ଆଠମଲ୍ଲିକ,୨୧ା୬(ଉଦୀପ୍ତ ପୁରୋହିତ) ଅନୁଗୋଳ ଜିଲା ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହାଙ୍କ ନେତୃତ୍ୱରେ ଚାଲିଥିବା ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍ଆଇଆର୍) ୨୦୨୬ କାର୍ଯ୍ୟକ୍ରମ ଗତ ୩୦ ମେ ୨୦୨୬ ଠାରୁ ଆରମ୍ଭ ହୋଇଥିଲା। ଏହି ଏସ୍ଆଇଆର୍ କାର୍ଯ୍ୟକ୍ରମରେ ଜନ ଭାଗିଦାରୀ ବୃଦ୍ଧି କରିବା ପାଇଁ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ପାଲା, ଘୋଡ଼ାନାଚ ଓ ପ୍ରଚାର ଗାଡ଼ି ମାଧ୍ୟମରେ ବିପୁଳ ଜନ ସଚେତନତା ସୃଷ୍ଟି କରାଯାଇଥିଲା। ନିର୍ବାଚନମଣ୍ଡଳୀର ୨୪୯ ମତଦାନ କେନ୍ଦ୍ରର ମୋଟ ୨ ଲକ୍ଷ ୮ ହଜାର ୭୦୭ ଜଣ ମତଦାତାଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଥିଲାl ୨୦ ଜୁନ ୨୦୨୬ ସୁଦ୍ଧା ସମସ୍ତ ପରିଗଣନା ଫର୍ମ ସଂଗ୍ରହ କରାଯାଇ ବିଏଲ୍ଓ ଆପ୍ ମାଧ୍ୟମରେ ନିର୍ଦ୍ଧାରିତ ସମୟ ୨୮ ଜୁନ ୨୦୨୬ ପୂର୍ବରୁ ଶତ ପ୍ରତିଶତ ଡିଜିଟାଇଜେଶନ ହୋଇସାରିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ସମସ୍ତ ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ ଓ ଡିଜିଟାଇଜେଶନ କରିବାରେ ସାରା ରାଜ୍ୟରେ ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀ (୬୩) ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ସଫଳତା ପାଇଁ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲାପାଳ ଲୁହା ସମସ୍ତ ବିଏଲଓ, ସୁପରଭାଇଜର, ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଓ ସମସ୍ତ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି l