Categories: ଖେଳ

ପ୍ରଥମ ନିରପେକ୍ଷ ଟେଷ୍ଟ ଅମ୍ପାୟର

ପାକିସ୍ତାନ ଅଧିନାୟକ ଇମ୍ରାନ୍‌ ଖାଁ ଭାରତରୁ ଅମ୍ପାୟର ମଗାଇଥିଲେ। ପିଲୁ ରିପୋର୍ଟର ଓ ଏସ୍‌. ଭି. ରାମସ୍ବାମୀ ଲାହୋର ଯାଇ ଉକ୍ତ ଟେଷ୍ଟ ମ୍ୟାଚ୍‌ ଅମ୍ପାୟରିଂ କରିଥିଲେ। ଏହି ଦୃଷ୍ଟିରୁ ପିଲୁ ରିପୋର୍ଟରଙ୍କୁ ବିଶ୍ୱର ପ୍ରଥମ ନିରପେକ୍ଷ ଅମ୍ପାୟର ଭାବେ ଗଣନା କରାଯାଏ।…

ନିରପେକ୍ଷ ରାଷ୍ଟ୍ରର ପ୍ରଥମ ଅମ୍ପାୟର ଭାବେ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍‌ରେ ଅମ୍ପାୟରିଂ କରି ଇତିହାସ ରଚିଥିଲେ ପିଲୁ ରିପୋର୍ଟର। ଏହି ବିଶିଷ୍ଟ ଅମ୍ପାୟରଙ୍କର ପରଲୋକ ହୋଇଥିଲେ ହେଁ ଅନନ୍ୟ ଅମ୍ପାୟରିଂ ଶୈଳୀ ତାଙ୍କୁ ସର୍ବଦା ଅମର ରଖିବ। ମହାରାଷ୍ଟ୍ରର ଠାଣେ ସହରର ଏକ ହସ୍ପିଟାଲରେ ସେପ୍ଟେମ୍ବର ୩ ତାରିଖରେ ୮୪ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ପିଲୁ ରିପୋର୍ଟରଙ୍କ ଦୀର୍ଘ ୨୮ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟରେ ଅମ୍ପାୟରିଂ କରିଥିଲେ। ପିଚ୍‌ରେ ଖେଳାଳିଙ୍କ ସହ ଭଲ ସମ୍ପର୍କ ରକ୍ଷାରେ ସେ ମାହିର ଥିଲେ। ମ୍ୟାଚ୍‌ ବେଳେ ବଲ୍‌ ବାଉଣ୍ଡରି ଲାଇନ ଛୁଇଁଲାକ୍ଷଣି ସେ ଯେଉଁ ଢଙ୍ଗରେ ହାତ ଉଠାଇ ସ୍ବୀକୃତି ଦେଉଥିଲେ ତାହା ଦର୍ଶକଙ୍କ ପାଇଁ ବେଶ୍‌ ଉପଭୋଗ୍ୟ ଥିଲା। ସେ ମୁଖ୍ୟତଃ ମୁମ୍ବାଇ କ୍ରିକେଟ ସଂଘ ଆନୁକୂଲ୍ୟରେ ହେଉଥିବା ଘରୋଇ ଟୁର୍ନାମେଣ୍ଟଗୁଡ଼ିକରେ ମ୍ୟାଚ ଅମ୍ପାୟରିଂ କରୁଥିଲେ। ତାଙ୍କୁ ୧୪ଟି ଅନ୍ତର୍ଜାତୀୟ ଟେଷ୍ଟ ଓ ୨୨ଟି ଦିନିକିଆ ମ୍ୟାଚ୍‌ରେ ଅମ୍ପାୟରିଂ କରିବାର ସୁଯୋଗ ମିଳିଥିଲା। ୧୯୮୬ ମସିହାରେ ପାକିସ୍ତାନର ଲାହୋରରେ ପାକିସ୍ତାନ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଅମ୍ପାୟରିଂକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଦ୍ୱିତୀୟ ଟେଷ୍ଟକୁ ନିରପେକ୍ଷ କରିବାକୁ ଯାଇ ପାକିସ୍ତାନ ଅଧିନାୟକ ଇମ୍ରାନ୍‌ ଖାଁ ଭାରତରୁ ଅମ୍ପାୟର ମଗାଇଥିଲେ। ପିଲୁ ରିପୋର୍ଟର ଓ ଏସ. ଭି. ରାମସ୍ବାମୀ ଲାହୋର ଯାଇ ଉକ୍ତ ଟେଷ୍ଟ ମ୍ୟାଚ୍‌ ଅମ୍ପାୟରିଂ କରିଥିଲେ। ଏହି ଦୃଷ୍ଟିରୁ ପିଲୁ ରିପୋର୍ଟରଙ୍କୁ ବିଶ୍ୱର ପ୍ରଥମ ନିରପେକ୍ଷ ଅମ୍ପାୟର ଭାବେ ଗଣନା କରାଯାଏ। ଏହି ନୂଆ ପଦ୍ଧତି ସଫଳ ହେବାରୁ ଆଇସିସିକୁ ମଧ୍ୟ ନୂତନ ବିକଳ୍ପ ମିଳିଥିଲା। ୧୯୯୨ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁଷ୍ଠିତ ଟେଷ୍ଟ ମ୍ୟାଚ୍‌ଗୁଡ଼ିକରେ ଆଇସିସି ନିରପେକ୍ଷ ଦେଶର ଜଣେ ଜଣେ ଅମ୍ପାୟରଙ୍କୁ ନିୟୋଜିତ କରିଆସିଛି। ୧୯୯୨ଦିନିକିଆ ବିଶ୍ୱକପ୍‌ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ହୋଇଥିଲା। ଏଥିରେ ନିରପେକ୍ଷ ଅମ୍ପାୟର ଭାବେ ୭ଟି ମ୍ୟାଚ୍‌ରେ ରିପୋର୍ଟର ଅମ୍ପାୟରିଂ କରିଥିଲେ। ୧୯୮୦ରୁ ୧୯୯୨ ମଧ୍ୟରେ ରିପୋର୍ଟର-ରାମସ୍ବାମୀ ଯୋଡ଼ି ଅନେକ ମ୍ୟାଚ୍‌ ପରିଚାଳନା କରିଥିଲେ। ମୁମ୍ବାଇ କ୍ରିକେଟ ସଂଘ ପକ୍ଷରୁ ଆୟୋଜିତ ଟାଇମ୍ସ ସିଲ୍ଡ ଟୁର୍ନାମେଣ୍ଟରେ ମଧ୍ୟତାଙ୍କ ଅମ୍ପାୟରିଂ ଦେଖିବାକୁ ମିଳିଥିଲା। ଏହା ସହ ଜଡିତ ଏକ ସ୍ମୃତି ଶେୟାର କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଦିଲିପ ଭେଙ୍ଗସରକାର। ଏ ଡିଭିଜନରେ ଟାଟା ଓ ମହିନ୍ଦ୍ରା ମଧ୍ୟରେ ମ୍ୟାଚ୍‌ ଖେଳା ଯାଇଥିଲା। ଏହି ମ୍ୟାଚ୍‌ ସହ ଜଡିତ ସ୍ମୃତି ଶେୟାର କରିଥିଲେ ଭେଙ୍ଗସରକାର। ଏହି ମ୍ୟାଚ୍‌ରେ ଶତକ ହାସଲ କରିବା ପରେ ଭେଙ୍ଗସରକାର ଲୟରେ ନ ଥିବା ପରି ମନେ ହୋଇଥିଲା। ଏହା ଦେଖି ରିପୋର୍ଟର ତାଙ୍କ ପାଖକୁ ଆସିଥିଲେ ଓ ପୁରସ୍କାର ପାଇବାକୁ ଚାହୁଁ ନ କି ବୋଲି କହିଥିଲେ। ଏହାପରେ ଲୟକୁ ଫେରିବା ସହିତ ଦ୍ୱିଶତକ ହାସଲ କରି ଟାଇମ୍ସ ସିଲ୍ଡ ପୁରସ୍କାର ହାସଲ କରିଥିଲେ ଭେଙ୍ଗସରକାର। ରିପୋର୍ଟର ଜଣେ ଭଦ୍ର ଲୋକ ଓ ନିରପେକ୍ଷ ଅମ୍ପାୟର ବୋଲି କହିଛନ୍ତି ଭେଙ୍ଗସରକାର। ୨୯ବର୍ଷ ବୟସରେ ସେ ଏକ ରଣଜୀ ଟ୍ରଫି ମ୍ୟାଚ୍‌ ପରିଚାଳନା କରି ଅମ୍ପାୟାଅରିଂ କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୪ରେ ଦିଲ୍ଲୀରେ ଅନୁଷ୍ଠିତ ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ୍‌ରେ ତାଙ୍କ ଅନ୍ତର୍ଜାତୀୟ ଟେଷ୍ଟ କ୍ୟାରିୟର ଆରମ୍ଭ ହୋଇଥିଲା। ପୂର୍ବତନ ଜିମ୍ବାୱେ କ୍ୟାପଟେନ୍‌ ହିଥ୍‌ ଷ୍ଟ୍ରିକ୍‌ଙ୍କ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ପିଲୁ ରିପୋର୍ଟର ଅମ୍ପାୟରିଂ କରିଥିଲେ। ଦୁର୍ଭାଗ୍ୟର ବିଷୟ ଦୁଇଜଣ ଯାକ ଗୋଟିଏ ଦିନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ଇଭାନ୍‌ କୁମାର ସାହୁ

Share