଥାନାରେ ଆଶ୍ରୟ ନେଇ ନ ଥିଲେ। ପୀଡ଼ିତା ଅଭିଯୁକ୍ତ ଦ୍ୱୟଙ୍କ ଫୋନ ନମ୍ବର ନିଜ ମୋବାଇଲରୁ ବ୍ଲକ କରି ଦେଇଥିଲେ। ଏହାସତ୍ତ୍ବେ ଜ୍ଞାନ ସାମାଜିକ ଗଣମାଧ୍ୟମ ଓ ବ୍ୟକ୍ତିଗତ ଭାବେ ନିର୍ଯାତନା ଦେଇ ଚାଲିଥିଲେ। ଏପରି କି ପୀଡ଼ିତାଙ୍କ ଅଶ୍ଳୀଳ ଫଟୋ ତାଙ୍କ ଭଉଣୀଙ୍କ ପାଖକୁ ପଠାଇ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ବ୍ଲାକ୍ ମେଲିଂ ଭିତରେ ଅଭିଯୁକ୍ତ ଜ୍ଞାନ ପୀଡ଼ିତା ଓ ତାଙ୍କ ଭଉଣୀଙ୍କଠାରୁ ଡିଜିଟାଲ ଓ୍ବାଲେଟ୍ ଓ ନଗଦ ଆକାରରେ ୨ ଲକ୍ଷ ଟଙ୍କା ନେଇ ଯାଇଥିଲେ। ପୀଡ଼ିତା ଏହା ଭିତରେ ପାରାଦୀପର ଏକ କମ୍ପାନୀରେ ଚାକିରି ପାଇ ଯାଇଥିଲେ। ଏହା ଜାଣି ଅଭିଯୁକ୍ତମାନେ ପୁଣି ବ୍ଲାକମେଲିଂ କରିବାରୁ ପୀଡ଼ିତା ବାଧ୍ୟ ହୋଇ ଗତ ଜାନୁଆରୀରେ ଚାକିରି ଛାଡି ଦେଇଥିଲେ। ପୂର୍ବରୁ ପୀଡ଼ିତାଙ୍କ ନଁାରେ ଅଭିଯୁକ୍ତ ସିମ୍ କିଣିଥିଲେ। ତାହାକୁ ଆଧାର କରି ଅଭିଯୁକ୍ତମାନେ ଇ-ମେଲ ଓ ହ୍ବାଟ୍ସଆପ ଜରିଆରେ ପୀଡ଼ିତାଙ୍କ ଅଶ୍ଳୀଳ ଫଟୋ ଛାଡ଼ିଥିଲେ। ଏ ପରିସ୍ଥିତିରେ ପୀଡ଼ିତା ବାଧ୍ୟ ହୋଇ ବିଭିନ୍ନ ଫୋରମରେ ଅଭିଯୋଗ କରିଥିଲେ। ପରେ ଯେତେବେଳେ ଏସ୍ପିଙ୍କ ସହ ଯୋଗାଯୋଗ କଲେ ତା’ ପରେ ପୋଲିସ ତତ୍ପର ହୋଇଥିଲା। ୨୪ ଘଣ୍ଟା ଭିତରେ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଥିଲା। ଏ ସମ୍ପର୍କରେ ଏସ୍ପି କହିଛନ୍ତି ଜ୍ଞାନ ଇଣ୍ଟରନେଟ୍ ଓ ସାମାଜିକ ଗଣମାଧ୍ୟମରେ ବହୁ ସଂଖ୍ୟକ ମହିଳା/ଯୁବତୀମାନଙ୍କୁ ବିଭିନ୍ନ ମାଧ୍ୟମରେ ଆକର୍ଷିତ କରୁଥିଲେ। ବିଶେଷକରି କଲେଜ ପଢୁଆ ଯୁବତୀଙ୍କୁ ଜାଲରେ ପକାଇବା ପାଇଁ ଉଦ୍ୟମ କରୁଥିଲେ। ଏହାପରେ ସେମାନଙ୍କ ସହ ପ୍ରେମ ସମ୍ପର୍କ ବଢାଇ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିଲେ। ପରେ ସେମାନଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋ ଉଠାଇ ବ୍ଲାକମେଲ କରି ମୋଟା ଅଙ୍କର ଅର୍ଥ ପାଉଥିଲେ। ଏହି ଅର୍ଥରେ ସେମାନେ ଭୁବନେଶ୍ୱରରେ ବିଳାସପୂର୍ଣ୍ଣ ଜୀବନ ଅତିବାହିତ ସହ କ୍ରମାଗତ ଭାବେ ଗୋଆ ଓ ଅନ୍ୟ କେତେକ ସ୍ଥାନ ବୁଲିବାକୁ ଯାଉଥିଲେ। ଏହି ଖବରଦାତା ସମ୍ମିଳନୀରେ ଏସଡିପିଓ ରଶ୍ମିରଞ୍ଜନ ଦାଶ, ଜଗତ୍ସିଂହପୁର ଆଇଆଇସି ସୁଶାନ୍ତ ସାହୁ ଉପସ୍ଥିତ ଥିଲେ।