ସୁବର୍ଣ୍ଣରେଖାରେ ପ୍ରଥମ ବନ୍ୟାଜଳ ପ୍ରବେଶ: ଚାଷୀ ଆତଙ୍କିତ

ବାଲିଆପାଳ,୨୨।୮(ସ୍ବ.ପ୍ର)- ବାଲେଶ୍ୱର ଜିଲା ସୁବର୍ଣ୍ଣରେଖା ନଦୀରେ ଶନିବାର ପ୍ରଥମ ବନ୍ୟା ଜଳ ପ୍ରବାହିତ ହେବା ଯୋଗୁ ତଳିଆ ଅଞ୍ଚଳର ଚାଷୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଅପରାହ୍ନ ୩ଟାରେ ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ବନ୍ୟାଜଳ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିଲା। ସେଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ଜଳ ପତ୍ତନ ୯.୦୩ ମିଟର ରହି ଜଳ ପ୍ରବାହିତ ହେଉଥିଲା। ବର୍ଷା ଅଭାବରୁ ଧାନ ଚାଷ କାମ ବିଳମ୍ବରେ ଶେଷ ହୋଇଥିବାରୁ ଧାନ ଗଛ ଗୁଡ଼ିକ ଅତି ଛୋଟ ଛୋଟ ଅବସ୍ଥାରେ ରହିଛି। ବନ୍ୟା ଜଳ ଚାଷ ଜମିରେ ମାଡ଼ିଗଲେ ଧାନ ଗଛଗୁଡ଼ିକ ନଷ୍ଟ ହୋଇଯିବା ସହିତ ଚାଷୀ ଦ୍ୱିତୀୟଥର ଚାଷ କରିବା ପାଇଁ ପାଖରେ ଧାନ ତଳି ନଥିବ। ଏଥିପାଇଁ ଚାଷୀ ଆତଙ୍କିତ ଅବସ୍ଥାରେ ମୁଣ୍ଡରେ ହାତ ଦେଇ ଘରେ ବସିଛନ୍ତି।